ନୂଆଦିଲ୍ଲୀ, ୨୩।୦୭ : ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଅବସରକୁ ନେଇ କିଛି ଦିନ ତଳେ ଚର୍ଚ୍ଚା ଜୋର୍ ଧରିଥିଲା । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ତାଙ୍କର ଶେଷ ସିରିଜ୍ ବୋଲି ଅନେକ କହିଲେ । ଏପରିକି ଲର୍ଡସରେ ସେ ଶେଷ ମ୍ୟାଚ୍ ଖେଳିବେ ବୋଲି ଖବର ଆସିଲା । କିନ୍ତୁ ତୃତୀୟ ଦିନିକିଆରେ ହିଟମ୍ୟାନ୍ ଇତିହାସ ରଚିଥିଲେ । ଶତକ ଲଗାଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ । ଏପରିକି ବିସିସିଆଇ ସଚିବ ଦେବଜିତ ସାଇକିୟା ମଧ୍ୟ ରୋହିତ ଏବେ ଅବସର ନେବେନି ବୋଲି କହିଲେ । ଯାହା ପରେ ମାମଲା ଥଣ୍ଡା ପଡ଼ିଥିଲା ।

Also Read :- ପୋଖରୀରେ ଖସି ପଡିଲା ବରଯାତ୍ରୀ ଗାଡି଼, ୫ ମୃତ

ତେବେ ରୋହିତଙ୍କ ଅବସର ଗୁଜବକୁ ବିସିସିଆଇର ଅନେକ ଅଧିକାରୀ ଗୁଜବ ବୋଲି କହୁଛନ୍ତି । ଏହା କେବଳ ମିଡିଆ ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ବୋଲି ସେମାନଙ୍କ ମତ । କିନ୍ତୁ ଏହା କେବଳ ଗୁଜବରେ ସୀମିତ ନୁହେଁ ବୋଲି ଭାରତୀୟ ଦଳର ପୂର୍ବତନ ଷ୍ଟାର୍ ସ୍ପିନର୍ ଆର ଅଶ୍ୱୀନ ପ୍ରକାଶ କରିଛନ୍ତି ।

ଅଶ୍ୱୀନ କହିଛନ୍ତି ଯେ, ଅବସର ଚର୍ଚ୍ଚାରେ ରୋହିତ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ପ୍ରଥମେ ତାଙ୍କ ଅବସର ନେଇ ଖବର ଆସିଲା । ବିସିସିଆଇ ଏହାକୁ କେବଳ ଚର୍ଚ୍ଚା ବୋଲି କହୁଛି । କିନ୍ତୁ ନିଆଁ ନଥିଲେ ଧୂଆଁ ବାହାରେନି । ନିଆଁ ଥିଲା । କିନ୍ତୁ ରୋହିତ ରନ୍ କରିଥିଲେ । ଏବେବି ସେ ଶତକ ଲଗାଇପାରିବେ ବୋଲି ପ୍ରମାଣିତ କରିଦେଲେ । ୨୦୨୭ ବିଶ୍ୱକପ୍ ଖେଳିବା ନେଇ ତାଙ୍କ ମନରେ ଆଉ କିଛି ସନ୍ଦେହ ନଥିବ । କାରଣ ସେ କେତେବେଳେ ବି ଭଲ ବ୍ୟାଟିଂ କରିପାରିବେ ।

ସବୁଠାରୁ ବଡ କଥା ହେଉଛି ଯେ, ମୁକାବିଲାରେ ରୋହିତଙ୍କୁ ସାମାନ୍ୟ ଯନ୍ତ୍ରଣା ହେଉଥିଲା । ଯଦି ସେ ଠିକ୍ ଥାଆନ୍ତେ ତାହାଲେ ନିଶ୍ଚୟ ୧୮୦ ରନ୍ ସ୍କୋର୍ କରିଥାନ୍ତେ । ଭାରତୀୟ ଦଳ ମଧ୍ୟ ସିରିଜ୍ ଜିତିପାରିଥାନ୍ତା । ବିସିସିଆଇ ରୋହିତ ଶର୍ମା କିମ୍ବା ବିରାଟ କୋହଲିଙ୍କୁ ଅବସର ନେବାକୁ ବାଧ୍ୟ. କରିପାରିବ ନାହିଁ । ସେମାନେ ଦଳ ପାଇଁ ଯାହା କରିଛନ୍ତି ତାହାର କେହି ବିକଳ୍ପ ନାହାଁନ୍ତି । ରୋହିତ ୧୨ ହଜାରରୁ ଅଧିକ ରନ୍ କରିଛନ୍ତି । ଫ୍ୟାନ୍ସମାନେ ତାଙ୍କୁ ପଡିଆରେ ଦେଖିବାକୁ ପସନ୍ଦ କରନ୍ତି ବୋଲି ଅଶ୍ୱିନ୍ କହିଛନ୍ତି ।