କୋଲକାତା, ୦୬/୦୫: ପଶ୍ଚିମବଙ୍ଗରେ ବାଜିମାତ କରିଛି ବିଜେପି । ଦଳ ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇଛି । ମାଟି କାମୁଡିଛି ତୃଣମୂଳ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ହାରିଛନ୍ତି । ଏସବୁ ଭିତରେ ପୁଣି ଥରେ ବନ୍ଦେ ମାତରମ୍ ପ୍ରସଙ୍ଗ ଜୋର୍ ଧରିଛି । ବଙ୍ଗରେ ନିର୍ବାଚନ ଜିତିବା ପରେ କେନ୍ଦ୍ର କ୍ୟାବିନେଟ୍ ନ୍ୟାସନାଲ୍ ଅନର୍ ଆକ୍ଟର ସଂଶୋଧନ ପ୍ରସ୍ତାବରେ ମୋହର ଲଗାଇଛି ।

ଆଇନ୍ ଅନୁସାରେ, ବନ୍ଦେ ମାତରଂକୁ ଜନ ଗଣ ମନ ଭଳି ସମ୍ମାନ ପ୍ରଦାନ କରାଯିବ । ଏବେକାର ନିୟମ ଅନୁସାରେ, କେହି ସମ୍ବିଧାନ ଏବଂ ଜାତୀୟ ପତାକାକୁ ଅସମ୍ମାନ କଲେ ଫାଇନ୍ ଏବଂ ଜେଲଦଣ୍ଡ ବିଧାନ ରହିଛି । ଜାତୀୟ ଗାନକୁ ଅପମାନ କଲେ ମଧ୍ୟ ସମାନ ଦଣ୍ଡ ମିଳିବା ନେଇ ପ୍ରାବଧାନ ଅଛି । ଏବେ ଜାତୀୟ ସଙ୍ଗୀତ ବନ୍ଦେ ମାତରଂକୁ ସମାନ ମାନ୍ୟତା ମିଳିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟର ନୂଆ ପ୍ରସ୍ତାବ ଅନୁଯାୟୀ, ବନ୍ଦେ ମାତରଂକୁ ଜନ ଗଣ ମନ ଭଳି ମାନ୍ୟତା ଏବଂ ସମ୍ମାନ ମିଳିବ । ଆଇନକୁ ନମାନିଲେ ଅପରାଧ ବୋଲି ବିବେଚନା କରାଯିବ । ତେବେ ସରକାରଙ୍କ ଏହି ପଦକ୍ଷେପ ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆସିଛି । ଏବେ କେବଳ ଜନ ଗଣ ମନକୁ ଅସମ୍ମାନ କଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ସରକାର ବନ୍ଦେ ମାତରଂକୁ ମାନ୍ୟତା ଦେବା କଥା ଉଠାଇଥିଲେ । କାରଣ ଏହା ବଙ୍ଗ ସହ ଜଡିତ । ଏହାକୁ ବଙ୍କୀମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ରଚନା କରିଥିଲେ । ପଶ୍ଚିମବଙ୍ଗର କଳା ଏବଂ ସଂସ୍କୃତିର ଏହା ଝଲକ ଥିବା ବେଳେ ଭାରତର ସ୍ୱାଧିନତା ସଂଗ୍ରାମରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।