ମୁମ୍ବାଇ: ଅପକମିଂ ରାମାୟଣ ଚଳଚ୍ଚିତ୍ରରେ ଭରତ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଆଦିନାଥ କୋଠାରେ ଏବଂ ତାଙ୍କ ପତ୍ନୀ ଉର୍ମିଳା କୋଠାରେ ବିବାହର ୧୫ ବର୍ଷ ପରେ ପରଷ୍ପରଠାରୁ ଅଲଗା ହୋଇଛନ୍ତି। ମରାଠୀ ସିନେମା ଜଗତର ଜଣାଶୁଣା ଦମ୍ପତି ଆଦିନାଥ କୋଠାରେ ଏବଂ ଉର୍ମିଳା କୋଠାରେ ନିଜର ବୈବାହିକ ସମ୍ପର୍କର ଅନ୍ତ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଏକ ମିଳିତ ବିବୃତ୍ତି ଜାରି କରି ସୋସିଆଲ ମିଡିଆରେ ଏହି ବିଷୟରେ ସୂଚନା ଦେଇଛନ୍ତି।

ଦୀର୍ଘ ଦିନର ଆଲୋଚନା ପରେ ପରଷ୍ପର ସହମତିରେ ଅଲଗା ହେବାକୁ ସ୍ଥିର କରିଛନ୍ତି। ଏହାସହ ଏହି କଷ୍ଟକର ସମୟରେ ସେମାନଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ସମ୍ମାନ ଦେବାକୁ ସେମାନେ ପ୍ରଶଂସକ ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ବିବାହ ବିଚ୍ଛେଦ ହେଉଥିଲେ ମଧ୍ୟ ସେମାନଙ୍କ ଝିଅ 'ଜିଜା' (Jizah) ସେମାନଙ୍କ ଦାୟିତ୍ବରେ ରହିବେ ବୋଲି ଦମ୍ପତି ପ୍ରକାଶ କରିଛନ୍ତି। ଝିଅର ଉତ୍ତମ ଭବିଷ୍ୟତ, ସୁରକ୍ଷା ଓ ସ୍ନେହ ପାଇଁ ଉଭୟ ମିଳିତ ଭାବେ ପିତାମାତାଙ୍କ ଦାୟିତ୍ୱ ତୁଲାଇବେ।

୧୫ ବର୍ଷର ବୈବାହିକ ସମ୍ପର୍କ ଶେଷ
ଆଦିନାଥ କୋଠାରେ ଏବଂ ଉର୍ମିଳା ଡିସେମ୍ବର ୨୦୧୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦୀର୍ଘ ୧୫ ବର୍ଷର ସୁଖଦ ଯାତ୍ରା ପରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତେବେ ପରଷ୍ପର ପ୍ରତି ସମ୍ମାନ ଏବଂ ସ୍ନେହ ସବୁଦିନ ପାଇଁ ବଜାୟ ରହିବ ବୋଲି ସେମାନେ ନିଜ ବିବୃତ୍ତିରେ କହିଛନ୍ତି।

ସୂଚନାଯୋଗ୍ୟ, ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ବହୁ ପ୍ରତିକ୍ଷିତ ମେଗା ବଜେଟ୍ ଫିଲ୍ମ 'ରାମାୟଣ' (Ramayana) ରେ ଆଦିନାଥ କୋଠାରେ ପ୍ରଭୁ ଶ୍ରୀରାମଙ୍କ ଅନୁଜ 'ଭରତ'ଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ। ପ୍ରଥମ ଭାଗଟି ୨୦୨୬ ଦୀପାବଳି ଅବସରରେ ଏବଂ ଦ୍ୱିତୀୟ ଭାଗଟି ୨୦୨୭ ଦୀପାବଳିରେ ପ୍ରେକ୍ଷାଳୟକୁ ଆସିବା ପାଇଁ ସ୍ଥିର ହୋଇଛି।