ନୂଆଦିଲ୍ଲୀ: ପ୍ରସିଦ୍ଧ ଗୀତିକାର ତଥା ବିଜ୍ଞାପନ ଗୁରୁ ପ୍ରସୂନ ଯୋଶୀ ଏବେ ଭାରତର ସରକାରୀ ପ୍ରସାରକ ‘ପ୍ରସାର ଭାରତୀ’ର ମଙ୍ଗ ସମ୍ଭାଳିବେ। ଚେୟାରମ୍ୟାନ ରୂପେ ତାଙ୍କ ମୁଖ୍ୟ କାମ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓ ଭଳି ସଂସ୍ଥାଙ୍କୁ ଆଧୁନିକ ଓ ଡିଜିଟାଲ ଯୁଗ ଅନୁରୂପ କରିବା। ତାଙ୍କର ଏହି ଭୂମିକା କେବଳ ପ୍ରଶାସନିକ ନୁହେଁ ରଚନାତ୍ମକ ମଧ୍ୟ ହେବ। ଏହା ଦ୍ୱାରା ଭାରତୀୟ ସଂସ୍କୃତି ଓ ସରକାରୀ ନୀତିକୁ ପ୍ରଭାବୀ ଢଙ୍ଗରେ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚା ଯାଇ ପାରିବ। ତାଙ୍କ ଅଭିଜ୍ଞତା କଣ୍ଟେଣ୍ଟର କ୍ୱାଲିଟି ସୁଧାରିବା ସହ ନୂଆ ପୀଢିକୁ ସେହି ପୁରୁଣା ମାଧ୍ୟମ ସାଙ୍ଗରେ ଯୋଡିବାରେ ବହୁତ କାମରେ ଆସିବ।

ପ୍ରସାର ଭାରତୀ ଚେୟାରମ୍ୟାନ ଭାବେ ପ୍ରସୂନ ଯୋଶୀଙ୍କ ସବୁଠୁ ବଡ଼ ଭୂମିକା ଜଣେ ଗାଇଡ ଭଳି ହେବ। ସେ ପ୍ରସାର ଭାରତୀ ବୋର୍ଡର ବୈଠକରେ ଅଧ୍ୟକ୍ଷତା କରିବେ। ଏହା ସହ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓ ଲାଗି ନୀତିଗତ ନିଷ୍ପତ୍ତି ନେବେ। କଣ୍ଟେଣ୍ଟ ନା କେବଳ ସୂଚନାରେ ପୂର୍ଣ୍ଣ ହେବ ଓ ମନୋରଞ୍ଜନ କ୍ଷେତ୍ରରେ ଯେପରି ଘରୋଇ ଚ୍ୟାନେଲଙ୍କୁ ଟକ୍କର ଦେବ ତାହା ପ୍ରସୂନ ଯୋଶୀ ନିଶ୍ଚିତ କରିବେ। ସେ ସରକାର ଓ ପ୍ରସାରକଙ୍କ ମଧ୍ୟରେ ସେତୁ ଭଳି କାମ କରିବେ। ଯାହା ଦ୍ୱାରା ସୂଚନା ପ୍ରବାହ ନିରପେକ୍ଷ ଓ ପ୍ରଭାବଶାଳୀ ହୋଇ ପାରିବ।

ଆଜିର ସମୟ ଓଟିଟିର ଏଣୁ ‘ୱେଭସ୍’ ପ୍ଲାଟଫର୍ମକୁ ସଫଳ କରିବା ଓ ପ୍ରସାର ଭାରତୀର ଡିଜିଟାଲ ସମ୍ପ୍ରସାରଣ ଦାୟିତ୍ୱ ଯୋଶୀଙ୍କ ଉପରେ ରହିବ। ଏହା ଛଡା ବିଜ୍ଞାପନ ଓ ଅନ୍ୟ ମାଧ୍ୟମରୁ ସଂସ୍ଥାର ରାଜସ୍ୱ କିପରି ବୃଦ୍ଧି ହେବ ଏହା ମଧ୍ୟ ତାଙ୍କର ଦାୟିତ୍ୱ ହେବ। ପ୍ରସାର ଭାରତୀର ଚେୟାରମ୍ୟାନ ପଦବୀ ଏକ ସମ୍ମାନଜନକ ଓ ପ୍ରଭାବଶାଳୀ ପଦବୀ। ଏହି ପଦବୀରେ ତାଙ୍କୁ କ୍ୟାବିନେଟ ସ୍ତରର ଅଧିକାରୀଙ୍କ ସମ୍ମାନ ଓ ସୁବିଧା ମିଳିବ। ଏଥିରେ ସମ୍ମାନଜନକ ବେତନ ସହ ସରକାରୀ ବାସଭାବନ, ବାହନ ଓ ସଚିବାଳୟ କର୍ମଚାରୀ ମଧ୍ୟ ମିଳିବ। ତାଙ୍କର ସବୁଠୁ ବଡ ‘ପର୍କ’ ବା ଫାଇଦା ଏହା ହେବ ଯେ ତାଙ୍କ ହାତରେ ଦେଶର ସର୍ବ ବୃହତ୍ତ ମିଡିଆ ନେଟୱାର୍କ ଓ ଲୋକଙ୍କ ବିଚାରକୁ ପ୍ରଭାବିତ କରିବାର କ୍ଷମତା ରହିବ।