ପାଟନା: ବିହାରର ବହୁ ଚର୍ଚ୍ଚିତ ବାଙ୍କୀପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ସୁରାଜ ପାର୍ଟିର ପ୍ରାର୍ଥୀ ପ୍ରଶାନ୍ତ କିଶୋର। ସେ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ପ୍ରାର୍ଥୀ ନୀରଜ କୁମାରଙ୍କୁ ୧୮,୯୫୩ ଭୋଟ ବ୍ୟବଧାନରେ ପରାସ୍ତ କରି ନିଜର ପ୍ରଥମ ରାଜନୈତିକ ବିଜୟ ସ୍ୱାଦ ଚାଖିଛନ୍ତି। ଗତ ୩୦ ଜୁଲାଇରେ ଏହି ଆସନ ପାଇଁ ମତଦାନ ହୋଇଥିବା ବେଳେ ସୋମବାର ଭୋଟ ଗଣତି କରାଯାଇଥିଲା। ପ୍ରଶାନ୍ତ କିଶୋରଙ୍କ ଏହି ବଡ଼ ବିଜୟ ପରେ ବିହାର ବିଧାନସଭାର ସମୀକରଣ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ସଫଳତା ସହ ପ୍ରଶାନ୍ତ କିଶୋର କେତେ ସମ୍ପତ୍ତିର ମାଲିକ, ତାହାକୁ ନେଇ ସାଧାରଣରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଛି। ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ସମୟରେ ସେ ନିଜର ଆୟ ଓ ସମ୍ପତ୍ତିର ଯେଉଁ ହିସାବ ଦେଇଛନ୍ତି, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

୧୯୮ କୋଟିର ସାମ୍ରାଜ୍ୟ, ରହିଛି ୯ କୋଟିର ଋଣ

ପ୍ରଶାନ୍ତ କିଶୋର ଓ ତାଙ୍କ ପରିବାର ମୋଟ ୧୯୮ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଅଧିକାରୀ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଏହା ସହିତ ତାଙ୍କ ଉପରେ ପ୍ରାୟ ୯ କୋଟି ଟଙ୍କାର ଋଣ ମଧ୍ୟ ରହିଛି। ନିଜ ନାଁରେ ପ୍ରାୟ ୨୨.୧୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବା ବେଳେ, ତାଙ୍କ ପତ୍ନୀ ଜାହ୍ନବୀ ଦାସଙ୍କ ନାମରେ ୮୯.୫୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି।

Also Read: 'ତ୍ରିଷା'ଙ୍କୁ ନେଇ ଦ୍ୱିଅର୍ଥବୋଧକ କଟାକ୍ଷ, ଉଦୟନିଧିଙ୍କ ବୟାନକୁ ଭର୍ତ୍ସନା କଲା ବିଜୟଙ୍କ TVK, ଗିରଫ ଦାବି କଲା ବିଜେପି

