ପୁଞ୍ଛରେ ୩୦ ମାସରେ ୬ ବଡ଼ ହମଲା; ଟାର୍ଗେଟରେ ସେନା ଗାଡ଼ି, ୨୧ ଯବାନ ସହିଦ୍

Published By : Prameya-News7 Bureau | May 05, 2024 IST

ଜାମ୍ମୁ-କାଶ୍ମୀର; ସୈନ୍ୟ କାଫିଲା ଉପରେ ଆତଙ୍କୀ ଆକ୍ରମଣ । ୩୦ ମାସରେ ୬ ବଡ଼ ହମଲା । ୨୧ ଯବାନଙ୍କ ସର୍ବୋଚ୍ଚ ବଳିଦାନ । ବଡ଼ ଷଡ଼ଯନ୍ତ୍ରରେ ସଫଳ ଆତଙ୍କବାଦୀ । ଜାମ୍ମୁ-କାଶ୍ମୀରରେ ଥମୁନି ଅସ୍ଥିରତା । କେତେବେଳେ ଭାରତୀୟ ସୈନ୍ୟ ବାହିନୀ ଉପରକୁ ତ ପୁଣି କେତେବଳେ ଟାର୍ଗେଟ୍ କିଲିଂ କରୁଛନ୍ତି ଆତଙ୍କବାଦୀ । ଆତଙ୍କୀଙ୍କ ଗୁଳିରେ ରକ୍ତରଞ୍ଜିତ ହେଉଛି କାଶ୍ମୀର ଘାଟି । ୨୦୨୧ରୁ ଏପର୍ଯ୍ୟନ୍ତ ୩୦ ମାସରେ ପୁଞ୍ଛ ସେକ୍ଟରରେ ୬ଟି ବଡ଼ ହମଲା ହୋଇଛି । ପାକିସ୍ତାନର ନପାକ୍ ହରକତରେ ୨୧ଜଣ ବୀର ଯବାନ ସହିଦ ହୋଇଛନ୍ତି । ସେହିପରି ଶତାଧିକ ସୁରକ୍ଷାକର୍ମୀ ଗୁରୁତର ଭାବେ ଆହତ ହୋଉଛନ୍ତି । 

ଶନିବାର ପୁଞ୍ଛ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆତଙ୍କୀବାଦୀ ହମଲା ହୋଇଛି । ପ୍ରାୟ ସଂଧ୍ୟା ସାଢ଼େ ୬ଟା ବେଳେ ଏକ ବଡ଼ ଷଡ଼ଯନ୍ତ୍ରକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି ଆତଙ୍କୀ । ବାୟୁସେନାର କାଫିଲା ବା କନଭଏ ଗାଡ଼ିକୁ ଟାର୍ଗେଟ୍ କରି ଆଖୁବୁଜା ଫାୟାରିଂ କରିଥିଲେ । ଏଥିରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ସେଠାରୁ ଏୟାର ଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଏୟାରଫୋର୍ସର ଦୁଇଟି କନଭଏ ଗାଡ଼ି ସୁରନକୋଟରୁ ସନଇଟପ୍ ଫେରୁଥିଲା । ଏହି ସମୟରେ ଘଟିରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୈନ୍ୟବାହିନୀର ଗୋଟିଏ ଗାଡ଼ିକୁ ଟାର୍ଗେଟ୍ କରିଥିଲେ । ଶାହସିତାର ନିକଟରେ ବାୟୁସେନା ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ି କରିଥିଲେ । ଏହି ଗୁଳିବିନିମୟରେ ୫ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବାୟୁବୀର ଚିକିତ୍ସାଧୀନ ଅବସ୍ଥାରେ ଟଳିପଡ଼ିଛନ୍ତି । ଭାରତୀୟ ସେନା ଅତିରିକ୍ତ ସୁରକ୍ଷାବଳ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି । ସ୍ପେଶାଲ ଗରୁଡ଼ କମାଣ୍ଡୋ ତନ ତନ କରି ଆତଙ୍କବାଦୀଙ୍କୁ ଖୋଜୁଛନ୍ତି । 

ଗତ ୩୦ ମାସରେ କାଶ୍ମୀରରେ ୬ଟି ବଡ଼ ହମଲା ହୋଇଛି । ୨୦୨୧ ଅକ୍ଟୋବର ୧୧ ତାରିଖରେ ଚମରେଡ୍ ଅଞ୍ଚଳରେ ସେନା ଉପରକୁ ହମଲା ହୋଇଥିଲା । ଏହି ଗୁଳିମାଡ଼ରେ ଜଣେ ଜେସିଓ ସମେତ ପାଞ୍ଚ ଜଣ ଯବାନ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ । ସେହିପରି ୨୦୨୧ ଅକ୍ଟୋବର ୨୦ ତାରିଖରେ ଦ୍ବିତୀୟ ହମଲା ହୋଇଥିଲା । ଭାଟାଦୁଡ଼ିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ୬ଜଣ ଯବାନ ପ୍ରାଣବଳୀ ଦେଇଥିଲେ । ୨୦ ଅପ୍ରେଲ ୨୦୨୩ରେ ସମାନ ଅଞ୍ଚଳରେ ସୈନ୍ୟ ବାହିନୀକୁ ଘେରାବନ୍ଦୀ କରି ଟାର୍ଗେଟ୍ କରିଥିଲେ ଆତଙ୍କୀ । ଗ୍ରେନେଡ୍ ହମଲା ଓ ଗୁଳିମାଡ଼ରେ ପାଞ୍ଚ ଜଣ ଯବାନ ସହିଦ୍ ହୋଇଛନ୍ତି । ୨୦୨୩ ଡିସେମ୍ବର ୨୧ରେ ଡେରା ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୫ଜଣ ଯବାନ ପ୍ରାଣ ହରାଇଥିଲେ । ୨୦୨୪ ଜାନୁଆରୀ ୧୨ରେ କୃଷ୍ଣାଘାଟିରେ ସେନା ବାହିନୀ ଗାଡ଼ିକୁ ଫାୟାରିଂ ହୋଇଥିଲା । ଏବେ ଶନିବାର ଅର୍ଥାତ୍ ୦୪ ମେ’ ୨୦୨୪ରେ ସୁରନକୋଟରେ ଏୟାରଫୋର୍ସ ଗାଡ଼ିକୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ । ଏଥିରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଗତ ୩୦ ମାସ ଭିତରେ ୨୧ଜଣ ବୀର ଯବାନ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.