ନୂଆଦିଲ୍ଲୀ: ଗଲ୍ଫ ଅଫ୍ ଆଡେନରେ ବୁଧବାର ରାତିରେ ଭାରତୀୟ ନୌସେନା ଏକ ଜଳଦସ୍ୟୁ ଆକ୍ରମଣ ଉଦ୍ୟମକୁ ବିଫଳ କରିଦେଇଛି। ସୂତ୍ର ଅନୁଯାୟୀ, ଭାରତ ପାଇଁ ଅତି ଜରୁରୀ ସାମଗ୍ରୀ ପରିବହନ କରୁଥିବା ଏକ ବାଣିଜ୍ୟିକ ଜାହାଜରୁ ଜରୁରୀକାଳୀନ ସଙ୍କେତ ମିଳିଥିଲା । ସ୍ଥିତିର ଗମ୍ଭୀରତାକୁ ଦେଖି ନୌସେନାର ଯୁଦ୍ଧଜାହାଜ ଆଇଏନଏସ ତ୍ରିକନ୍ଦ ତୁରନ୍ତ ସେଠାରେ ପହଞ୍ଚିଥିଲା ।

ଆକ୍ରମଣର ଶିକାର ହୋଇଥିବା ଜାହାଜର ନାଁ ‘ଏମଭି ଗୋଲ୍ଡେନ ଆର୍ସେନାଲ’ । ଏଥିରେ ଜଣେ ଭାରତୀୟ କ୍ରୁ ମଧ୍ୟ ସାମିଲ ଥିଲେ। ସନ୍ଦିଗ୍ଧ ଜଳଦସ୍ୟୁମାନେ ଜାହାଜ ଉପରକୁ ଚଢ଼ିବାକୁ ଚେଷ୍ଟା କରିବା ଦେଖି କର୍ମଚାରୀମାନେ ତୁରନ୍ତ ଆଣ୍ଟି-ପାଇରେସି ପ୍ରୋଟୋକଲ୍ ଅନୁଯାୟୀ ନିଜକୁ ଏକ ସୁରକ୍ଷିତ କୋଠରୀ ବନ୍ଦ କରି ଦେଇଥିଲେ । ଏହାପରେ ଜରୁରୀକାଳୀନ ଯୋଗାଯୋଗ ମାଧ୍ୟମରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ।

ଅଞ୍ଚଳରେ ମୁତୟନ ଥିବା ଆଇଏନଏସ ତ୍ରିକନ୍ଦ ବିପଜ ସଂକେତ ପାଇବା ପରେ ବାଣିଜ୍ୟିକ ଜାହାଜର ସୁରକ୍ଷା ପାଇଁ ଅଗ୍ରସର ହୋଇଥିଲା। ଭାରତୀୟ ନୌସେନାର ଯୁଦ୍ଧଜାହାଜକୁ ନିଜ ଆଡ଼କୁ ଆସୁଥିବା ଦେଖି ସନ୍ଦିଗ୍ଧ ଜଳଦସ୍ୟୁମାନେ ସେଠାରୁ ଚମ୍ପଟ ମାରିଥିଲେ । ଏହି ଘଟଣା ପରେ, ଭାରତୀୟ ନୌସେନାର ସ୍ପେଶାଲ ମାରିନ କମାଣ୍ଡୋ (ମାର୍କୋସ) ଏମଭି ଗୋଲ୍ଡେନ ଆର୍ସେନାଲ ଜାହାଜରେ ଯାଞ୍ଚ କରି ସୁରକ୍ଷା ସୁନିଶ୍ଚିତ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗଲ୍ଫ ଅଫ୍ ଆଡେନ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବାଣିଜ୍ୟ ପଥ ମଧ୍ୟରୁ ଅନ୍ୟତମ। ଆଫ୍ରିକାର ‘ହର୍ଣ୍ଣ ଅଫ୍ ଆଫ୍ରିକା’ ନିକଟରେ ଥିବାରୁ ଏଠାରେ ପ୍ରାୟତଃ ଜଳଦସ୍ୟୁମାନଙ୍କର ଆକ୍ରମଣ ଦେଖିବାକୁ ମିଳିଥାଏ। ଏହି କାରଣରୁ ଭାରତୀୟ ନୌସେନା ସେହି ଅଞ୍ଚଳରେ ନିଜର ଶକ୍ତିଶାଳୀ ଯୁଦ୍ଧଜାହାଜଗୁଡ଼ିକୁ ମୁତୟନ କରି ବାଣିଜ୍ୟିକ ଜାହାଜଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଆସୁଛି।