ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ହୋଇଛି। ଏଥିରେ ବିମାନ କମ୍ପାନୀର ପୂର୍ବତନ ସିଏମଡି ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ପୂର୍ବତନ ସଚିବ ପ୍ରଦୀପ ସିଂହ ଖରୋଲା ପୁଣି ଏୟାର ଇଣ୍ଡିଆକୁ ଫେରିଛନ୍ତି। ଖରୋଲାଙ୍କୁ ଏୟାର ଇଣ୍ଡିଆର ଚେୟାରମ୍ୟାନ ଏନ.ଚନ୍ଦ୍ରଶେଖରନଙ୍କ ଏକଜ୍ୟୁକୁଟିଭ ଆଡଭାଇଜର ନିଯୁକ୍ତ କରାଯାଇଛି। ଏହା ସହିତ ଖରୋଲା ଏୟାରଇଣ୍ଡିଆ ମ୍ୟାନେଜମେଣ୍ଟ କମିଟିରେ ପୂର୍ଣ୍ଣକାଳୀନ ସଦସ୍ୟ ରୂପେ ସାମିଲ ହୋଇଯାଇଛନ୍ତି।

ଏୟାର ଇଣ୍ଡିଆ ସିଇଓ ତଥା ଏମଡି କ୍ୟାମ୍ପବେଲ ୱିଲସନ୍ କମ୍ପାନୀ କର୍ମଚାରୀଙ୍କୁ ପଠାଇଥିବା ଏକ ଅନ୍ତରୀଣ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଖରୋଲା ତୁରନ୍ତ ପ୍ରଭାବ ବରିଷ୍ଠ ପ୍ରବନ୍ଧନ ଟିମ୍ ର ଅଂଶ ହୋଇଯାଇଛନ୍ତି। ଉଲ୍ଲେଖଯୋଗ୍ୟଯେ ପ୍ରଦୀପ ସିଂହ ଖରୋଲା ଏୟାର ଇଣ୍ଡିଆ ପାଇଁ କୌଣସି ନୂଆ ନାମ ନୁହନ୍ତି। ଯେତେବେଳେ ଏହି କମ୍ପାନୀ ସରକାରୀ ନିୟନ୍ତ୍ରଣରେ ଥିଲା ୨୦୧୭-୨୦୧୯ ପର୍ଯ୍ୟନ୍ତ ସେ ଏୟାର ଇଣ୍ଡିଆର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡାଇରେକ୍ଟର (ସିଏମଡି) ଥିଲେ। ଏହା ପରେ ସେ ବେ ସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ ଅବସ୍ଥାପିତ ଥିବା ବେଳେ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଜାନୁୟାରୀ ୨୦୨୨ରେ ଟାଟା ସମୂହ ଏୟାର ଇଣ୍ଡିଆକୁ କ୍ରୟ କରିବା ପରଠାରୁ ଏହା ଲଗାତାର କ୍ଷତି ସମେତ ଅନ୍ୟ ସମସ୍ୟାର ସମ୍ମୁଖୀନ ହେଉଛି। ନିକଟରେ କମ୍ପାନୀ ସିଇଓ ପଦବୀରୁ କ୍ୟାମ୍ପବେଲ ୱିଲସନ୍ ଇସ୍ତଫା ଦେଇଛନ୍ତି ଓ ଆଗାମୀ କିଛି ମାସରେ ସେ କମ୍ପାନୀ ଛାଡିବେ।

ଏଣୁ ୱିଲସନ କହିଛନ୍ତି ଯେ ଚେୟାରମ୍ୟାନଙ୍କ ଏକଜ୍ୟୁକୁଟିଭ ଆଡଭାଇଜର ରୂପେ ଖରୋଲା ଏୟାର ଇଣ୍ଡିଆ ମ୍ୟାନେଜମେଣ୍ଟ କମିଟିର ପୂର୍ଣ୍ଣକାଳୀନ ସଦସ୍ୟ ହେବେ। ଯେହେତୁ ମୋର କାର୍ଯ୍ୟକାଳ ଏବେ ଶେଷ ସମୟରେ ପହଞ୍ଚିଛି ଏଣୁ ନୂଆ ସିଇଓ ଆସିବା ପର୍ଯ୍ୟନ୍ତ ନେତୃତ୍ୱ ସମର୍ପଣରେ ଖରୋଲାଙ୍କ ଅଭିଜ୍ଞତା ମୂଲ୍ୟବାନ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଟାଟା ସନସ୍ ଚେୟାରମ୍ୟାନ ଏନ.ଚନ୍ଦ୍ରଶେଖରନ ଏବେ ଏୟାର ଇଣ୍ଡିଆ ବୋର୍ଡର ମଧ୍ୟ ଚେୟାରମ୍ୟାନ ଅଛନ୍ତି। ଏୟାର ଇଣ୍ଡିଆ ଗତ କିଛି ସପ୍ତାହରେ ନିଜର କ୍ଷତି ଓ ଖର୍ଚ୍ଚ ହ୍ରାସ କରିବା ପାଇଁ କିଛି ପଦକ୍ଷେପ ନେଇଛି। ଏଥିରେ କମ୍ପାନୀ କିଛି ଉଡାଣରେ ମାଗଣା ଭୋଜନ ଆରମ୍ଭ କରିଥିବା ବେଳେ କିଛି ରୁଟରେ ଫ୍ଲାଇଟ୍ କାଟ୍ କରିଛି।