ରାଜକୋଟ: ଗୁଜରାଟର ରାଜକୋଟ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସର୍ବସାଧାରଣ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଜଣେ ଯୁବକ ତାଙ୍କ ମା’ଙ୍କ ସହ ଲିଭ୍-ଇନ୍ରେ ରହୁଥିବା ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ଛୁରାମାଡ଼ କରି ହତ୍ୟା କରିଛି। ମଙ୍ଗଳବାର ଘଟିଥିବା ଏହି ସମ୍ପୂର୍ଣ୍ଣ କାଣ୍ଡ ସ୍ଥାନୀୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୩୫ ବର୍ଷୀୟ କମଳେଶ ବାଘେଲା। ଅଭିଯୁକ୍ତ ଯୁବକଙ୍କ ନାମ ଜୟନ୍ତ ବାଘେଲା (୨୦) ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡର କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତ ଜୟନ୍ତକୁ ଗିରଫ କରିବାରେ ସଫଳ ହୋଇଛି।

Also Read: ସ୍ବାମୀଙ୍କୁ ମାରିବାରେ ପ୍ରଥମ ଥର ବିଫଳ ହୋଇଥିଲେ, ଦ୍ବିତୀୟ ଥର ଇଞ୍ଜେକ୍ସନ ଦେଇଦେଲେ ନର୍ସ ପତ୍ନୀ

ଭାଇରାଲ ହେଉଥିବା ସିସିଟିଭି ଫୁଟେଜ୍ ଅନୁଯାୟୀ, ଜୟନ୍ତ ଏକ ଧାରୁଆ ଛୁରୀ ଧରି ଏକ ଗଳି ଭିତରେ କମଳେଶଙ୍କୁ ଗୋଡ଼ାଉଥିବା ଦେଖିବାକୁ ମିଳିଛି। କମଳେଶ ଜୀବନ ବିକଳରେ ଦୌଡ଼ୁଥିବା ବେଳେ ଜୟନ୍ତ ତାଙ୍କୁ କାବୁ କରି ନିର୍ଦ୍ଦୟ ଭାବେ ଏକାଧିକ ବାର ଛୁରୀ ଭୁସି ଚାଲିଥିଲା।

୧୨ ବର୍ଷର ସମ୍ପର୍କ ଓ ପୁରୁଣା ରାଗ

ପୋଲିସ ସୂଚନା ମୁତାବକ, ମୃତ କମଳେଶ ଏବଂ ଅଭିଯୁକ୍ତର ମା' ନୀତା ଗତ ୧୨ ବର୍ଷ ହେବ ଲିଭ୍-ଇନ୍ ରିଲେସନସିପ୍ରେ ରହୁଥିଲେ। କମଳେଶ ଜଣେ ଦିନମଜୁରିଆ ଭାବେ କାମ କରୁଥିଲେ ଏବଂ ଏହି ସମ୍ପର୍କ ମଧ୍ୟରେ ସେ ନୀତାଙ୍କ ଝିଅର ବାହାଘର ମଧ୍ୟ କରାଇଥିଲେ। ମୃତ କମଳେଶଙ୍କ ସାନଭାଇ କପିଳ ବାଘେଲାଙ୍କ ଅଭିଯୋଗ ଅନୁଯାୟୀ, ଜୟନ୍ତର ବାପା ଜୀବିତ ଥିବା ସମୟରୁ ହିଁ ତାଙ୍କ ମା' କମଳେଶଙ୍କ ସହ ରହିବା ଆରମ୍ଭ କରିଥିଲେ। ଏହି କାରଣରୁ ଜୟନ୍ତ ମନେ ମନେ କମଳେଶଙ୍କ ଉପରେ ପ୍ରତିଶୋଧର ନିଆଁରେ ଜଳୁଥିଲା ଏବଂ ଶେଷରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

ଅନ୍ୟ ଜଣେ ସହଯୋଗୀର ସନ୍ଧାନ ଜାରି

ସିସିଟିଭି ଫୁଟେଜ୍ରେ ହତ୍ୟାକାଣ୍ଡ ସମୟରେ ଜୟନ୍ତ ସହ ଆଉ ଜଣେ ଯୁବକ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି। ପୋଲିସ ମାମଲା ରୁଜୁ କରିବା ସହ ଫେରାର ଥିବା ସେହି ଦ୍ୱିତୀୟ ବ୍ୟକ୍ତିଜଣଙ୍କୁ ଚିହ୍ନଟ କରିବା ପାଇଁ ଏବଂ ଘଟଣାର ଅଧିକ ତଦନ୍ତ ପାଇଁ ଚଢ଼ାଉ ଜାରି ରଖିଛି।