ଆଲିଆ ଭଟ୍ଟଙ୍କୁ ମିଳିଲା ଓସ୍କାର ଆୱର୍ଡ ତରଫରୁ ସରପ୍ରାଇଜ୍, ଇନଷ୍ଟାରେ ସେୟାର କରାଗଲା 'Kalank' ଫିଲ୍ମର ଗୀତ

Published By : Prameya-News7 Bureau | May 24, 2024 IST

ମୁମ୍ଵାଇ ୨୪।୦୫: ଦ ଏକାଡେମୀ ଅର୍ଥାତ୍‌ ଓସ୍କାର ଆୱାର୍ଡସ୍‌ର ଔପଚାରିକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ପୁଣି ଥରେ ଭାରତୀୟଙ୍କୁ ସର୍‌ପ୍ରାଇଜ୍‌ ଦେଇଛି । ଏହାର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ କରନ ଜୋହରଙ୍କ ବ୍ୟାନର ଅଧୀନରେ ନିର୍ମିତ ମଲ୍ଟିଷ୍ଟାରର୍‌ ଫିଲ୍ମ ‘କଲଙ୍କ’ର ଗୀତ ‘ଘର ମୋରେ ପରଦେଶିୟା’ର ଭିଡିଓ ସ୍ଥାନ ପାଇଛି । ଏଥିରେ ଆଲିୟା ଭଟ୍ଟ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଭିଡିଓ ସହିତ କ୍ୟାପ୍‌ସନରେ ଫିଲ୍ମର ନାଁ ଓ ଆଲିୟାଙ୍କ ପ୍ରଦର୍ଶନ ସମେତ ଗୀତର ଗାୟିକା ଶ୍ରେୟା ଘୋଷାଲ ବୋଲି ଉଲ୍ଲେଖ ହୋଇଛି । ଦ ଏକାଡେମୀ ଆହୁରି ଲେଖିଛି, ଗୀତ କମ୍ପୋଜ୍‌ କରିଛନ୍ତି ପ୍ରୀତମ ଚକ୍ରବର୍ତ୍ତୀ । ୨୦୧୯ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘କଲଙ୍କ’ର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ । ଏଥିରେ ଆଲିୟାଙ୍କ ସମେତ ବରୁଣ ଧୱନ, ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ ଓ ସୋନାକ୍ଷୀ ସିହ୍ନା ଅଭିନୟ କରିଛନ୍ତି ।


କମେଣ୍ଟ୍‌ ବକ୍ସରେ ଆଲିୟା ଓ ଶ୍ରେୟା ଘୋଷାଲ ଦ ଏକାଡେମୀର ପ୍ରୟାସକୁ ଖୁବ୍‌ ପ୍ରଶଂସା କରିଛନ୍ତି । କିଛି ୟୁଜର୍‌ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିବା ‘କଲଙ୍କ’କୁ ପ୍ରଶଂସା କରି ଲେଖିଛନ୍ତି ‘ଶେଷରେ ଫିଲ୍ମଟି ଏକାଡେମୀ ପର୍ଯ୍ୟନ୍ତ ପହଞ୍ଚିଗଲା ।’ ଗତ ଏପ୍ରିଲ ୩ ତାରିଖରେ ଦ ଏକାଡେମୀ ନିଜ ଔପଚାରିକ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ଗୀତ ‘ଦିୱାନୀ ମସ୍ତାନୀ’ର ଏକ ଭିଡିଓ କ୍ଲିପ୍‌ ଶେୟାର କରିଥିଲା ।

ବିଶ୍ୱସ୍ତରରେ ନିଜର ଉପସ୍ଥିତିକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ଆଲିୟା । କିଛି ଦିନ ତଳେ ବିଶ୍ୱର ସବୁଠୁ ଲୋକପ୍ରିୟ ଫ୍ୟାଶନ୍‌ ମେଳା ମେଟ୍‌ ଗାଲାରେ ସବ୍ୟସାଚୀଙ୍କ ଶାଢ଼ି ପିନ୍ଧି ସେ ରେଡ୍‌ କାର୍ପେଟ୍‌କୁ ଓହ୍ଲାଇଥିଲେ । ଗତ ବର୍ଷ ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ ଜରିଆରେ ଆଲିୟା ହଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ତାଙ୍କ ଅପ୍‌କମିଙ୍ଗ୍‌ ପ୍ରୋଜେକ୍ଟରେ ଅଛି ‘ଜିଗ୍‌ରା’ । ସ୍ୱାମୀ ରଣବୀର କପୁର ଓ ଭିକି କୌଶଲ ଷ୍ଟାରର୍‌ ‘ଲଭ୍‌ ଆଣ୍ଡ ୱାର୍‌’ରେ ମଧ୍ୟ ସେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସଞ୍ଜୟଲୀଲା ଭଂସାଲୀ ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.