ନୂଆଦିଲ୍ଲୀ: ବାପାଙ୍କ ରାସ୍ତାରେ ପୁଅ । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା 'ଦ ୱାଲ୍' ଭାବେ ପରିଚିତ ରାହୁଲ ଦ୍ରାବିଡ଼ଙ୍କ ପରେ ଏବେ ତାଙ୍କ ପୁଆ ମଧ୍ୟ ସମାନ ପଥ ଅନୁସରଣ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଅଣ୍ଡର-୧୯ ଦିନିକିଆ ମ୍ୟାଚରେ ଦଳ ସଙ୍କଟରେ ଥିବା ବେଳେ ଦ୍ରାବିଡ଼ଙ୍କ ପୁଅ ଅନ୍ୱୟ ଏକ ଦମଦାର ଇନିଂସ ଖେଳି ଭାରତ ପାଇଁ ସଙ୍କଟମୋଚକ ସାଜିଛନ୍ତି । ଏହା ସହିତ ସେ ନିଜ ଅଣ୍ଡର-୧୯ କ୍ରିକେଟ୍ କ୍ୟାରିୟରର ସବୁଠାରୁ ବଡ଼ ସ୍କୋର ମଧ୍ୟ କରିଛନ୍ତି ।

ବିପର୍ଯ୍ୟୟ ବେଳେ ସମ୍ଭାଳିଲେ ଇନିଂସ

ହମ୍ବନଟୋଟା ମୈଦାନରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଟିମର ଆରମ୍ଭ ଖରାପ ରହିଥିଲା । ଦଳୀୟ ସ୍କୋର ୧୦୦ ରନ୍ ଭିତରେ ହିଁ ଶୀର୍ଷ କ୍ରମର ୪ ଜଣ ବ୍ୟାଟରଙ୍କୁ ହରାଇଥିଲା । ମାତ୍ର ୮୧ ରନ୍ରେ ୪ ୱିକେଟ୍ ହରାଇ ଭାରତୀୟ ଦଳ ଚାପରେ ଥିବା ବେଳେ ମିଡିଲ୍ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିଲେ ଅନ୍ୱୟ । ସେ କେବଳ ସ୍କୋର ବୋର୍ଡକୁ ଆଗକୁ ବଢ଼ାଇ ନଥିଲେ, ବରଂ ଅର୍ଜୁନ ରାଜପୁତଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୧୪୫ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଶତକୀୟ ଭାଗିଦାରୀ କରିଥିଲେ । ଏହି ଯୋଡ଼ି ବଳରେ ଭାରତୀୟ ଦଳ ସୁଦୃଢ଼ ସ୍ଥିତିରେ ପହଞ୍ଚିପାରିଥିଲା ।

୪୭ ବଲରେ ପ୍ରଥମ ଅର୍ଦ୍ଧଶତକ

ପଡ଼ିଆରେ ନିଜ ବାପାଙ୍କ ଧୈର୍ଯ୍ୟର ଝଲକ ଦେଖାଇ ଅନ୍ୱୟ ମାତ୍ର ୪୭ଟି ବଲରେ ନିଜ ଅଣ୍ଡର-୧୯ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କର ଏହି ଚମତ୍କାର ଇନିଂସରେ ୪ଟି ଚୌକା ଏବଂ ୧ଟି ଛକା ସାମିଲ ଥିଲା । ସେପଟେ ତାଙ୍କ ସହଯୋଗୀ ଅର୍ଜୁନ ରାଜପୁତ ୭୬ ରନ୍ କରି ରନ୍ ଆଉଟ୍ ହେବା ଫଳରେ ଏହି ପାର୍ଟନରସିପ୍ ଭାଙ୍ଗିଥିଲା, କିନ୍ତୁ ଅନ୍ୱୟ ନିଜର ଦମଦାର ବ୍ୟାଟିଂ ଜାରି ରଖିଥିଲେ । ଅନ୍ୱୟ ଆଉଟ୍ ହେବା ପରେ ଭାରତୀୟ ଦଳ ୪୭.୨ ଓଭରରେ ୨୮୫ ରନ୍ କରିବାରେ ସକ୍ଷମ ହୋଇଥିଲା ।