ଦିଲ୍ଲୀ, ପାଟନାରୁ ଗୌହାଟି ଯାଏ ଘର ଓ ଜମି

ଅଚଳ ବା ସ୍ଥାବର ସମ୍ପତ୍ତି କ୍ଷେତ୍ରରେ ମଧ୍ୟ ପ୍ରଶାନ୍ତ କିଶୋର ବେଶ୍ ଆଗରେ। ତାଙ୍କ ନିଜ ନାଁରେ ୭୩.୮୭ କୋଟି ଟଙ୍କାର ଜମିବାଡ଼ି ଓ ଘର ରହିଥିବା ବେଳେ ପତ୍ନୀଙ୍କ ନାମରେ ୧୨.୪୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ପ୍ରଶାନ୍ତଙ୍କର ବିହାରର ରୋହତାସରେ ପ୍ରାୟ ୩ ଏକରରୁ ଅଧିକ ଚାଷ ଜମି, ପାଟନାର ପାଟଲିପୁତ୍ରରେ ଗୋଟିଏ ଆବାସିକ ଗୃହ ଏବଂ ନୂଆଦିଲ୍ଲୀର ବସନ୍ତ ବିହାରରେ ଏକ ବଡ଼ ବାସଭବନ ଅଛି। ଏହା ବ୍ୟତୀତ ଉତ୍ତର ପ୍ରଦେଶର ଗାଜିଆବାଦ ଓ ବିହାରର ବକ୍ସରରେ ମଧ୍ୟ ତାଙ୍କର ଫ୍ଲାଟ୍ ଏବଂ ପୈତୃକ ସମ୍ପତ୍ତି ରହିଛି। ଅନ୍ୟପଟେ ତାଙ୍କ ପତ୍ନୀଙ୍କ ନାମରେ ଆସାମର ଗୌହାଟି ଏବଂ ନୋଏଡାର ଜେପି ଗ୍ରୀନ୍ସରେ ଦାମୀ ପ୍ରପର୍ଟି ରହିଛି।

୩ କୋଟିର ଏଫଡି ଓ କୋଟି କୋଟିର ଶେୟାର ନିବେଶ

ସତ୍ୟପାଠ ଅନୁଯାୟୀ, ପ୍ରଶାନ୍ତ କିଶୋର ବ୍ୟାଙ୍କ ଏବଂ ଶେୟାର ବଜାରରେ ବ୍ୟାପକ ନିବେଶ କରିଛନ୍ତି। ତାଙ୍କ ପୋର୍ଟଫୋଲିଓରେ ୬୩ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଶେୟାର ଥିବା ବେଳେ ୩ କୋଟି ଟଙ୍କାରୁ ଅଧିକ ଫିକ୍ସଡ୍ ଡିପୋଜିଟ୍ (FD) ରହିଛି। ଏହା ବ୍ୟତୀତ ୧.୨୪ କୋଟି ଟଙ୍କାର ମ୍ୟୁଚୁଆଲ୍ ଫଣ୍ଡ ଏବଂ ୫. ୩୪ କୋଟି ଟଙ୍କାର ବିଭିନ୍ନ ଜୀବନ ବୀମା ମଧ୍ୟ ରହିଛି। ନାମାଙ୍କନ ସମୟରେ ପ୍ରଶାନ୍ତଙ୍କ ପାଖରେ ମାତ୍ର ୬୫,୫୭୦ ଟଙ୍କା ନଗଦ ଥିବା ବେଳେ ତାଙ୍କ ପତ୍ନୀଙ୍କ ପାଖରେ ୧,୯୫,୨୦୦ ଟଙ୍କା ନଗଦ ଥିଲା।

ସୁନା- ରୁପା ଗହଣା

ଆଶ୍ଚର୍ଯ୍ୟର କଥା ହେଉଛି, ନିଜେ ପ୍ରଶାନ୍ତ କିଶୋର ଅଧିକ ଗହଣା ପିନ୍ଧନ୍ତି ନାହିଁ ଏବଂ ତାଙ୍କ ପାଖରେ କେବଳ ଗୋଟିଏ ସୁନା ମୁଦି ରହିଛି। କିନ୍ତୁ ତାଙ୍କ ପତ୍ନୀଙ୍କ ପାଖରେ ପ୍ରାୟ ୬୪ ଲକ୍ଷ ଟଙ୍କା ମୂଲ୍ୟର ୪୭୫ ଗ୍ରାମର ସୁନା ଗହଣା ଏବଂ ୨୦୦ ଗ୍ରାମର ରୁପା ରହିଛି।

ରାଜନୈତିକ ରଣନୀତିକାରରୁ ନେତା ସାଜିଥିବା ପ୍ରଶାନ୍ତ କିଶୋରଙ୍କର ଏହି ନିର୍ବାଚନୀ ବିଜୟ ଏବଂ ତାଙ୍କର ବିପୁଳ ସମ୍ପତ୍ତି ଏବେ ବିହାର ରାଜନୀତିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।