ଜଳୁଛି ଉତ୍ତରଭାରତ: ତାପମାତ୍ରା ୪୦ ରୁ ୪୯ ଡିଗ୍ରୀ, ରାଜସ୍ଥାନରେ ୧୦ ମୃତ୍ୟୁ, ଜଳ ସଂକଟ ସହ ବଢ଼ିଲା ବିଦ୍ୟୁତ ଖର୍ଚ୍ଚ

Published By : Prameya-News7 Bureau | May 24, 2024 IST

internet

ନୂଆଦିଲ୍ଲୀ: ଉତ୍ତରଭାରତର ଅଧିକାଂଶ ରାଜ୍ୟରେ ତାପମାତ୍ରା ୪୦ ରୁ ୪୯ ଡିଗ୍ରୀ ଛୁଇଁଛି। ପାଣିପାଗ ବିଭାଗ କହିଛି ଆଗାମୀ ୫ ଦିନ ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଏହିଭଳି ସ୍ଥିତି ଲାଗି ରହିବ। ଏଥିପାଇଁ ଏହି ରାଜ୍ୟଗୁଡିକରେ ଗ୍ରୀଷ୍ମ ପ୍ରବାହ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।
ଶୁକ୍ରବାର ରାଜସ୍ଥାନର ପାଲିରେ ଅତ୍ୟଧିକ ଗରମ ଯୋଗୁ ମା- ପୁଅଙ୍କର ମୃତ୍ୟୁ ହୋଇଛି। ଏହି ମୃତ୍ୟୁକୁ ମିଶାଇ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଅତ୍ୟଧିକ ଗରମ ଯୋଗୁ ଏପର୍ଯ୍ୟନ୍ତ ୧୦ ଜଣଙ୍କର ଜୀବନ ଗଲାଣି। ତେବେ ସରକାର ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି। 
ରାଜସ୍ଥାନର ଫାଲୋଦିରେ ୪୯, ବାରମର ଏବଂ ଜୈସଲମେର ସହରରେ ତାପମାତ୍ରା ୪୮ ଡିଗ୍ରୀ ଅତିକ୍ରମ କରିଛି। ଅଧିକାଂଶ ସହରରେ ଗୁରୁବାର ରାତିରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା। ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଥାନର ସରକାରୀ ଡାକ୍ତରଖାନାରେ ସମସ୍ତ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହିତ, ୟୁପିର ଗୌତମ ବୁଦ୍ଧ ନାଗର ଜିଲ୍ଲା ପ୍ରଶାସନ ନୋଏଡା ଏବଂ ଗ୍ରେଟର ନୋଏଡାର ସମସ୍ତ ବିଦ୍ୟାଳୟରେ ନବମ ରୁ ଦ୍ୱାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି।

ସେପଟେ ଗରମ ଯୋଗୁ ଜଳ ସଂକଟ ଉତ୍କଟ ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ଅନୁଯାୟୀ ଗତ ସାତ ଦିନ ମଧ୍ୟରେ ଭାରତର ୧୫୦ ପ୍ରମୁଖ ଜଳଭଣ୍ଡାରରେ ଜଳ ସ୍ତର ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଦିଲ୍ଲୀରେ ଯମୁନା ନଦୀରେ ଜଳ ସ୍ତର ହ୍ରାସ ପାଇଛି। ଅନେକ କ୍ଷେତ୍ରରେ ଜଳ ଯୋଗାଣ ପ୍ରଭାବିତ ହୋଇଛି।  
ଗରମ ଯୋଗୁ ବିଜୁଳି ଖର୍ଚ୍ଚ ବି ବଢ଼ି ଚାଲିଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗୁରୁବାର ଦିନ ଭାରତରେ ବିଦ୍ୟୁତ୍ ଚାହିଦା ୨୩୭ ଗିଗାୱାଟ (GW)ରେ ପହଞ୍ଚିଛି। ଏହା ସିଜିନରେ ସର୍ବାଧିକ ବୋଲି ମନ୍ତ୍ରଣାଳୟ କହିଛି। ସପ୍ତାହ ପୂର୍ବରୁ ବିଜୁଳି ଚାହିଦା ୨୩୪ ଗିଗାୱାଟ (GW) ଥିଲା। ଏହାପୂର୍ବରୁ, ସେପ୍ଟେମ୍ବର ୨୦୨୩ରେ ସର୍ବାଧିକ ବିଦ୍ୟୁତ୍ ଚାହିଦା ୨୪୩.୨୭ GW ର ସର୍ବୋଚ୍ଚ ସ୍ତରରେ ଥିଲା। 

