ନ୍ୟୁୟର୍କ ୨୪।୫: ମିଳିତ ଜାତି ସଂଘରେ ଜଣେ ଭାରତୀୟଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି। ଭାରତର କମଲ କିଶୋରଙ୍କୁ ଜାତିସଂଘ(ୟୁଏନ) ମୁଖ୍ୟଙ୍କ ପ୍ରତିନିଧି ରୂପେ ନିଯୁକ୍ତ କରାଯାଇଛି। କମଲ କିଶୋର ବିପର୍ଯ୍ୟୟ ଓ ଜଳବାୟୁ ବିପଦ ପରିଚାଳନା ସହ ଜଡିତ ଜଣେ ଶୀର୍ଷ ଭାରତୀୟ ଅଧିକାରୀ। ଏବେ ସେ ମିଳିତ ଜାତିସଂଘ ମୁଖ୍ୟ ଏଣ୍ଟୋନିୟୋ ଗୁଟାରେସଙ୍କ ବିଶେଷ ପ୍ରତିନିଧି ରୂପେ ସେ ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି।
୫୫ ବର୍ଷିୟ କମଲ କିଶୋରଙ୍କୁ ଗୁଟାରେସ ମାର୍ଚ୍ଚ ୨୮ ତାରିଖ ଦିନ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ମିଳିତ ଜାତିସଂଘ କାର୍ଯ୍ୟାଳୟ (ୟୁଏନଡିଆରଆର)ମୁଖ୍ୟ ନିଯୁକ୍ତ କରିଥିଲେ। ଏହା ପୂର୍ବରୁ କମଲ କିଶୋର ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ (ଏନଡିଏମଏ)ରେ ଅବସ୍ଥାପିତ ଥିଲେ। ଏବେ ସେ ୟୁଏନଡିଆରଆର କାର୍ଯ୍ୟାଳୟରେ ଜାପାନର ମାମୀ ମିଜୁଟୋରୀଙ୍କ ସ୍ଥାନ ନେଇଛନ୍ତି। ୟୁଏନଡିଆରଆର ମେ ୨୦ ତାରିଖ ଦିନ କମଲ କିଶୋରଙ୍କୁ ସ୍ୱାଗତ କରାଯାଇଥିଲା।
କିଶୋର କହିଛନ୍ତି ଯେ ବଢୁଥିବା ଜଳବାୟୁ ବିପଦକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ହ୍ରାସ କରିବା ପାଇଁ ବୈଶ୍ୱିକ ଉଦ୍ୟମକୁ ଏକଜୁଟ କରିବାରେ ୟୁଏନଡିଆରଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିକୁ ସେ ଆଗକୁ ନେଇ ଯିବା ପାଇଁ ଆଶା କରନ୍ତି। କିଶୋର ୨୦୧୫ ମସିହାରୁ ଭାରତରେ ଏନଡିଏମଏ ମୁଖ୍ୟ ଭାବେ ତାଙ୍କ ସେବା ଦେଇଛନ୍ତି। ଭାରତରେ ଜି-୨୦ ଆୟୋଜନ କାଳରେ ସେ ବିପର୍ଯ୍ୟୟ ବିପଦ ହ୍ରାସ ସମ୍ପର୍କିତ ଜି-୨୦ ଟାସ୍କଫୋର୍ସର ଅଧ୍ୟକ୍ଷତା କରିଥିଲେ।