ନୂଆଦିଲ୍ଲୀ: ତାମିଲ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମକୁ ଅଭିନେତା କମଲ୍ ହାସନ୍ ପ୍ରଡ୍ୟୁସ୍ କରିବେ ବୋଲି ସମସ୍ତେ ଜାଣିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ କିଏ ହେବେ ତାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ରହିଥିଲା । ପ୍ରଥମେ କିଛି ନାଁ ଘୋଷଣା ମଧ୍ୟ ହୋଇଥିଲା, କିନ୍ତୁ ପରେ କୌଣସି ସୂଚନା ଆସି ନ ଥିଲା । ଆଜି କମଲ ହାସନ ଘୋଷଣା କରିଛନ୍ତି ଯେ ଅଶ୍ୱଥ ମାରିମୁଥୁ, ରଜନୀକାନ୍ତଙ୍କ ସହ ମିଶି ଫିଲ୍ମର ନିର୍ଦ୍ଦେଶନା ଦେବେ ।

ଏହା ସହିତ ଫିଲ୍ମର ନାଁକୁ ନେଇ ଯେଉଁ ସସପେନ୍ସ ଥିଲା ତା' ଉପରୁ ମଧ୍ୟ ପରଦା ଉଠିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ, ଯାହାକୁ Thalaivar 173 କୁହାଯାଉଥିଲା, ବୁଧବାର ସେହି ଫିଲ୍ମର ଅଫିସିଆଲ୍ ନାଁ ‘ଧର୍ମନ' ବୋଲି ଘୋଷଣା କରାଯାଇଛି । ଫିଲ୍ମର ପ୍ରଥମ ପୋଷ୍ଟର ଚେନ୍ନାଇରେ ଆୟୋଜିତ ସମାରୋହରେ ଉନ୍ମୋଚନ କରାଯାଇଛି ।

ଏହି ଫିଲ୍ମକୁ ଅଭିନେତା ତଥା ପ୍ରଯୋଜକ କମଲ ହାସନଙ୍କ ପ୍ରଯୋଜନା ସଂସ୍ଥା 'ରାଜ୍ କମଲ ଫିଲ୍ମସ୍ ଇଣ୍ଟରନ୍ୟାସନାଲ୍' ବ୍ୟାନରରେ ନିର୍ମାଣ କରାଯାଉଛି । ଫିଲ୍ମର ନିର୍ଦ୍ଦେଶନା 'ଓ ମାଇ କାଡାଭୁଲେ' ଏବଂ 'ଡ୍ରାଗନ' ଫେମ୍ ନିର୍ଦ୍ଦେଶକ ଅଶ୍ୱଥ ମାରିମୁଥୁ କରିବେ । ଜୁନ୍ ୨୫ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି ।

'ଦି ଡେଡ୍‌ଲି ଡକ୍ଟର' ଅବତାରରେ ରଜନୀକାନ୍ତ

ରିଲିଜ୍ ହୋଇଥିବା ପ୍ରଥମ ପୋଷ୍ଟରରେ ରଜନୀକାନ୍ତଙ୍କୁ ଜଣେ ସର୍ଜନ ଅବତାରରେ ଦେଖିବାକୁ ମିଳିଛି । ସେ ନୀଳ ରଙ୍ଗର ସର୍ଜିକାଲ୍ ପୋଷାକ ପିନ୍ଧିଛନ୍ତି ଏବଂ ହାତରେ ରକ୍ତ ଭିଜା ସ୍କାଲପେଲ୍ (ଡାକ୍ତରୀ ଛୁରି) ଧରିଛନ୍ତି । ପୋଷ୍ଟରରେ ତାଙ୍କର ଟ୍ୟାଗ୍‌ଲାଇନ୍ "ଦି ଡେଡ୍‌ଲି ଡକ୍ଟର" ଲେଖାଯାଇଛି । ତାମିଲ ଭାଷାରେ ଏହାର କ୍ୟାପ୍ସନ ରହିଛି "ଧର୍ମମେ ଭେଲ୍ଲୁମ" ଯାହାର ଅର୍ଥ ହେଉଛି "ଧର୍ମର ହିଁ ଜୟ ହେବ"। ପୋଷ୍ଟର ଲୁକରୁ ଏହା ଏକ ଫ୍ୟାମିଲି ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ର ହେବ ବୋଲି ଅନୁମାନ କରାଯାଉଛି ।