ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ମେ' ୨୨ରେ ଦେଶର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍ ୧୮ ତାରିଖରେ ଏହି ଆସନଗୁଡ଼ିକ ପାଇଁ ଭୋଟଗ୍ରହଣ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବଗୌଡ଼ା ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଦିଗବିଜୟ ସିଂହଙ୍କ ଭଳି ବରିଷ୍ଠ ନେତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

କେଉଁ ରାଜ୍ୟରେ କେତୋଟି ଆସନ?

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦେଶର ୧୦ଟି ରାଜ୍ୟର ରାଜ୍ୟସଭା ସଦସ୍ୟମାନଙ୍କ କାର୍ଯ୍ୟକାଳ ଜୁନ୍ ୨୧ ରୁ ଜୁଲାଇ ୧୯ ତାରିଖ ମଧ୍ୟରେ ଶେଷ ହେବାକୁ ଯାଉଛି। ଏହି ରାଜ୍ୟସଭା ନିର୍ବାଚନ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକରେ ୪ଟି ଲେଖାଏ ଆସନ ପାଇଁ ହେବାକୁ ଯାଉଛି । ସେହିପରି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ୩ଟି ଲେଖାଏଁ, ଝାଡ଼ଖଣ୍ଡରେ ୨ଟି ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମରେ ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଜୁନ୍ ୮ ତାରିଖ ରଖାଯାଇଛି।

ବିଦାୟ ନେବେ କେଉଁ ଦିଗ୍ଗଜ ନେତା?

କାର୍ଯ୍ୟକାଳ ଶେଷ ହେଉଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରେ କର୍ଣ୍ଣାଟକରୁ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଓ ଦେବଗୌଡ଼ା ରହିଛନ୍ତି। ଏହା ବ୍ୟତୀତ ରାଜସ୍ଥାନରୁ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ, ମଧ୍ୟପ୍ରଦେଶରୁ ଜର୍ଜ କୁରିଆନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ତଥା କଂଗ୍ରେସ ନେତା ଶକ୍ତିସିଂହ ଗୋହିଲଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି

ମହାରାଷ୍ଟ୍ର ଓ ତାମିଲନାଡୁରେ ଉପନିର୍ବାଚନ

ଏହା ସହ ଇସିଆଇ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପୱାର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବା ପରେ ରାଜ୍ୟସଭା ଆସନରୁ ଇସ୍ତଫା ଦେଇଥିଲେ, ଯାହା ଫଳରେ ଏହି ଆସନ ଖାଲି ପଡ଼ିଥିଲା।