ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଂଗ୍ରେସ ପାର୍ଟିର ୧୦-୧୫ ଜଣିଆ ପ୍ରତିନିଧିଙ୍କୁ ପରିସରରେ ଥିବା ଫାଇଲିଂ କାଉଣ୍ଟର ପର୍ଯ୍ୟନ୍ତ ଯିବାକୁ ଅନୁମତି ଦେଇଛନ୍ତି। ତେବେ ଏହି ପ୍ରତିନିଧି ମଣ୍ଡଳ ନିଜ ପିଟିସନ ଦାଖଲ କରିବାକୁ ହାଇସିକ୍ୟୁରିଟି ଜୋନ ବାହାରେ ରହିବେ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ପୂର୍ବ ନିର୍ଦ୍ଧାରିତ ସୁପ୍ରିମକୋର୍ଟ ମାର୍ଚ୍ଚ ଅଭିଯାନ ଚଳାଇଛନ୍ତି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ବିରୋଧୀ ଦଳ ନେତା ସୁପ୍ରିମକୋର୍ଟ ଯାଉଛନ୍ତି।

କଂଗ୍ରେସ ‘ଚଲୋ ଦିଲ୍ଲୀ’ ମାର୍ଚ୍ଚର ଆହ୍ୱାନ ଦେଇଥିଲା। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀ ବିରୋଧରେ କନ୍ନଟ ପ୍ଲେସ୍ ରୁ ବିଶାଳ ଶୋଭାଯାତ୍ରା ସୁପ୍ରିମକୋର୍ଟ ପହଞ୍ଚିବ। ବିରୋଧୀ ଦଳଙ୍କ ଏହି ପ୍ରସଙ୍ଗକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସହମତି ଦେଇ ନାହାନ୍ତି। ଏହା ସତ୍ତ୍ୱେ ବିରୋଧୀ ଦଳ ନିଜର ବିରୋଧ ପ୍ରଦର୍ଶନ ଆୟୋଜନ କରିଛନ୍ତି। ସୁପ୍ରିମକୋର୍ଟ ମାର୍ଚ୍ଚ ପୂର୍ବରୁ ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହା ଛଡା ସେ ଏକ୍ସ ରେ ମଧ୍ୟ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଦେଶବାସୀଙ୍କୁ ଦିଲ୍ଲୀଚଲୋ ଆହ୍ୱାନ ଦେଇଥିଲେ।

ବିରୋଧୀ ଦଳଙ୍କୁ ଭେଟିବାକୁ ସିଜେଆଇ ମନା କରିଦେଇଥିଲେ। ସିଜେଆଇ ସୂର୍ଯ୍ୟକାନ୍ତ ସୋମବାର କହିଛନ୍ତି ଯେ ସବୁ ଭାରତୀୟ ନାଗରିକଙ୍କୁ କୋର୍ଟ ଯିବାକୁ ଅଧିକାର ଅଛି ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା ସମସ୍ତଙ୍କ ପାଇଁ ଖୋଲା। ସେହିପରି ଇଣ୍ଡି ମେଣ୍ଟର ଦାବି ସମ୍ପର୍କରେ କହିବାକୁ ଯାଇ ସିଜେଆଇ କହିଛନ୍ତି ଯେ ତାଙ୍କୁ ରବିବାର ଏକ ପତ୍ର ମିଳିଥିଲା ଓ ସେ ଏହାର ଉତ୍ତର ଗତ ରାତିରେ ହିଁ ଦେଇଛନ୍ତି। ଏଥିରେ ପ୍ରତିନିଧି ଦଳଙ୍କୁ ସେ କାହିଁକି ଭେଟିବେନି ସ୍ପଷ୍ଟ କରିଥିଲେ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାର ସମସ୍ତଙ୍କ ଲାଗି ଖୋଲା । ଯେ କୌଣସି ନାଗରିକ, ନିର୍ବାଚିତ ସଂସ୍ଥାଙ୍କ ସଦସ୍ୟଙ୍କ ଯେ କୌଣସି ପିଟିସନକୁ ସ୍ୱାଗତ । କୋର୍ଟକୁ ଯିବାକୁ ସବୁ ଭାରତୀୟ ନାଗରିକଙ୍କ ଅଧିକାର ରହିଛି, ଆମେ ସେମାନଙ୍କ ଉଦବେଗ ଶୁଣିବୁ ଓ ଆଇନରେ ଯାହା ବି ସମ୍ଭବ କରିବୁ।