ନୂଆଦିଲ୍ଲୀ: ନିକଟରେ ବିଶକେଶରେ ସାଙ୍ଘାଇ ସହଯୋଗ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ସହ ଆଲୋଚନା କରିବା ଆମେରିକାକୁ ହଜମ ହୋଇ ନଥିଲା। ହେଲେ ଭାରତରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଯେଉଁ ଫଟୋ ସାମ୍ନାକୁ ଆସିଛି, ତାହା ଦେଖିବା ପରେ ହୁଏତ ଟ୍ରମ୍ପଙ୍କ ଆଖି ଲାଲ୍ ହୋଇପାରେ। ସେଦିନର ଆମେରିକାର ସେଇ ମନ୍ତବ୍ୟ ଆଜି ପରୋକ୍ଷରେ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଶୁକ୍ରବାର ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସି ପହଞ୍ଚିଛନ୍ତି ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ। ଆଉ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ପରେ ତାଙ୍କ ହାତ ଧରି ଯେଉଁଭଳି ଭାବେ ବନ୍ଧ୍ୱତ୍ୱପୂର୍ଣ୍ଣ ଭବ୍ୟ ସ୍ୱାଗତ ଆଳରେ ଚାଲୁଛନ୍ତି, ତାହା ହୁଏତ ଆମେରିକାକୁ ହାଲ୍କା ଖଟ୍ଟା ଲାଗିପାରେ। ବିଶ୍ୱର ଭୂରାଜନୈତକ ସ୍ଥିତି ବିଭାଜିତ ହୋଇ ରହିଥିବା ବେଳେ ଏହି ଚିତ୍ର ଭାରତର ଦଳ ନିରପେକ୍ଷ ନୀତିକୁ ପୁଣିଥରେ ଦୃଢ଼ ଭାବେ ଦୋହରାଇଛି।

ବିଶ୍ୱ ଯେତେବେଳେ ଭୂ-ରାଜନୈତିକ ବିଭାଜନ ମଧ୍ୟରେ ଗତି କରୁଛି, ସେତେବେଳେ ନୂଆଦିଲ୍ଲୀରେ ଆୟୋଜିତ BRICS ବିଜନେସ୍ ସମିଟ୍ର ଗୋଟିଏ ଫଟୋ ଭାରତର କୂଟନୈତିକ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛି। ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ହାତ ଧରିଥିବା ବେଳେ ତାଙ୍କ ସହ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା ମଧ୍ୟ ନଜର ଆସିଥିଲେ।

ଏହି ଫଟୋର ଗୁରୁତ୍ୱ ସମୟ ଯୋଗୁ ଆହୁରି ବଢ଼ିଯାଇଛି। ଇରାନ୍ ବର୍ତ୍ତମାନ ଏପରି ଏକ ସଂଘର୍ଷର କେନ୍ଦ୍ରରେ ରହିଛି, ଯାହା ଶକ୍ତି ଯୋଗାଣ ଓ ସମୁଦ୍ର ବାଣିଜ୍ୟକୁ ପ୍ରଭାବିତ କରିଛି। ଅନ୍ୟପଟେ, ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷିଆ ଉପରେ ପଶ୍ଚିମ ଦେଶଗୁଡ଼ିକର ବ୍ୟାପକ କଟକଣା ଜାରି ରହିଛି। ହେଲେ ଦୁଇ ଦେଶ ସହିତ ଭାରତ ନିଜର କୂଟନୈତିକ ସମ୍ପର୍କ ଓ ଆଲୋଚନାର ବାଟ କିନ୍ତୁ ଖୋଲା ରଖିଛି। କେବଳ ସେତିକି ନୁହେଁ, ଅନ୍ୟପଟେ ଆମେରିକା ଓ ଅନ୍ୟ ପଶ୍ଚିମ ଦେଶଗୁଡ଼ିକ ସହ ମଧ୍ୟ ଭାରତ ନିଜର ରଣନୈତିକ ସହଭାଗିତାକୁ ଜାରି ରଖିଛି।