ରାଜଧାନୀ ଦିଲ୍ଲୀରେ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହେଉଛି। ଦିଲ୍ଲୀରେ ବିଦ୍ୟୁତ ଚାହିଦା ୮ ହଜାର ମେଗାୱାଟରେ ପହଞ୍ଚିଛି। ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ମଧ୍ୟ ସମାନ ପରିସ୍ଥିତି ରହିଛି। ରାଜସ୍ଥାନରେ ବିଦ୍ୟୁତ୍ ବ୍ୟବହାର ୨୦% ବୃଦ୍ଧି ପାଇଛି। ଆବଶ୍ୟକ ହେଲେ ଅନ୍ୟ ରାଜ୍ୟରୁ ବିଦ୍ୟୁତ୍ କ୍ରୟ କରାଯିବ ବୋଲି ସରକାର କହିଛନ୍ତି। 


ହିଟ୍‌ ୱେଭ୍‌ ଯୋଗୁ ପନିପରିବା ଏବଂ ଡାଲିର ମହଙ୍ଗା ସ୍ଥିତି ଆସନ୍ତା ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁମାନ କରାଯାଉଛି। ବିଶେଷକରି ଆଳୁ, ବିଲାତି ଏବଂ ପିଆଜ ମୂଲ୍ୟରେ ବୃଦ୍ଧି ହେତୁ ଖାଇବା ଖର୍ଚ୍ଚ ବଢ଼ିଯାଇଛି। ଏପ୍ରିଲରେ ପନିପରିବା ମୂଲ୍ୟ ଗତ ବର୍ଷ ତୁଳନାରେ ହାରାହାରି ୨୭.୮% ଅଧିକ ଥିଲା। ସେହିପରି ଗତ ମାସରେ, ଆଳୁର ଖୁଚୁରା ମୂଲ୍ୟ ବାର୍ଷିକ ଆଧାରରେ ୫୩% ବୃଦ୍ଧି ପାଇଛି। 

 

ଖୁଚୁରା ମୁଦ୍ରାସ୍ଫୀତି ହିସାବ କରୁଥିବା ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ)ରେ ପନିପରିବାର ୱେଟେଜ୍‌ ପ୍ରାୟ ୭.୪୬% ରହିଛି। ପନିପରିବା, ଡାଲି ଏବଂ ଶସ୍ୟର ମୂଲ୍ୟ ବୃଦ୍ଧି ହେତୁ ଏପ୍ରିଲରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୭%କୁ ବୃଦ୍ଧି ପାଇଥିଲା। ଏହା ମାର୍ଚ୍ଚରେ ୮.୫୨% ଥିଲା। ରେଟିଂ ଏଜେନ୍ସି ICRA ର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତ୍ୟ ନାୟରଙ୍କ ଅନୁଯାୟୀ ମେ-ଜୁନ୍ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ଚିନ୍ତାର କାରଣ ହେବ। କାରଣ ହିଟ୍‌ ୱେଭ୍‌ ଯୋଗୁ ନଷ୍ଟ ହୋଇଯାଉଥିବା ଜିନିଷର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ନାୟର କହିଛନ୍ତି ଯେ ଜୁଲାଇ-ଅଗଷ୍ଟରେ ମୁଦ୍ରାସ୍ଫୀତିର କିଛି ହ୍ରାସ ଦେଖିବାକୁ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.