ଭୁବନେଶ୍ୱର: କଟକରୁ ଭୁବନେଶ୍ୱର, ମାଲକାନାଗିରିରୁ ସୁବର୍ଣ୍ଣପୁର ! ରାଜ୍ୟର ପ୍ରାୟ ଅନେକ ଜିଲ୍ଲାରେ ଏବେ ଦେଖାଦେଇଛି ତେଲ ସଙ୍କଟ l ଅନେକ ଟାଙ୍କିରେ ତେଲ ନଥିବା ବେଳେ ଯେଉଁଠି ତେଲ ରହିଛି ସେହି ଟାଙ୍କିରେ ଲୋକଙ୍କ ଭିଡ଼ l ଭୁବନେଶ୍ୱରରେ ବିଭିନ୍ନ ପେଟ୍ରୋଲ ପମ୍ପରେ ସାଂଘାତିକ ଭିଡ଼। ଏପରିକି ରାସ୍ତା ଯାଏଁ ଲମ୍ବିଛି ଲାଇନ୍। ଅବସ୍ଥା ଏମିତି ଯେ ଟ୍ରାଫିକ ଜାମ୍ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଟାଙ୍କିରେ ଡିଜେଲ ନଥିବାରୁ ଯେଉଁ ଟାଙ୍କିରେ ରହିଛି ସେହି ଟାଙ୍କିରେ ଲୋକଙ୍କ ଭିଡ଼ ଦେଖାଦେଇଛି l ବାହାର ରାଜ୍ୟରୁ ଆସୁଥିବା ମାଲବାହୀ ଯାନବାହାନ ଗୁଡିକ ମଧ୍ୟ ଅନେକ ଟାଙ୍କିରେ ତେଲ ନଥିବାରୁ ନିରାଶ ହୋଇ ଆସି ଯେଉଁ ଟାଙ୍କିରେ ତେଲ ରହିଛି ସେହି ଟାଙ୍କିରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଦେଖାଦେଇଛି l ଏବେ ଜିଲ୍ଲାରେ ଅନେକ ସ୍ଥାନରେ ଧାନ ଅମଳ ହେବା ସମୟ ପାଖେଇ ଆସିଥିବାରୁ ଲୋକେ ଘରେ ଥିବା ଟ୍ରାକ୍ଟର, ଧାନ କଟା ମେସିନ ପାଈଁ ବୋତଲ ବଡ଼ ବଡ଼ ପ୍ଲାଷ୍ଟିକ ଯାରରେ ନେଉଥିବା ଦେଖାଦେଇଛି l

କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଅଞ୍ଚଳରେ ଗତ ଦୁଇ ଛଅ ଧରି ପେଟ୍ରୋଲ ଓ ଡିଜେଲ୍ ଅଭାବ ଦେଖାଦେଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ବଢ଼ିଛି। ବିଶେଷ କରି ବାଇକ୍, ଅଟୋ, କାର୍ ଓ ବସ୍ ଚାଳକମାନେ ଇନ୍ଧନ ନମିଳିବାରୁ ହନ୍ତସନ୍ତ ହେଉଛନ୍ତି। ଅନେକ ଲୋକ ଦୈନନ୍ଦିନ କାମ ପାଇଁ ଯାତାୟାତ କରିପାରୁନଥିବା ବେଳେ କର୍ମଚାରୀ ଓ ବ୍ୟବସାୟୀମାନେ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି। ସୂଚନା ଅନୁସାରେ ଜି. ଉଦୟଗିରିରେ ଥିବା ଦୁଇଟି ପ୍ରମୁଖ ପେଟ୍ରୋଲ ପମ୍ପ ନାୟାରା ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ ପମ୍ପରେ ପେଟ୍ରୋଲ ଓ ଡିଜେଲ୍ ଷ୍ଟକ୍ ଶେଷ ହୋଇଯାଇଛି। ଏହାଫଳରେ ଗାଡ଼ି ଚାଳକମାନେ ଦିନକୁ ଦିନ ଅଧିକ ଅସୁବିଧାରେ ପଡ଼ୁଛନ୍ତି। ଅନେକେ ପମ୍ପକୁ ଆସି ଖାଲି ହାତରେ ଫେରୁଥିବା ଦେଖାଯାଇଛି। କେହି କେହି ନିକଟସ୍ଥ ଅନ୍ୟ ଅଞ୍ଚଳକୁ ଇନ୍ଧନ ପାଇଁ ଯାଉଥିବା ବେଳେ କେତେକ ଲୋକ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି।

ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଅଟୋ ଓ ବସ୍ ଚାଳକମାନେ। ଦିନକୁ ଦିନ ଯାତ୍ରୀ ପରିବହନ ଉପରେ ନିର୍ଭର କରୁଥିବା ଏହି ଚାଳକମାନଙ୍କ ରୋଜଗାର ପ୍ରାୟ ଠପ୍ ହୋଇଯାଇଛି। ଅନେକ ଅଟୋ ଷ୍ଟାଣ୍ଡରେ ଗାଡ଼ି ଖାଲି ଥିବା ଦେଖିବାକୁ ମିଳିଛି। ବସ୍ ସେବା ମଧ୍ୟ କେତେକ ରୁଟ୍ରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏହି ପରିସ୍ଥିତିର ସୁଯୋଗ ନେଇ କେତେକ ଖୁଚୁରା ବିକ୍ରେତା ବୋତଲରେ ପେଟ୍ରୋଲ ବିକ୍ରି କରି ସାଧାରଣ ଲୋକଙ୍କୁ ଅଧିକ ଦାମ ନେଉଥିବା ଅଭିଯୋଗ ହେଉଛି। ସାଧାରଣ ଦାମଠାରୁ ଅଧିକ ଟଙ୍କା ନେଇ ପେଟ୍ରୋଲ ବିକ୍ରି କରାଯାଉଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

କେତେକ ସ୍ଥାନରେ ଲିଟର ପିଛା ଅଧିକ ଦରରେ ପେଟ୍ରୋଲ ବିକ୍ରି ହେଉଥିବା କଥା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସମୟମତେ ଇନ୍ଧନ ଯୋଗାଣ ନହେବା ଓ ପର୍ଯ୍ୟାପ୍ତ ମହଜୁତ ନଥିବାରୁ ଏଭଳି ସମସ୍ୟା ଉପସ୍ଥିତ ହୋଇଛି। ଯଦି ଆଗାମୀ କିଛି ଦିନ ମଧ୍ୟରେ ପରିସ୍ଥିତି ସୁଧାର ନଆସେ, ତେବେ ସାଧାରଣ ଜୀବନଯାତ୍ରା ଓ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି।ଏନେଇ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ତୈଳ କମ୍ପାନୀ କର୍ତ୍ତୃପକ୍ଷ ଶୀଘ୍ର ପଦକ୍ଷେପ ନେଇ ଜି ଉଦୟଗିରିରେ ପେଟ୍ରୋଲ ଓ ଡିଜେଲ୍ ଯୋଗାଣ ସ୍ୱାଭାବିକ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି।ବହୁ ଯାତ୍ରୀ ବାହୀ ବନ୍ଦ ହୋଇଥିବାର ଜଣା ପଡିଛି।

ପେଟ୍ରୋଲ-ଡିଜେଲ ଅଭାବ ସ୍ଥିତିକୁ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଂଜୟ ଲାଠ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଡିଜେଲ ମହଜୁଦ୍ ଅଛି ବୋଲି କହିଛନ୍ତି। କିଛି ସ୍ଥାନରେ ଲୋକେ ଅଧିକ ମାତ୍ରାରେ ତେଲ କିଣିବା ଯୋଗୁ ତେଲ ଟାଙ୍କିରୁ ତେଲ ସରିଯାଇଛି । ଟିକେ ସମୟ ଦେଲେ ସେସବୁ ଟାଙ୍କିରେ ତେଲ ପହଞ୍ଚିଯିବ ବୋଲି ସେ କହିଛନ୍ତି।

ଏଭଳି ପରିସ୍ଥିତି କାହିଁକି ଉପୁଜିଲା ? କମ୍ପାନୀ,ସରକାର କିମ୍ବା ଡିଲରମାନଙ୍କ ମଧ୍ୟରେ ସମନ୍ୱୟ ରହିଲା ନାହିଁ କାହିଁକି ? ପ୍ରକୃତରେ ଦୋଷ କାହାର ସରକାରଙ୍କର ,କମ୍ପାନୀ ନା ଲୋକଙ୍କର ? ଏବେ ନେଇ ପ୍ରଶ୍ନ ଉଠୁଥିବା ବେଳେ ଡିଲର ସଂଘ କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତି ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି। ଏ ଅଭାବ ଯୋଗାଣ କମ ଯୋଗୁ ନୁହେଁ ବରଂ ଭୟଭିତ ହୋଇ ଅଧିକ କିଣିନେବାରୁ ଏଭଳି ପରିସ୍ଥିତି ଉପୁଜିଛି। ଗତ ୩ ଦିନରେ ୫୦ ପ୍ରତିଶତ ତୈଳ ବିକ୍ରି ବୃଦ୍ଧି ହୋଇଛି।​​​​​​​