ମୁମ୍ୱାଇ: ମୁମ୍ୱାଇ ଗୋରେଗାଓଁ ପୂର୍ବରେ ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ମାମଲାରେ ୧୨ ବର୍ଷର ନାବାଳିକା ଏବଂ ତାଙ୍କ ମାଆକୁ ପୋଲିସ ଅଟକ ରଖିଛି । ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ପଡ଼ୋଶୀର ଦୁଇ ବର୍ଷର ଶିଶୁକୁ ଷଷ୍ଠ ମହଳାରୁ ତଳକୁ ଫିଙ୍ଗି ଦେଇଛି । ଅକ୍ଟୋବର ୧୪ ରାତି ୧୦ଟା  ମିନିଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ପୋଲିସ ସବୁ ଦିଗରୁ ମାମଲାର ତଦନ୍ତ କରୁଛି ।

ଆଜ୍ ତକ୍ ରିପୋର୍ଟ ଅନୁସାରେ ଦିଣ୍ଡୋସି ପୋଲିସ ଷ୍ଟେସନ ଅନ୍ତର୍ଗତ ଗୋରେଗାଁଓ ପୂର୍ବ ସ୍ଥିତ ନାଗରିକ ନିବାରା ପରିସରର ଏହି ଘଟଣା ଘଟିଛି । ଶିବଶାହୀ ପ୍ରକଳ୍ପର ବିଲ୍ଡିଂ ନମ୍ବର-୧ର ଷଷ୍ଠ ମହଲାରେ ଏହି ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଫ୍ଲାଟ ନମ୍ବର ୬୦୨ରେ ଦୁଇ ବର୍ଷର ଅବୀରା ସାକିର ଶେଖ୍ ନିଜ ପରିବାର ସହ ରହୁଥିଲେ । ଶିଶୁଟିର ପରିବାର ଘଟଣାର ପ୍ରାୟ ୧୫ ଦିନ ପୂର୍ବରୁ ହିଁ ଏଠାକୁ ରହିବାକୁ ଆସିଥିଲେ । ସେହି ମହଲାରେ ଜଣେ ୧୨ ବର୍ଷୀୟା ନାବାଳିକା ମଧ୍ୟ ନିଜ ପରିବାର ସହ ରହୁଥିଲେ ।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଅକ୍ଟୋବର ୧୪ ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଦୁଇ ବର୍ଷ ଶିଶୁକୁ ଷଷ୍ଠ ମହଲାରୁ ତଳକୁ ଠେଲି ଦିଆଯାଇଥିଲା । ଘଟଣା ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣା ପଛର କାରଣ କ'ଣ ଥିଲା ? ସେହି ସମୟରେ ପ୍ରକୃତରେ କ'ଣ ଘଟିଥିଲା, ତାହାର ସମ୍ପୂର୍ଣ୍ଣ ସୂଚନା ଏଯାଏଁ ସାମ୍ନାକୁ ଆସିନାହିଁ । ପୋଲିସ ମାମଲାର ତଦନ୍ତ କରୁଛି ଏବଂ ଅଭିଯୋଗ ସହ ଜଡ଼ିତ ତଥ୍ୟଗୁଡ଼ିକୁ ଯାଞ୍ଚ କରାଯାଉଛି ।

ଏହି ମାମଲାରେ ନାବାଳିକାଙ୍କ ମାଆଙ୍କ ଭୂମିକା ମଧ୍ୟ ତଦନ୍ତ ପରିସରଭୁକ୍ତ ରହିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଘଟଣା ପରେ ସେ ସୋସାଇଟିର କେବିନକୁ ଯାଇଥିଲେ ଏବଂ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଡିଲିଟ୍ କରିବାକୁ ଚେଷ୍ଟା କରିଥିଲେ । ସାଇବର ବିଶେଷଜ୍ଞଙ୍କ ସହାୟତାରେ ଡିଲିଟ୍ ହୋଇଥିବା ଫୁଟେଜକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏହି ଫୁଟେଜ୍ ଜରିଆରେ ମାମଲାର ତଦନ୍ତକୁ ଆଗକୁ ବଢ଼ାଇବାରେ ସହାୟତା ମିଳିଥିବା କୁହାଯାଇଛି । ବର୍ତ୍ତମାନ ୧୨ ବର୍ଷୀୟା ନାବାଳିକା ଏବଂ ତାଙ୍କ ମାଆ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ଘଟଣା ସମୟର ପରିସ୍ଥିତି, ସିସିଟିଭି ଫୁଟେଜ୍ ଏବଂ ମାଆଙ୍କ ସମ୍ଭାବ୍ୟ ଭୂମିକାର ଯାଞ୍ଚ କରୁଛି ।