ଇରାନ୍ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକରେ ମଧ୍ୟ ଭାରତ ନିଜ ନୀତି ସ୍ପଷ୍ଟ କରିଥିଲା। ମୋଦୀ ସଂଘର୍ଷର ଅନ୍ତ ପାଇଁ ଆଲୋଚନା ଓ କୂଟନୀତିର ମାର୍ଗ ଆପଣାଇବାକୁ ଆହ୍ୱାନ ଦେଇଥିଲେ। ଏହାସହ ସାଧାରଣ ନାଗରିକ, ବାଣିଜ୍ୟିକ ଜାହାଜ ଓ ସମୁଦ୍ରଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଜଳପଥରେ ସ୍ୱାଧୀନତା ଏବଂ ବାଣିଜ୍ୟକୁ କୌଣସି ପରିସ୍ଥିତିରେ ବାଧାପ୍ରାପ୍ତ କରାଯିବା ଉଚିତ ନୁହେଁ ବୋଲି ଦ୍ୱିପାକ୍ଷିକ ଆଲୋଚନାରେ କହିଥିଲେ ପ୍ରଧାନମନ୍ତ୍ରୀ।

ସେହିପରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅଲଗା ବୈଠକରେ ମଧ୍ୟ ମୋଦୀ ଶାନ୍ତିର ବାର୍ତ୍ତା ଦେଇଥିଲେ। ଦୁଇ ନେତା ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ ଓ ରଣନୈତିକ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ୟୁକ୍ରେନ୍ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଆହ୍ୱାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପୁଣିଥରେ ଦୋହରାଇଥିଲେ।

ଭାରତ ନିଜ ନୀତି ନେଇ ଆରମ୍ଭରୁ ଖୁବ୍ ସ୍ପଷ୍ଟ ରହି ଆସିଛି। ଏହାର ନୀତି କେବଳ ନିଷ୍କ୍ରିୟ ନିରପେକ୍ଷତା ନୁହେଁ; ବରଂ ଭାରତ ଶାନ୍ତିର ପକ୍ଷରେ ବୋଲି କହି ଆସିଛି। କୌଣସି ଏକ ଭୂ-ରାଜନୈତିକ ଶିବିରରେ ସମ୍ପୂର୍ଣ୍ଣ ଭାବେ ନିଜକୁ ବାନ୍ଧି ନ ରଖି, ପରସ୍ପର ବିରୋଧୀ ଦେଶଗୁଡ଼ିକ ସହ ମଧ୍ୟ ଆଲୋଚନା ଓ ସହଯୋଗ ଜାରି ରଖିଛି ଭାରତ। ବ୍ରିକ୍ସ ସମିଟର ଆୟୋଜନ ଓ ଭାରତର ନେତୃତ୍ୱରେ ଏହି କୂଟନୈତିକ ସନ୍ତୁଳନ ଆହୁରି ସ୍ପଷ୍ଟ ହୋଇଛି। ସହଯୋଗ ଓ ଆଲୋଚନାକୁ ମୁଖ୍ୟ ଥିମ୍ ଭାବେ ରଖି ଭାରତ ଏକ ବିଭାଜିତ ବିଶ୍ୱରେ ସମସ୍ତ ପକ୍ଷ ସହ ସମ୍ପର୍କ ରଖିବାର ନୀତିକୁ ଆଗକୁ ବଢ଼ାଇଛି।

ତେଣୁ ବ୍ରିକ୍ସ ବିଜନେସ୍ ସମିଟର ସେହି ଗୋଟିଏ ଫଟୋ କେବଳ ଏକ ସାଧାରଣ ଫଟୋ ନୁହେଁ। ଏହା ମାଧ୍ୟମରେ ବିଶ୍ୱକୁ ଭାରତର ସନ୍ଦେଶ ସ୍ପଷ୍ଟ ଯେ ଇରାନ୍ ଓ ରୁଷିଆ ସହ ସମ୍ପର୍କ ରଖିବା ସହ ଆମେରିକା ଓ ପଶ୍ଚିମ ଦେଶଗୁଡ଼ିକ ପାଇଁ ମଧ୍ୟ ଆଲୋଚନାର ଦ୍ୱାର ଖୋଲା ରଖିବା। ଅର୍ଥାତ୍, ବିଶ୍ୱ ଯେତେ ଅଧିକ ବିଭାଜିତ ହେଉଛି, ଭାରତ ସେତେ ଅଧିକ ସନ୍ତୁଳନ, ଶାନ୍ତି ଓ ସହଯୋଗର ରାସ୍ତାକୁ ଗୁରୁତ୍ୱ ଦେଉଛି।