ମୁମ୍ବାଇ: ସାରାଭାଇ ଭର୍ସେସ ସାରାଭାଇ ଧାରାବାହିକରେ ରୋଶେଶ ଭୂମିକାରେ ଲୋକପ୍ରିୟ ହୋଇଥିବା ରାଜେଶ କୁମାର ୨୦୧୭ ମସିହାରେ ଅଭିନୟ ଜଗତ ଛାଡ଼ି ନିଜ ଘର ବିହାରର ଗୟାକୁ ଫେରିଥିଲେ। ସେଠାରେ ସେ କୃଷି କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ପ୍ରୟାସ ପାଞ୍ଚ ବର୍ଷ ଧରି ଚାଲିଥିଲା ଏବଂ ଶେଷରେ ସେ  ପ୍ରାୟ ୨ କୋଟି ଟଙ୍କା ଋଣରେ ବୁଡ଼ି ଯାଇଥିଲେ । ସଦଗୁରୁଙ୍କ ସହ ଆଲୋଚନା ପରେ ରାଜେଶଙ୍କ କୃଷି ପ୍ରତି ଆଗ୍ରହ ବଢ଼ିଥିଲା। ପ୍ରଥମେ ସେ ସଦଗୁରୁଙ୍କ ଶିକ୍ଷା ପ୍ରତି ସମ୍ପୂର୍ଣ୍ଣ ବିଶ୍ୱାସ କରିନଥିଲେ, ମାତ୍ର ପରେ ସେ ଅନୁଗାମୀ ହୋଇ ଇଶା ଫାଉଣ୍ଡେସନର ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସଦଗୁରୁଙ୍କ “ରାଲି ଫର ରିଭର୍ସ” ଅଭିଯାନରେ ମଧ୍ୟ ସେ ସକ୍ରିୟ ଭାବରେ ଯୋଗ ଦେଇଥିଲେ। 

ସଦଗୁରୁଙ୍କ ଏକ ବାଣୀ ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। ସେ କହିଥିଲେ, ‘ସଦଗୁରୁ ରାଲି ସମୟରେ ବାରମ୍ବାର କହୁଥିଲେ—ତୁମ ରାଜ୍ୟରୁ ମୋତେ ୧୦୦ ଯୁବକ ଦିଅ, ମୁଁ କୃଷିର ଚେହେରା ବଦଳାଇଦେବି। ଗାଁକୁ ଫେରିବା ପରେ ମୁଁ ସେୟା କରିଥିଲି । ଯେଉଁ ଦିନ ତୁମେ ନିଜ ବିଷୟରେ ଚିନ୍ତା କରିବା ବନ୍ଦ କର, ସେହି ଦିନଠାରୁ ଅନ୍ୟମାନଙ୍କ ବିଷୟରେ ଚିନ୍ତା ଆରମ୍ଭ ହୁଏ ଏବଂ ଅନ୍ୟମାନେ ମଧ୍ୟ ତୁମ ବିଷୟରେ ଚିନ୍ତା କରନ୍ତି।’ କୃଷକମାନଙ୍କ ସମସ୍ୟା ବୁଝିବା ପାଇଁ ସେ କେବଳ ଉପଦେଶ ଦେବା ପରିବର୍ତ୍ତେ ନିଜେ କୃଷକ ହେବାକୁ ଚାହିଁଥିଲେ। ସେ କହିଥିଲେ, ‘ଆମେ ଯେଉଁ ଶିକ୍ଷା ଓ ସୂଚନା ପାଇଛୁ, ତାହା ଦେଖି ମୁଁ ବୁଝିଲି ଯେ, କୃଷକମାନଙ୍କୁ କୀଟନାଶକ ନ ଦେବାକୁ କହିବା ଅପେକ୍ଷା ନିଜେ ସେମାନଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ଭଲ। ତେଣୁ ମୁଁ କୃଷକ ହେଲି। ଚେଷ୍ଟା କଲି ଏବଂ ବିଫଳ ହେଲି। ମାତ୍ର ସଦଗୁରୁଙ୍କ କୃପାରେ ମୁଁ ଏହାକୁ ବିଫଳତା ବୋଲି କହୁନାହିଁ। ମୁଁ ବହୁତ କିଛି ଶିଖିଛି।’

