ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବେ ବି ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଏହାରି ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଚିନ୍ତାରେ ପକାଇବ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଏହି ବୃଦ୍ଧି ୧୫ ତାରିଖ ପୂର୍ବରୁ ଆଶା କରାଯାଉଛି। ସୂତ୍ର ଅନୁସାରେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଏହା ତୈଳ କମ୍ପାନୀଗୁଡ଼ିକ (OMCs) ଉପରେ ଯଥେଷ୍ଟ ଆର୍ଥିକ ଚାପ ସୃଷ୍ଟି କରିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉପରମୁହାଁ । ବ୍ୟାରେଲ ପିଛା ଏହା ୭୦ ଡଲାରରୁ ବଢ଼ି ହୋଇଛି ୧୨୬ ଡଲାର । କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ରହିଛି ସ୍ଥିର । ଏଭଳି ସ୍ଥିତିରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକର କ୍ଷତି ବଢ଼ିଚାଲିଛି । ଆଗକୁ ଏହି ବୋଝର କିଛି ଭାଗ ଖାଉଟିଙ୍କୁ ମୁଣ୍ଡାଇବାକୁ ପଡ଼ିପାରେ । ଏକ ସୂତ୍ରରୁ ଜଣାପଡ଼ିଛି, ମେ’ ୧୫ ପୂର୍ବରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିପାରେ ।

ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ବିକ୍ରିରେ ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ ମାସିକ କ୍ଷତି ୩୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ବର୍ଦ୍ଧିତ ଅନ୍ତର୍ଜାତୀୟ ଦରର ପ୍ରଭାବକୁ ସୀମିତ କରିବା ପାଇଁ ମାର୍ଚ୍ଚ ଶେଷ ଭାଗରେ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦ ଶୁଳ୍କରେ ୧୦ ଟଙ୍କା ହ୍ରାସ କରିଥିଲେ । ଏହାସତ୍ତେ୍ୱ ତୈଳ ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକ ପ୍ରଚୁର ମାତ୍ରାରେ କ୍ଷତି ସହୁଛନ୍ତି ।

ଉତ୍ପାଦ ଶୁଳ୍କ ହ୍ରାସ ଯୋଗୁ ମାସକୁ ସରକାର ପ୍ରାୟ ୧୪,୦୦୦ କୋଟି ଟଙ୍କାର ରାଜସ୍ୱ ହରାଉଥିବା ଶର୍ମା କହିଛନ୍ତି । ସରକାର ଯଦି ଉତ୍ପାଦ ଶୁଳ୍କକୁ ହ୍ରାସ କରିନଥାନ୍ତେ ତେବେ ଇନ୍ଧନ ବିକ୍ରିରେ ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ କ୍ଷତି ଆହୁରି ଅଧିକ ହୋଇଥାନ୍ତା ବୋଲି ଶର୍ମା କହିଛନ୍ତି ।

ହୋର୍ମୁଜ ମାର୍ଗ ଅବରୋଧ ଫଳରେ ବିଶ୍ୱର ୨୦% ତୈଳ ପରିବହନ ଠପ୍ ହୋଇଯାଇଛି । ଏସବୁ ବାହ୍ୟ ଝଟ୍କା ସତ୍ତେ୍ୱ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି । ରିଟେଲ ଦର ଏବଂ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ମଧ୍ୟରେ ତାଳମେଳ ନାହିଁ । ଉଭୟ ସରକାର ଏବଂ ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ସମାନ ଭାବେ ବୋଝକୁ ବହନ କରୁଛନ୍ତି । ଲିଟର ପିଛା ପେଟ୍ରୋଲ ଉପରେ ସରକାର ଏବଂ ତୈଳ କମ୍ପାନିଗୁଡ଼ିକ ୨୪ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି ।

ସେହିଭଳି ଲିଟର ଡିଜେଲରେ କ୍ଷତି ପରିମାଣ ରହିଛି ୩୦ ଟଙ୍କା । ସୂତ୍ର ଅନୁସାରେ, ଯଦି ଦରବୃଦ୍ଧିକୁ ଅନୁମୋଦନ ମିଳେ ତେବେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ୪ରୁ୫ ଟଙ୍କା ଓ ଘରୋଇ ଏଲ୍ପିଜି ସିଲିଣ୍ଡର ୪୦ରୁ୫୦ ଟଙ୍କା ମହଙ୍ଗା ହୋଇପାରେ । ଯଦି ଏହା ହୁଏ ୪ ବର୍ଷ ମଧ୍ୟରେ ଉଭୟ ଇନ୍ଧନ ଦରରେ ଏହା ହେବ ବୃହତ୍ ସଂଶୋଧନ।