ଅଯୋଧ୍ୟା: ରାମମନ୍ଦିର ଦାନ ରାଶିର କଥିତ ହଡପ ମାମଲାର ଯାଞ୍ଚ ପରିସର ବଢିଛି। ପୋଲିସ ଏବେ ମନ୍ଦିରର ଦୈନନ୍ଦିନ ନୀତିକାନ୍ତିରେ ସାମିଲ ସବୁ ଲୋକଙ୍କୁ ପଚରାଉଚରା କରୁଛି। ଏହି ମାମଲାରେ ଏ ପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇଛନ୍ତି। ପୋଲିସ ସୂତ୍ର ଅନୁସାରେ ମନ୍ଦିରରେ ଭକ୍ତ ଦାନ କରୁଥିବା ରାଶି ଗଣିବା ପାଇଁ ପାଖାପାଖି ୫୦ ଜଣ ଲୋକ ନିୟୋଜିତ ଥିଲେ ଓ ସେମାନଙ୍କୁ ଟ୍ରଷ୍ଟର ପଦାଧିକାରୀ ଅଥବା ସେମାନଙ୍କ ସହ ଘନିଷ୍ଠ ରୂପେ ଜଡିତ ଲୋକଙ୍କ ସୁପାରିଶରେ ନିଯୁକ୍ତ କରାଯାଇଥିଲା।

ତଦନ୍ତକାରୀ ଏବେ ସେମାନଙ୍କ ପୃଷ୍ଠଭୂମି, ଆୟର ଜ୍ଞାତ ସ୍ରୋତରୁ ସମ୍ଭାବିତ ଅଧିକ ସମ୍ପତ୍ତି ଓ ଟ୍ରଷ୍ଟର କାମଧନ୍ଦା ସମ୍ପର୍କିତ କିଛି ବରିଷ୍ଠ ଟ୍ରଷ୍ଟ ପଦାଧିକାରୀ ଓ ସରକାରୀ ଅଧିକାରୀମାନଙ୍କ ଭୂମିକାର ତଦନ୍ତ କରୁନ୍ତି। ଏଥିରେ ଏବେ ଉଚ୍ଚ ପଦସ୍ଥ ସୂତ୍ରରୁ ମିଳୁଥିବା ସୂଚନାରେ ଯାଞ୍ଚରେ ଟ୍ରଷ୍ଟ ଦ୍ୱାରା କରାଯାଇଥିବା ନିର୍ମାଣ, ଭୂମିକ୍ରୟ ସମ୍ପର୍କିତ ଆର୍ଥିକ ନେଣଦେଣ ମଧ୍ୟ ସାମିଲ ହେବ। ତଦନ୍ତକାରୀଙ୍କ ଅନୁସାରେ ସିସିଟିଭି ଫୁଟେଜ ଆଧାରରେ ଗିରଫ ୮ ଦାନ ଗଣନାକାରୀଙ୍କ ମଧ୍ୟରୁ ୬ ଜଣଙ୍କ ବିରୋଧରେ ପ୍ରତ୍ୟକ୍ଷ ପ୍ରମାଣ ମିଳିଛି। ଫୁଟେଜରେ କଥିତ ରୂପେ ସେମାନଙ୍କୁ ମନ୍ଦିରର ତୀର୍ଥଯାତ୍ରୀ ସୁବିଧା କେନ୍ଦ୍ରରେ ଦାନ ଗଣତି କାଳରେ ନୋଟ ବଣ୍ଡଲ ନିଜ ପୋଷାକ, ପକେଟ ଓ ଜୋତାରେ ଲୁଚାଉଥିବା ଦେଖା ଯାଇଛନ୍ତି।

ଟ୍ରଷ୍ଟ ଅଭିଯୋଗ ଆଧାରରେ ପୋଲିସ ଜୁନ ୨୫ ତାରିଖରେ ଏଫଆଇଆର ରୁଜୁ କରିଥିଲା। ଏଥିରେ ଅବିନାଶ ଶୁକ୍ଳା, ଲବକୁଶ ମିଶ୍ର, ଅନୁକଳ୍ପ ମିଶ୍ର, ମନିଷ କୁମାର ଯାଦବ, କଋଣେଶ ପାଣ୍ଡେୟ, ରମାଶଙ୍କର ମିଶ୍ର, ରାମଶଙ୍କର ଯାଦବ ଓରଫ ଟିନ୍ନୁ ଯାଦବ ଓ ସୁଭାଷ ଶ୍ରୀବାସ୍ତବଙ୍କୁ ଗିରଫ କରିଛି। ଟିନ୍ନୁ ଯାଦବ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ପୂର୍ବତନ ବାହନ ଚାଳକ ଥିଲା। ସେହିପରି ମନିଷ ଯାଦବ ଟିନ୍ନୁଙ୍କ ପୁତୁରା। ପୋଲିସ ଅନୁସାରେ ଟିନ୍ନୁ କଥିତ ରୂପେ ମନ୍ଦିରର ଦାନ ବାକ୍ସ ମନିଟରିଂ କରୁଥିଲା। ତେବେ ତାଙ୍କ ପୁତୁରା ଦାନ ଗଣନାରେ ସାମିଲ ଥିଲା।

ଏହା ପୂର୍ବରୁ ପୋଲିସ ଟିନ୍ନୁଙ୍କ ଘରୁ ନଗଦ ୧ଲକ୍ଷ ଟଙ୍କା ଓ ମନିଷଙ୍କ ଘରୁ ୨ଲକ୍ଷ ଟଙ୍କା ଜବତ କରିଥିଲା। ଅଧିକାରୀମାନେ କହିଛନ୍ତି ଯେ ଯାଞ୍ଚକର୍ତ୍ତା କଥିତ ଚୋରି ସମ୍ପର୍କରେ ପଚରାଉଚରା କରିବା, ଅତିରିକ୍ତ ନଗଦ ଓ ମୂଲ୍ୟବାନ ସାମାନ ସନ୍ଧାନ କରିବା ଓ କଥିତ ରୂପେ ହଡ଼ପ କରିଥିବା ଅର୍ଥରେ କ୍ରୟ କରାଯାଇଥିବା ସମ୍ପତ୍ତି ଯାଞ୍ଚ କରିବା ପାଇଁ ଉଭୟ ଅଭିଯୁକ୍ତଙ୍କୁ ବିଭିନ୍ନସ୍ଥାନକୁ ନେଇପାରେ। ଟିନ୍ନୁ ଓ ମନିଷ ଲାଗି ରିମାଣ୍ଡ ନିବେଦନ କରିବା ପୂର୍ବରୁ ଅନ୍ୟ ୬ ଅଭିଯୁକ୍ତଙ୍କୁ ମଧ୍ୟ ପଚରାଉଚରା କରିଛି। ତଦନ୍ତକାରୀ ପୋଲିସ ହାଜତରେଥିବା ପୂର୍ବତନ ବ୍ୟାଙ୍କ କର୍ମଚାରୀ ସୁଭାଷ ଶ୍ରୀବାସ୍ତବ ଓ ରମାଶଙ୍କର ମିଶ୍ରଙ୍କୁ ପଚରାଉଚରା କରିବା ପରେ ଗତ ସପ୍ତାହ ପ୍ରାରମ୍ଭରେ ଜବତ ନଗଦ, ଆଭୂଷଣ ଓ ସମ୍ପତ୍ତି ସମ୍ପର୍କିତ ଗାକଜପତ୍ର କୋର୍ଟରେ ଜମା କରିଛନ୍ତି।

ରାମ ମନ୍ଦିରରେ ଭକ୍ତ ଦାନ କରୁଥିବା ଧନରାଶିର କଥିତ ଚୋରି ଘଟଣା ଜୁନ ପ୍ରଥମ ସପ୍ତାହରେ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଏ ପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଟ୍ରଷ୍ଟର ୨ ଜଣ ବରିଷ୍ଠ ପଦାଧିକାରୀ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ବିରୋଧୀ ଦଳ ଜୁଲାଇ ୨୦ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନରେ ରାମମନ୍ଦିର ଦାନ ଚୋରି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।