ନୂଆଦିଲ୍ଲୀ ୨୯।୧୧: ଖୁସିରେ ଦେବଦର୍ଶନ ପାଇଁ ବାହାରିଥିଲେ। ହେଲେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ। ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ଅନ୍ତର୍ଗତ ରାଞ୍ଚି-ପାଟନା ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଚାଲିଗଲା ୧୩ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ମହିଳା ଏବଂ ୪ ଜଣ ଶିଶୁ। ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ରବିବାର ଭୋର ପ୍ରାୟ ୨ଟା ସମୟରେ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ଦେଇ ଯାଇଥିବା ରାଞ୍ଚି-ପାଟନା ଜାତୀୟ ରାଜପଥ ୩୩ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଜଙ୍ଗହାରୋ ଗାଁର ୧୪ ଜଣ ଶ୍ରଦ୍ଧାଳୁ ଏକ ସ୍କର୍ପିଓ ଗାଡ଼ିରେ ରାଜରପ୍ପା ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ହେଲେ ରାସ୍ତାରେ ହିଁ ଘଟିଗଲା ଅଘଟଣ। ତେବେ କିପରି ଏହି ଦୁର୍ଘଟଣା ଘଟିଲା, ତାହାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। 

ଦୁର୍ଘଟଣା ପରେ ଗାଡ଼ିଟି ଭିତରେ ଲୋକମାନେ ଫସି ରହିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା। ତେବେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟ ଜଣେ ଆହତ ବ୍ୟକ୍ତି ରାମଗଡ଼ ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।