ଇସ୍ଲାମାବାଦ: ଶାସକ ପାକିସ୍ତାନ ମୁସ୍ଲିମ ଲିଗ୍-ନୱାଜ (ପିଏମଏଲ-ଏନ୍) ର ନଜୀବ ନକୀ ଗୁରୁବାର ପାକ୍ ଅଧିକୃତ କାଶ୍ମୀର (ପିଓକେ) ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ପିଓକେ ବିଧାନସଭାରେ ଅନୁଷ୍ଠିତ ତଥାକଥିତ ନିର୍ବାଚନରେ ନକିଙ୍କୁ ୩୨ଟି ଭୋଟ ମିଳିଛି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ପ୍ୟୁପିଲସ୍ ପାର୍ଟି (ପିପିପି)ଚୌଧୁରୀ ଲତିଫ ଅକବରଙ୍କୁ ୧୩ଟି ଭୋଟ ମିଳିଛି। ଏହି ନିର୍ବାଚନରେ କେବଳ ବିଧାନସଭା ସଦସ୍ୟ ହିଁ ମତଦାତା ଥିଲେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନ ଅନୁସାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ନକୀଙ୍କୁ ତାଙ୍କ ବିଜୟରେ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି। ଏହା ପୂର୍ବରୁ ନକୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ସୁଲତାନ ମହମୁଦ ଚୌଧୁରୀଙ୍କ ପରଲୋକ ପରେ ପିଓକେ ରାଷ୍ଟ୍ରପତି ପଦବୀ ଗତ ଜାନୁୟାରୀରୁ ଖାଲିଥିଲା। ପିଓକେରେ ଅନୁଷ୍ଠିତ ତଥା କଥିତ ବିଧାନସଭା ନିର୍ବାଚନକୁ ଭାରତ କେବଳ ଲୋକଦେଖାଣିଆ ବୋଲି କହିଥିଲା। ଏଥିରେ ଏପରି ଫାଙ୍କା କାର୍ଯ୍ୟକ୍ରମ କ୍ଷେତ୍ରର ବାସ୍ତବିକତାକୁ ଲୁଚାଇ ପାରିବନି ବୋଲି ମଧ୍ୟ ଭାରତ କହିଥିଲା।