ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ମୁଖ୍ୟ ଅଭିଯୁକ୍ତ ଏବଂ ମୃତକଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କୁ ଶିଲଂ ସେସନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏନେଇ ମୃତକଙ୍କ ଭାଇ ବିପିନ ରଘୁବଂଶୀ ସ୍ପଷ୍ଟ କରିଛନ୍ତି। ପ୍ରାୟ ୧୧ ମାସ ପରେ ସୋନମଙ୍କୁ ଜାମିନ ମିଳିଛି, କିନ୍ତୁ ଏଥିପାଇଁ ମୃତକଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛି ।

ମେ’ ୨୦୨୫ରେ ମେଘାଳୟର ସିଲଂରେ ହନିମୁନ ପାଇଁ ଯାଇଥିବା ବେଳେ ରାଜା ରଘୁବଂଶୀଙ୍କ ହତ୍ୟା କରାଯାଇଥିଲା । ସ୍ତ୍ରୀ ସୋନମ ନିଜ ପ୍ରେମିକ ରାଜ କୁଶୱାହା ଏବଂ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ସ୍ବାମୀ ରାଜାଙ୍କୁ ହତ୍ୟା କରି ଖାଇକୁ ଫିଙ୍ଗି ଦେଇଥିଲେ । ହତ୍ୟା ପରେ, ସୋନମ ଉତ୍ତର ପ୍ରଦେଶରେ ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କୁ ଶିଲଂ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ୩୦ ଦିନର ତଦନ୍ତ ପରେ, ପୋଲିସ ମାମଲାର ସମାଧାନ କରିଥିଲା ଏବଂ ସୋନମ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

ହତ୍ୟା ମାମଲାର ଅନ୍ୟ ଅଭିଯୁକ୍ତମାନେ ଏବେ ବି ନ୍ୟାୟିକ ହେପାଜତରେ ଅଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ମାମଲାର ଦିଗ ଏବଂ ନ୍ୟାୟିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି। ସୋନମ ରଘୁବଂଶୀଙ୍କ ଜାମିନ ପରେ, କୋର୍ଟ କାର୍ଯ୍ୟ କେଉଁ ଦିଗକୁ ଯିବ, ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ ହେବ। ଏହାରି ମଧ୍ୟରେ ମୃତକଙ୍କ ପରିବାର କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରନ୍ତି।

Also Read: Raja Raghuvanshi Rebirth: ହତ୍ୟାର ୯ ମାସ ପରେ ରାଜା ରଘୁବଂଶୀଙ୍କ କମ୍ବ୍ୟାକ୍ ! ସମୟ ଏବଂ ଦିନର ଅଦ୍ଭୁତ ସଂଯୋଗ, ମାଆ କହିଲେ-ମୋ ପୁଅ ଫେରିଲା

କେବଳ ସୋନମଙ୍କୁ ଜାମିନ୍

ମିଳିଥିବା ରିପୋର୍ଟ ଅନୁସାରେ, ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତମାନେ: ରାଜ କୁଶୱାହା, ଆକାଶ ରାଜପୁତ, ଆନନ୍ଦ କୁର୍ମି ଏବଂ ବିଶାଲ ସିଂହ ଚୌହାନ ଜାମିନ ଆବେଦନ ଦାଖଲ କରିନାହାନ୍ତି। କେବଳ ସୋନମ ରଘୁବଂଶୀ କୋର୍ଟରେ ଜାମିନ ଆବେଦନ ଦାଖଲ କରିଥିଲେ । ହତ୍ୟା ମାମଲାରେ ସୋନମ ପୋଲିସକୁ ସହଯୋଗ କରିଛନ୍ତି ଏବଂ ଆଗକୁ ସହଯୋଗ କରିବେ ବୋଲି ଜାମିନ ଆବେଦନରେ ଯୁକ୍ତି ଦିଆଯାଇଥିଲା ।

୭୯୦ ପୃଷ୍ଠାର ଚାର୍ଜସିଟ୍‌

ଉଲ୍ଲେଖନୀୟ ଯେ, ମେଘାଳୟ ପୋଲିସର ସ୍ୱତନ୍ତ୍ର ତଦନ୍ତ ଟିମ୍ ଏହି ମାମଲାରେ କୋର୍ଟରେ ୭୯୦ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଥିଲା । ଚାର୍ଜସିଟରେ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ ରଘୁବଂଶୀ ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହାଙ୍କୁ ହତ୍ୟା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାବରେ ନାମିତ କରାଯାଇଥିଲା। ପୋଲିସ ଅନୁଯାୟୀ, ଅନ୍ୟ ତିନି ଅଭିଯୁକ୍ତ ଷଡ଼ଯନ୍ତ୍ରରେ ସାମିଲ ଥିଲେ ।