ପୁଣେ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦେଶବ୍ୟାପୀ ଛାତ୍ର ସମ୍ପର୍କ କାର୍ଯ୍ୟକ୍ରମ ‘ଛାତ୍ରୋଁ କି ଗୁଞ୍ଜ’ ଲାଗି ପୁଣେ ପୋଲିସ ସସର୍ତ୍ତ ଅନୁମତି ଦେଇଛି। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୨୨ ତାରିଖ ଦିନ ପୁଣେ ଏସଏସପିଏମଏସ୍ କଲେଜ ଗ୍ରାଉଣ୍ଡରେ ଅପରାହ୍ନ ସାଢେ ୪ଟାରୁ ରାତି ସାଢେ ୯ଟା ମଧ୍ୟରେ ଅନୁଷ୍ଠିତ ହେବ। ତେବେ ରାହୁଲଙ୍କ କାର୍ଯ୍ୟକ୍ରମ ଲାଗି ପୋଲିସ ଡିସିପି ଜୋନ-୫ ରାଜଲକ୍ଷ୍ମୀ ଶିଭଙ୍କର ଆଇନଶୃଙ୍ଖଳା ଓ ସୁରକ୍ଷା କାୟମ ରଖିବା ଲାଗି ୩୦ଟି ଅନିବାର୍ଯ୍ୟ ନିୟମ ରଖାଯାଇଥିବା କହିଛନ୍ତି।

ଏହି ସବୁ ନିୟମରେ ଆପତ୍ତିଜନକ ଛବି, ବ୍ୟାନର ଅଥବା ପୋଷ୍ଟର ପ୍ରଦର୍ଶନ କଡ଼ାକଡ଼ି ମନା କରାଯାଇଛି। ସେହିପରି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଯେପରି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ନଲାଗେ ସେ ନେଇ ପୋଲିସ ଆୟୋଜକଙ୍କୁ ସତର୍କ କରିଛି। ଏହା ଛଡା ସର୍ତ୍ତରେ କାର୍ଯ୍ୟକ୍ରମ ସ୍ଥଳର କ୍ଷମତାଠାରୁ ଯେପରି ଅଧିକ ଲୋକ ଠୁଳ ନ ହୁଅନ୍ତି ଏହି ସର୍ତ୍ତ ମଧ୍ୟ ରଖା ଯାଇଛି। ପୋଲିସ ସର୍ତ୍ତ ଅନୁସାରେ ଆୟୋଜକଙ୍କୁ ଅନୁନ୍ୟ ୪ଟି ଅଲଗା ଅଲଗା ଏଣ୍ଟ୍ରି ଏଗଜିଟ୍ ଫାଟକ ନିର୍ମାଣ ତଥା ପୁରୁଷ ଓ ମହିଳାଙ୍କ ବସିବା ଲାଗି ଅଲଗା ଅଲଗା ସ୍ଥାନ ନିରୁପଣ କରିବାକୁ କୁହାଯାଇଛି।

ସେହିପରି ଏଣ୍ଟ୍ରି ପଏଣ୍ଟରେ ମହିଳା ଆଟେଣ୍ଡିଜ୍ ଙ୍କ ତଲାସ ନିମନ୍ତେ ଅବରୋଧ ଜାଗା ନିର୍ମାଣ କରିବାକୁ, ପ୍ରାଇଭେଟ୍ ସିକ୍ୟୁରିଟିଙ୍କ ସହଯୋଗ ଲାଗି ବହୁ ସଂଖ୍ୟାରେ ମହିଳା ଭଲେଣ୍ଟିୟର୍ସଙ୍କୁ ନିୟୋଜିତ କରିବାକୁ ଆୟୋଜକଙ୍କୁ କୁହାଯାଇଛି। ଏହି କାର୍ଯ୍ୟକ୍ରମର ଫଟୋଗ୍ରାଫି ଓ ଭିଡିଓ ଗ୍ରାଫି ନିମନ୍ତେ ଡ୍ରୋନ କ୍ୟାମେରା ଉପଯୋଗ ନିଷିଦ୍ଧ କରାଯାଇଛି। ସେହିପରି ବୀମ ଲାଇଟ୍ ଉପଯୋଗ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହା ଛଡା କାର୍ଯ୍ୟକ୍ରମ କାଳରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ଧ୍ୱନୀ ସ୍ତର ସମ୍ପର୍କିତ କଟକଣା ପାଳନ କରିବାକୁ ମଧ୍ୟ କୁହାଯାଇଛି। ସେହିପରି କାର୍ଯ୍ୟକର୍ତ୍ତାଙ୍କୁ କାର୍ଯ୍ୟକ୍ରମ ପୂର୍ବରୁ ଅଗ୍ନିସମ ବିଭାଗ ଓ ଯାତାୟାତ ବିଭାଗରୁ ଅନାପତି ପ୍ରମାଣପତ୍ର ସଂଗ୍ରହ କରିବାକୁ ମଧ୍ୟ କୁହାଯାଇଛି।

ପୁଣେ ପୋଲିସ ଏହା ବି ଚେତାବନୀ ଦେଇଛି ଯେ ନିୟମ ପାଳନ ନ କଲେ ଅଥବା ଆଇନଶୃଙ୍ଖଳାର କୌଣସି ପ୍ରକାରର ଉଲ୍ଲଂଘନ ହେଲେ କାର୍ଯ୍ୟକ୍ରମ ଅନୁମତି ତତ୍କାଳ ରଦ୍ଦ କରିଦିଆଯିବ ଓ ସମ୍ଭାବିତ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ। ରାହୁଲ ଗାନ୍ଧିଙ୍କ କହିବା କଥା ହେଉଛି ତାଙ୍କର ଏହି କାର୍ଯ୍ୟକ୍ରମ ମହିଳା ଓ ଛାତ୍ରଙ୍କ ଲାଗି ସମର୍ପିତ। ଏଥିରେ ଶିକ୍ଷା, ସୁରକ୍ଷା, ସମାନତା, ପ୍ରତିଯୋଗୀତା ପରୀକ୍ଷା ଓ କ୍ୟାରିୟର ଅବସର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ତେବେ ଏହି କାର୍ଯ୍ୟକ୍ରମରେ ୮ରୁ ୧୦ ହଜାର ଲୋକେ ଅଂଶଗ୍ରହଣ କରିପାରନ୍ତି ବୋଲି ପୋଲିସ ପୂର୍ବ ଆକଳନ କରିଛି।

ଅନ୍ୟପଟେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଛାତ୍ରଙ୍କ ସହ ସମ୍ବାଦ ବଦଳେ ଏକତରଫା ଭାଷଣ ଭଳି ଲାଗୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଛାତ୍ରଙ୍କ ଗୁଞ୍ଜ ନା ରାହୁଲ ଗାନ୍ଧି ନିଜ ରାଜନୈତିକ ସ୍ଥିତିକୁ ମଜଭୁତ କରିବାକୁ ଉଦ୍ୟମ ତାହା ମୁଁ ଠିକ୍ ଭାବେ କହିପାରିବିନି। ତେବେ ମୋ ବୁଝିବା ଅନୁସାରେ ରାହୁଲ ଗାନ୍ଧି ଯଦି ଏଇଭଳି କୌଣସି ଖୋଲା କାର୍ଯ୍ୟକ୍ରମ କରିଥାନ୍ତେ ତେବେ ହୁଏତା ଏହା ଛାତ୍ରଙ୍କ ସହିତ ସମ୍ବାଦ ହୋଇଥାନ୍ତା।