ପୁଣେ: ମହାରାଷ୍ଟ୍ରର ପୁଣେ ସହର ନିକଟସ୍ଥ ଐତିହାସିକ ସିଂହଗଡ଼ ଦୁର୍ଗ ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକଙ୍କୁ ସେମାନଙ୍କ ପୋଷାକକୁ ନେଇ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ ପୋଲିସ ୮ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୋଲିସ ସୂଚନା ଅନୁସାରେ, ଏହି ଘଟଣାଟି ଛତ୍ରପତି ଶିବାଜୀ ମହାରାଜଙ୍କ ସେନାପତି ତାନାଜୀ ମାଲୁସରେଙ୍କ ସମାଧି ପୀଠ ନିକଟରେ ଘଟିଥିଲା । ପୁଣେର ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହ ଦୁର୍ଗ ବୁଲିବାକୁ ଯାଇଥିଲେ । ସେଠାରୁ ସେମାନେ ଫେରିବା ବେଳେ ଏକ ସଂଗଠନର କିଛି ସଦସ୍ୟ ସେମାନଙ୍କ ପାଖକୁ ଆସିସ ସେମାନେ ପିନ୍ଧିଥିବା ପୋଷାକକୁ ନେଇ ଆପତ୍ତି କରିଥିଲେ ।

ଅଭିଯୋଗକାରୀଙ୍କ ଅନୁସାରେ, ଆକ୍ରମଣକାରୀ ପଚାରିଥିଲେ, "ତୁମେମାନେ ସର୍ଟ୍ସ ପ୍ୟାଣ୍ଟ କାହିଁକି ପିନ୍ଧିଛ ? ତୁମକୁ ହିନ୍ଦୁ ସଂସ୍କୃତି ଜଣା ନାହିଁ କି ?" ଏହା ପରେ ଯୁକ୍ତିତର୍କ ବଢ଼ିଯାଇଥିଲା । ସଂଗଠନର ତିନିଜଣ ପୁରୁଷ ଅଭିଯୋଗକାରୀଙ୍କୁ ଚାପୁଡ଼ା ମାରିଥିବା ବେଳେ ଜଣେ ମହିଳା ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ଘୋଷାଡ଼ିଥିଲେ । କେବଳ ଏହି ଗୋଟିଏ ପରିବାର ନୁହେଁ, ସେହି ଦିନ ସମାନ କାରଣରୁ ଅନ୍ୟ ତିନୋଟି ପର୍ଯ୍ୟଟକ ଗୋଷ୍ଠୀ ସହ ମଧ୍ୟ  ମାରପିଟ୍ କରାଯାଇଥିଲା ।

ପୀଡ଼ିତ ପର୍ଯ୍ୟଟକମାନେ ଏନେଇ ପୋଲିସ ପେଟ୍ରୋଲିଂ ଟିମକୁ ଜଣାଇବା ପରେ ହାବେଳି ପୋଲିସ ଷ୍ଟେସନରେ ଏକ ଏଫଆଇଆର୍ ଦେଇଥିଲେ । ପୋଲିସ ସଂଗଠନର ୮ ଜଣ ସଦସ୍ୟଙ୍କ ନାମରେ ମାମଲା ରୁଜୁ କରିଛି, ଯେଉଁଥିରେ ୩ ଜଣ ମହିଳା ମଧ୍ୟ ଅଛନ୍ତି । ସେମାନଙ୍କ ବିରୋଧରେ ଆକ୍ରମଣ, ବେଆଇନ ଭାବେ ଏକତ୍ରିତ ହେବା, ଦଙ୍ଗା ସୃଷ୍ଟି କରିବା ଏବଂ ଧମକ ଦେବା ଭଳି ଧାରାରେ କେସ୍ ରୁଜୁ କରାଯାଇଛି । ପୋଲିସ ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଛାନଭିନ୍ ଚଳାଇଛି ।