ଜୟପୁର: ରାଜସ୍ଥାନର ଡିଡୱାନା-କୁଚାମନ୍ ଜିଲ୍ଲାର ପରବତ୍ସର ମ୍ୟୁନିସିପାଲଟି ନିର୍ବାଚନର ଗୋଟିଏ ଫଳାଫଳ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଦୁଇ ଅଲଗା ଅଲଗା ୱାର୍ଡରେ ବିଜେପି ଏବଂ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ପ୍ରାର୍ଥୀଙ୍କୁ ମାତ୍ର ଗୋଟିଏ ଲେଖାଏଁ ଭୋଟ୍ ମିଳିଛି । ବଡ଼ କଥା ହେଉଛି, ବିଜେପି ପ୍ରାର୍ଥୀ କୈଳାସ ଚନ୍ଦ୍ର ଯେଉଁ ୱାର୍ଡରୁ ନିର୍ବାଚନ ଲଢ଼ୁଥିଲେ, ସେଠାରେ ତାଙ୍କର ନିଜର ଭୋଟ୍ ବି ନଥିଲା ।

ରାଜସ୍ଥାନ ପୌର ନିର୍ବାଚନରେ ପରବତ୍ସର ନଗର ନିଗମର ଏହି ଘଟଣା ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛି । ୱାର୍ଡ ନମ୍ବର ୧୩ରୁ ବିଜେପି ପ୍ରାର୍ଥୀ କୈଳାସ ଚନ୍ଦ୍ରଙ୍କୁ ମାତ୍ର ଗୋଟିଏ ଭୋଟ୍ ମିଳିଥିବା ବେଳେ ୱାର୍ଡ ନମ୍ବର ୨୦ରୁ ଆରଏଲପି ପ୍ରାର୍ଥୀ ଭଁବରଲାଲ ମଧ୍ୟ ମାତ୍ର ଗୋଟିଏ ଭୋଟ୍ ମିଳିଛି । ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ପ୍ରାର୍ଥୀ କୈଳାସ ଚନ୍ଦ୍ରଙ୍କ ଗୋଟିଏ ଭୋଟକୁ ନେଇ ସବୁଠାରୁ ଅଧିକ ଆଲୋଚନା ହେଉଛି । ପ୍ରଶ୍ନ ଉଠୁଛି ଯେ ତାଙ୍କୁ କେବଳ ଗୋଟିଏ ଭୋଟ୍ କାହିଁକି ମିଳିଲା ଏବଂ ସେ ସେହି ୱାର୍ଡରୁ କାହିଁକି ନିର୍ବାଚନ ଲଢ଼ିଥିଲେ ?

ସୂଚନା ଅନୁସାରେ, କୈଳାସ ଚନ୍ଦ୍ର ୱାର୍ଡ ନମ୍ବର ୧୨ର ଭୋଟର ଅଟନ୍ତି, କିନ୍ତୁ ବିଜେପି ତାଙ୍କୁ ୱାର୍ଡ ନମ୍ବର ୧୩ରୁ ପ୍ରାର୍ଥୀ କରିଥିଲା । କୁହାଯାଉଛି ଯେ ୱାର୍ଡ ନମ୍ବର ୧୩ରେ ଦଳକୁ କୌଣସି ପ୍ରାର୍ଥୀ ମିଳୁ ନଥିଲେ । ଏଭଳି ପରିସ୍ଥିତିରେ ଦଳୀୟ ସଂଗଠନ ପକ୍ଷରୁ କୈଳାସ ଚନ୍ଦ୍ରଙ୍କୁ ୱାର୍ଡ ନମ୍ବର ୧୩ରୁ ନାମାଙ୍କନ ପତ୍ର ଦାଖଲ କରିବାକୁ କୁହାଯାଇଥିଲା । ସେ ଦଳର କଥା ମାନି ନିର୍ବାଚନ ମଇଦାନକୁ ଓହ୍ଲାଇ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ତାଙ୍କୁ ମାତ୍ର ଗୋଟିଏ ଭୋଟ୍ ମିଳିଥିଲା । ଏଠାରେ କଂଗ୍ରେସର ହିନା ଖାନମଙ୍କୁ ୩୭୬ଟି ଭୋଟ୍ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ରସିଦ୍ ଖାନ୍ ୧୯୫ଟି ଭୋଟ୍ ପାଇବାରେ ସଫଳ ହୋଇଛନ୍ତି । ଅନ୍ୟପଟେ, ପରବତ୍ସର ପୌରପାଳିକାର ୱାର୍ଡ ନମ୍ବର ୨୦ରୁ ଆରଏଲପି ପ୍ରାର୍ଥୀ ଭଁବରଲାଲଙ୍କ ଖାତାକୁ ମଧ୍ୟ ମାତ୍ର ଗୋଟିଏ ଭୋଟ୍ ଆସିଛି ।

ପରବତ୍ସର ପୌର ନିର୍ବାଚନର ଏହି 'ଗୋଟିଏ ଭୋଟ୍' ମାମଲା ସ୍ଥାନୀୟ ରାଜନୀତିରୁ ନେଇ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଚର୍ଚ୍ଚାରେ ଅଛି । ବିଶେଷ କରି ବିଜେପି ପ୍ରାର୍ଥୀ କୈଳାସ ଚନ୍ଦ୍ର ନିଜେ ନିଜକୁ ଭୋଟ୍ ଦେଇ ନପାରିବା ଏହି ସମ୍ପୂର୍ଣ୍ଣ ନିର୍ବାଚନୀ ଫଳାଫଳକୁ ଆହୁରି ରୋଚକ କରିଦେଇଛି ।