ଲକ୍ଷ୍ନୌ: ରାମ ମନ୍ଦିର ଦାନ ଅର୍ଥ ଚୋରି ଏବଂ ହେର୍ଫେର୍ ମାମଲା ସାରା ଦେଶରେ ଚର୍ଚ୍ଚିତ ରହିଛି । କୋଟି କୋଟି ରାମ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ରହିଛି ଏହି ପ୍ରସଙ୍ଗ । ଦିନ ବିତିବା ସହ ଏହି ଘଟଣାରେ ନୂଆ ନୂଆ ତଥ୍ୟ ମଧ୍ୟ ସାମନାକୁ ଆସିଛି । ତେବେ କେମିତି ହେଉଥିଲା ଚୋରି ଆଉ, କିପରି ହେଲା ସନ୍ଦେହ ?

ଗତ ମେ' ଶେଷ ସପ୍ତାହରେ ରାମ ମନ୍ଦିର ଟ୍ରଷ୍ଟ ସହ ଜଡ଼ିତ ଅଧିକାରୀମାନେ ଏକ ସମୀକ୍ଷା କରିଥିଲେ । ଏଥିରେ ବ୍ୟାଙ୍କରେ ଜମା ହେଉଥିବା ଦାନ ରାଶି ଏବଂ ପ୍ରତିଦିନ ଦାନ ବାକ୍ସ ଖାଲି ପ୍ରକ୍ରିୟା ଯାଞ୍ଚ କରିଥିଲେ । ଟ୍ରଷ୍ଟର କିଛି ଜଣ ସଦସ୍ୟଙ୍କୁ ଏହି ପ୍ରକ୍ରିୟାରେ ସନ୍ଦେହ ହୋଇଥିଲା ଏବଂ ଦାନ ଟଙ୍କାରେ ଅନିୟମିତତା ଦେଖିଥିଲେ । ସାଧାରଣତଃ ପ୍ରତିଦିନ ପ୍ରତ୍ୟେକ ଦାନ ବାକ୍ସରୁ ପାଖାପାଖି ୬ରୁ ୭ ଟଙ୍କା ବାହାରିଥାଏ । ତଦନ୍ତ ବେଳେ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ କିଛି ସପ୍ତାହ ଧରି ୫୦୦ ଟଙ୍କିଆ ବଣ୍ଡଲ୍ ସଂଖ୍ୟା ଲଗାତାର ହ୍ରାସ ପାଉଛି ।

ସନ୍ଦେହ ବଢିବା ପରେ ଅଧିକାରୀମାନେ ଏହା ଉପରେ ନଜର ରଖିବା ଆରମ୍ଭ କଲେ । ଟଙ୍କା ଗଣତି କରାଯାଉଥିବା ରୁମ୍ ଭିତରେ ହିଡେନ୍ କ୍ୟାମେରା ଲଗାଗଲା । ରେକର୍ଡ ହୋଇଥିବା ଫୁଟେଜରୁ ଜଣାପଡ଼ିଥିଲା ଯେ ଜଣେ କର୍ମଚାରୀ ଜାଣିଶୁଣି ସିସି ଟିଭି ସାମ୍ନାରେ ଠିଆ ହେଉଥିଲେ, ଅନ୍ୟ ଜଣେ କର୍ମଚାରୀ ବଣ୍ଡଲରୁ ନୋଟ୍ କାଢ଼ି ନିଜ ପୋଷାକ ଭିତରେ ଲୁଚାଇ ଦେଉଥିଲେ । କର୍ମଚାରୀମାନଙ୍କୁ ସେମାନଙ୍କ ସିଫ୍ଟ ପରେ ଯିବା ସମୟରେ ତଲାସି କରାଯାଉ ନଥିଲା, ଯେଉଁଥି ପାଇଁ ସହଜରେ ଟଙ୍କା ଚୋରି କରି ନେବାରେ ସଫଳ ହେଉଥିଲେ ।

ସେହିପରି ଅନ୍ୟ ଏକ ଉପାୟରେ ବି ଚୋରି କରାଯାଉଥିଲା । ନଗଦ ଟଙ୍କା ଗଣତି କରୁଥିବା କର୍ମଚାରୀମାନେ ଜାଣିଶୁଣି ପ୍ରତ୍ୟେକ ବଣ୍ଡଲରେ ଅତିରିକ୍ତ ନୋଟ୍ ଭର୍ତ୍ତି କରୁଥିଲେ । ଯେତେବେଳେ ଟଙ୍କା ବ୍ୟାଙ୍କରେ ପହଞ୍ଚେ, ଅଧିକାରୀମାନେ ପ୍ରତ୍ୟେକ ନୋଟକୁ ପୁଣି ଥରେ ଗଣିବା ପରିବର୍ତ୍ତେ କେବଳ ବଣ୍ଡଲ୍ ସଂଖ୍ୟା ଗଣି ସେହି ଅନୁସାରେ ଏକ ଭାଉଚର ପ୍ରସ୍ତୁତ କରାଯାଉଥିଲା ।

ଦାନ ଭାଉଚର ପ୍ରସ୍ତୁତ କରିବାରେ ଜଡିତ ଥିବା ଅନୁକଳ୍ପ ମିଶ୍ରଙ୍କ ଶଳା ଲଭକୁଶ ମିଶ୍ରଙ୍କ ସହାୟତାରେ ଏହି ହେରଫେର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଜଣାପଡ଼ିବା ପରେ, ପୋଲିସ ଲଭକୁଶ ମିଶ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ଗୁରୁବାର ଉତ୍ତର ପ୍ରଦେଶ ପୋଲିସ ଏହି ମାମଲାରେ ସମସ୍ତ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏକ ଏଫଆଇଆର ରୁଜୁ କରାଯାଇଛି, ଏବଂ ତଦନ୍ତକାରୀମାନେ ଏହି ଠକେଇରେ ଅଧିକ ଲୋକ ସମ୍ପୃକ୍ତ ଅଛି କି ତାହା ଯାଞ୍ଚ କରୁଛନ୍ତି ।