ଅଯୋଧ୍ୟା : ଅଯୋଧ୍ୟା ଯାଉଥିବା ଲକ୍ଷାଧିକ ଭକ୍ତଙ୍କ ପାଇଁ ଏକ ଖୁସି ଖବର । ପ୍ରତିବର୍ଷ ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଏଠାକୁ ବହୁ ଦୂରଦୂରାନ୍ତରୁ ଆସିଥାନ୍ତି ଲକ୍ଷ ଲକ୍ଷ ଭକ୍ତ । ଭଗବାନ ଶ୍ରୀରାମଙ୍କ ପ୍ରସାଦ ଟିକେ ପାଇବା ପାଇଁ ଲାଗିଥାଏ ଭକ୍ତଙ୍କ ଲମ୍ବା ଲାଇନ । ଆଉ ଏବେ ରାମ ଲଲ୍ଲାଙ୍କ ପ୍ରସାଦ ଉପରେ ମୋହର ଲଗାଇଛି FSSAI । 'ପ୍ରସାଦ'ର ଗୁଣବତ୍ତା, ସ୍ୱଚ୍ଛତା ଏବଂ ଖାଦ୍ୟ ସୁରକ୍ଷା ସମ୍ବନ୍ଧୀୟ ନିର୍ଦ୍ଧାରିତ ମାନକ ପୂରଣ କରିଥିବାରୁ ଶ୍ରୀରାମ ମନ୍ଦିରକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଦ୍ୱାରା ପ୍ରତିଷ୍ଠିତ 'ଇଟ୍ ରାଇଟ୍ ପ୍ଲେସ୍ ଅଫ୍ ୱର୍ସିପ୍ – ଭୋଗ' (BHOG) ପ୍ରମାଣପତ୍ର ପ୍ରଦାନ କରାଯାଇଛି। ମନ୍ଦିରଟି ୧୧୪ ପଏଣ୍ଟ ମଧ୍ୟରୁ ୧୦୩ ପଏଣ୍ଟ ହାସଲ କରି ଏହି ସ୍ୱତନ୍ତ୍ର ବର୍ଗରେ ସ୍ଥାନ ପାଇଛି। ଏହି ମୂଲ୍ୟାଙ୍କନ ମନ୍ଦିରରେ ପ୍ରଦାନ କରାଯାଉଥିବା ପ୍ରସାଦର ଶୁଦ୍ଧତା ଏବଂ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସକାରାତ୍ମକ ସଙ୍କେତ ଦେଇଛି।

ଶ୍ରୀରାମ ମନ୍ଦିର ପ୍ରାସାଦର ମୂଲ୍ୟାଙ୍କନ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ୪୭ଟି ମାନଦଣ୍ଡ ଆଧାରରେ କରାଯାଇଥିଲା, ଯେଉଁଥିରେ ମୋଟ ୧୧୪ ପଏଣ୍ଟରୁ ମନ୍ଦିର ୧୦୩ ପଏଣ୍ଟ ହାସଲ କରି ଉତ୍କୃଷ୍ଟ ବର୍ଗରେ ସାମିଲ ହୋଇଛି। ଏହି ମୂଲ୍ୟାଙ୍କନ ପ୍ରକ୍ରିୟାରେ ମନ୍ଦିରର ରୋଷେଇ ଘର, ଖାଦ୍ୟ ସଂରକ୍ଷଣ ଏବଂ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ବ୍ୟବସ୍ଥା ସମେତ ଖାଦ୍ୟ ସୁରକ୍ଷାର ବିଭିନ୍ନ ଦିଗକୁ ଯାଞ୍ଚ କରାଯାଇଥାଏ। FSSAI ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଜିତ୍ ପୁନହାନି କହିଛନ୍ତି ଯେ, " ଲକ୍ଷ ଲକ୍ଷ ଲୋକଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ଶ୍ରୀ ରାମ ମନ୍ଦିର ଦର୍ଶନ କରିବା ତାଙ୍କ ପାଇଁ ଏକ ବିଶେଷ ସୌଭାଗ୍ୟର ବିଷୟ । ଭକ୍ତମାନଙ୍କ ନିକଟରେ କିପରି ସୁରକ୍ଷିତ ଓ ଉନ୍ନତମାନର ପ୍ରସାଦ ପହଞ୍ଚାଇପାରିବା ତାହା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ " ।

ଶ୍ରୀରାମ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ଆସ୍ଥା ଓ ଭକ୍ତିର ଏକ ପବିତ୍ର ପ୍ରତୀକ । ତେଣୁ ପ୍ରସାଦ ପ୍ରସ୍ତୁତି, ସଂରକ୍ଷଣ ଓ ବଣ୍ଟନ ସମୟରେ ସ୍ୱଚ୍ଛତା ଏବଂ ଖାଦ୍ୟ ସୁରକ୍ଷା ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ। FSSAIର ମୂଲ୍ୟାଙ୍କନରେ ୧୧୪ରୁ ୧୦୩ ନମ୍ବର ମିଳିବା ମନ୍ଦିର ପ୍ରସାଦର ଗୁଣବତ୍ତା ସମ୍ପର୍କରେ ଏକ ଉତ୍ସାହଜନକ ଖବର ଭାବେ ଦେଖାଯାଉଛି। ଏହା ସହିତ ଧାର୍ମିକ ସ୍ଥଳଗୁଡ଼ିକରେ ଖାଦ୍ୟର ମାନ ବଜାୟ ରଖିବା ଏବଂ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ପ୍ରସାଦ ଯୋଗାଇବାର ଗୁରୁତ୍ୱ ମଧ୍ୟ ସାମ୍ନାକୁ ଆସିଛି।ପ୍ରସାଦର ଶୁଦ୍ଧତା ଓ ସ୍ୱଚ୍ଛତା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ସହ ଜଡ଼ିତ । ଏଭଳି ମୂଲ୍ୟାଙ୍କନ ଧାର୍ମିକ ସ୍ଥଳରେ ଖାଦ୍ୟ ସୁରକ୍ଷା ପ୍ରତି ସଚେତନତା ବଢ଼ାଇବାରେ ସହାୟକ ହୋଇପାରେ। ତେବେ, FSSAIର ଶୁଦ୍ଧତା ମୋହର ବାଜିବା ପରେ ଶ୍ରୀରାମ ମନ୍ଦିର ପ୍ରସାଦକୁ ନେଇଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।