ରାଜେଶଙ୍କ କୃଷି ଯାତ୍ରା ସହଜ ନଥିଲା। କୃଷି, ଜମି ଓ ମାଟି ବୁଝିବାକୁ ତାଙ୍କୁ ପ୍ରାୟ ପାଞ୍ଚ ବର୍ଷ ଲାଗିଥିଲା। ପ୍ରଥମେ ସେ ଗଛ ଲଗାଇଥିଲେ, ମାତ୍ର ୩୫ ବର୍ଷ ପରେ ଆସିଥିବା ବନ୍ୟାରେ ସବୁ ଧୋଇ ହୋଇଯାଇଥିଲା। ପୁଣି ସେ ୧୫,୦୦୦ ଗଛ ଲଗାଇଥିଲେ, ମାତ୍ର କୋଭିଡ-୧୯ ମହାମାରୀ ବାଧା ସୃଷ୍ଟି କରିଥିଲା। ଶେଷ ଚେଷ୍ଟାରେ ଭୂଗର୍ଭ ଜଳସ୍ତର ଅଦୃଶ୍ୟ ହୋଇଯାଇଥିଲା। ୫୦୦ ଫୁଟ ଗଭୀର ବୋରୱେଲ ଖୋଳିଲେ ମଧ୍ୟ ଏକ ବୁନ୍ଦା ପାଣି ମିଳିନଥିଲା। ଋଣ ଓ ଆୟର ଅଭାବ ସତ୍ତ୍ୱେ ସେ କହିଥିଲେ, ‘ଆଧ୍ୟାତ୍ମିକତା ଯୋଗୁଁ ମୁଁ କେବେ ହେଲେ ହତାଶ ହୋଇନଥିଲି। କିଛି ହେଉନଥିଲା, ମାତ୍ର ମୋର ପ୍ରୟାସ ବନ୍ଦ ହୋଇନଥିଲା। ଏହା ହିଁ ଆଧ୍ୟାତ୍ମିକତା।’ 

ଆର୍ଥିକ ସଙ୍କଟ ସମୟରେ ସେ ନିଜ ପୁଅର ସ୍କୁଲ ବାହାରେ ପନିପରିବା ମଧ୍ୟ ବିକ୍ରି କରିଥିଲେ । ଏହି ପ୍ରୟାସରେ ରାଜେଶ ପ୍ରାୟ ୨ କୋଟି ଟଙ୍କା ଋଣରେ ପଡ଼ିଥିଲେ। ଆୟ ନଥିଲା ଏବଂ ସମସ୍ତ ସଞ୍ଚୟ ଶେଷ ହୋଇଯାଇଥିଲା। ସେ କହିଥିଲେ, ‘ଦୀର୍ଘ ସମୟ ଧରି ଦେବାଳିଆ ହେବା ଭଳି ଅନୁଭବ ହେଉଥିଲା। ବଞ୍ଚିବା ପାଇଁ ମଧ୍ୟ ଟଙ୍କା ଉପାର୍ଜନ କରିପାରୁନଥିଲି।’ ବର୍ତ୍ତମାନ ତାଙ୍କ ଅବସ୍ଥା ଉନ୍ନତ ହୋଇଛି। ଋଣ ପରିମାଣ କମି ପ୍ରାୟ ୨୦ ଲକ୍ଷ ଟଙ୍କା ରହିଛି। ସେ କହିଛନ୍ତି, ‘ମୁଁ ସେହି ଆର୍ଥିକ ଅଭାବରୁ ବାହାରି ଆସିଛି।’ ରାଜେଶ କୁମାର ସାରାଭାଇ ଭର୍ସେସ ସାରାଭାଇ ଧାରାବାହିକ ମାଧ୍ୟମରେ ପ୍ରସିଦ୍ଧି ପାଇଥିଲେ। କୃଷି ପରେ ସେ ଧୀରେ ଧୀରେ ଅଭିନୟକୁ ଫେରିଛନ୍ତି।  ସେ ସାଇୟାରା, ହାଏ ଜବାନୀ ତୋ ଇଶ୍କ ହୋନା ହୈ ଏବଂ ନିଶାଞ୍ଚି ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି ।