ନୂଆଦିଲ୍ଲୀ: ରକ୍ଷାବନ୍ଧନର ଏକ ବିଜ୍ଞାପନରେ ଅଭିନେତ୍ରୀ କ୍ରୀତି ସାନନଙ୍କ ପୋଷାକକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ବିବାଦ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ନାରୀ ସ୍ୱାଧୀନତାକୁ ସମର୍ଥନ କରି ରାହୁଲ କହିଛନ୍ତି ଯେ, ‘ଜଣେ ମହିଳା କ’ଣ ପିନ୍ଧିବେ, ତାହା ତାଙ୍କର ନିଜସ୍ୱ ପସନ୍ଦ।’

ରାହୁଲ ଗାନ୍ଧୀ କ୍ରୀତି ସାନନଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀକୁ ନିଜ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ‘ଜଣେ ମହିଳା କ’ଣ ପିନ୍ଧିବେ, କ’ଣ କରିବେ ଏବଂ କେଉଁଠାକୁ ଯିବେ - ତାହା ତାଙ୍କର ନିଜସ୍ୱ ଅଧୀକାର। ମହିଳାମାନେ ନିଜ ସ୍ୱାଧୀନତାରେ ବଞ୍ଚୁଥିବା ବେଳେ ସେମାନଙ୍କୁ ଟ୍ରୋଲ୍ କରିବା ବନ୍ଦ କରନ୍ତୁ।’ ଏହାସହ ସେ "#SmashThePatriarchy" ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି।

 ଜିଭା (GIVA) ଜୁଏଲେରୀର ରକ୍ଷାବନ୍ଧନ ବିଜ୍ଞାପନରେ କ୍ରୀତି ଏକ ବ୍ରାଲେଟ୍-ଷ୍ଟାଇଲ୍ ବ୍ଲାଉଜ୍, କେପ୍ ଏବଂ ଡ୍ରେପ୍ଡ ସ୍କର୍ଟ ପିନ୍ଧି ନିଜ ଅନ୍-ସ୍କ୍ରିନ୍ ଭାଇଙ୍କୁ ରାଖୀ ବାନ୍ଧୁଥିବାର ଦେଖାଯାଇଥିଲା। ଏହି ପୋଷାକକୁ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ପର୍ବ ପାଇଁ ‘ଅଶୋଭନୀୟ’ ବୋଲି କହି ସମାଲୋଚନା କରିଥିଲେ।

 ନିଜ ପୋଷାକ ଏବଂ ପୋଷା କୁକୁରକୁ ରାଖୀ ବାନ୍ଧିବା ନେଇ ହୋଇଥିବା ସମାଲୋଚନାର ଉତ୍ତର ଦେଇ କ୍ରୀତି ଲେଖିଥିଲେ, ‘ପର୍ବପର୍ବାଣୀର ପ୍ରକୃତ ସାରମର୍ମ ପୋଷାକରେ ନୁହେଁ, ବରଂ ପରମ୍ପରା ପ୍ରତି ଥିବା ଭାବନାରେ ଥାଏ। ଆମେ କେବେ ମହିଳାମାନଙ୍କୁ କ’ଣ ପିନ୍ଧିବେ ତାହା କହିବା ବନ୍ଦ କରିବା ? ଜଣେ ମହିଳାର ସଂସ୍କୃତି ତାଙ୍କର ହୃଦୟରେ ଥାଏ, ତାଙ୍କ ପୋଷାକରେ ନୁହେଁ।’

ଅନ୍ୟପଟେ ବିଜେପି ସାଂସଦ ଏବଂ ଅଭିନେତ୍ରୀ କଙ୍ଗନା ରଣାୱତ  ପରୋକ୍ଷରେ କ୍ରୀତିଙ୍କୁ ସମାଲୋଚନା କରି ଲେଖିଥିଲେ ଯେ, ‘ଆଜିକାଲି ମହିଳାଙ୍କ ପାଖରେ ଅନେକ ପୋଷାକର ବିକଳ୍ପ ଅଛି। କକଟେଲ୍ ଡ୍ରେସ୍‌ରୁ ନେଇ ଶାଢ଼ୀ, ଲେହେଙ୍ଗା ପର୍ଯ୍ୟନ୍ତ ସବୁ ବିକଳ୍ପ ଥାଉ ଥାଉ ଭାଇକୁ ରାଖୀ ବାନ୍ଧିବା ବେଳେ ବିକିନି କିମ୍ବା ଅନ୍ତଃବସ୍ତ୍ର ପିନ୍ଧିବାର ଆବଶ୍ୟକତା କ’ଣ ?’