ନୂଆଦିଲ୍ଲୀ, ୨୮। ୦୭ : ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ । ମଙ୍ଗଳବାର ଜାପାନରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ବୋଲି ଜଣାପଡିଛି । ଦେଶର ଦକ୍ଷିଣରେ ଥିବା କ୍ୟୁସୁ ପ୍ରାନ୍ତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହାସହ ସୁନାମି ଆଲର୍ଟ ଜାରି କରାଯାଇଛି ।

ଜେଏମଏ ବା ଜାପାନ ପାଣିପାଗ ବିଭାଗର କହିବାନୁସାରେ, କ୍ୟୁସୁ ଦ୍ୱୀପର କୁମାମୋଟୋରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ତେଣୁ ସୁନାମି ଆଲର୍ଟ ଜାରି କରାଯାଇଛି । ଏକ ମିଟର ଉଚ୍ଚର ଜୁଆର ଆସିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ।

ଝଟକା ଲାଗିବା ପରେ ଜାପାନ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକାରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

Also Read :- ସୋନମ ଓ୍ୱାଙ୍ଗଚୁକଙ୍କ 'ଟ୍ରାଇବାଲ୍ ହାଉସ' : ଲାଗିନି କଙ୍କ୍ରିଟ୍, କୋଠରୀକୁ ଉଷୁମ ରଖିବ ପାଣି ବୋତଲ

ଅନ୍ୟ ଦିଗରେ ଭୂମିକମ୍ପରେ କେତେ କ୍ଷୟକ୍ଷତି ହୋଇଛି ତାହାର ହିସାବ ଜଣାପଡିନାହିଁ । କେହି ମୃତାହତ ହୋଇଥିବା ଖବର ମିଳିନାହିଁ । କିନ୍ତୁ କିଛି ଘର ଏବଂ ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଝଟକା ଲାଗିବା ପରେ ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ଏବେ ସୁନାମି ପାଇଁ ସେମାନେ ଅଧିକ ସତର୍କ ରହିଛନ୍ତି ।