ନୂଆଦିଲ୍ଲୀ, ୦୩/୦୫ : ମଧ୍ୟପ୍ରାଚ୍ୟରେ ଅଶାତି ଥମିବାର ନାଁ ଧରୁ ନାହିଁ । ହର୍ମୋଜ୍ ଜଳମାର୍ଗରେ ଜାହାଜ ଚଳାଚଳ ଠପ୍ । ଏଭଳି ସ୍ଥିତିରେ ବିଶ୍ୱ ତୈଳ ଯୋଗାଣ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ପରିଣାମ ସ୍ୱରୂପ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୧୦ ଡଲାର ଉପରେ ରହିଛି । ଗୁରୁବାର ଏହା ୧୨୬ ଡଲାର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧିକୁ ଏଡ଼ାଯାଇପାରିବ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ରେକର୍ଜ ଉଚ୍ଚ ସ୍ତରରେ ଥିବା ସତ୍ତ୍ୱେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଗତ ୪ ବର୍ଷ ଧରି ଅପରିବର୍ଲିତ ରହିଛି। ତେଣୁ ତୈଳ କମ୍ପାନିଗୁଡ଼ିକ ପ୍ରଚୁର କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ ଆଗକୁ ଇନ୍ଧନ ଦରରେ ଏକ ବୃଦ୍ଧି ସମ୍ଭାବନା ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୪ରୁ୫ ଟଙ୍କା ବଢ଼ିପାରେ। ଅନ୍ୟପକ୍ଷରେ, ଘରୋଇ ଏଲପିଜି ସିଲିଣ୍ଡର ୪୦-୫୦ ଟଙ୍କା ମହଙ୍ଗା ହୋଇପାରେ । ଯଦି ଏହା ହୁଏ ତେବେ ୪ ବର୍ଷ ମଧ୍ୟରେ ଏହା ପେଟ୍ରୋଲ ଏବଂ ଡିଜେଲ ବରରେ ହେବ ପ୍ରଥମ ବୃଦ୍ଧି । ୨୦୨୨ରୁ ଉଭୟ ଇନ୍ଧନ ଦର ସ୍ଥିର ରହିଛି । ସୂଚନାଯୋଗ୍ୟ, ନିକଟରେ ୫ଟି ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଇନ୍ଧନ ଦର ବଢ଼ିବ ବୋଲି ଏକ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଥିଲେ। କିନ୍ତୁ ବର୍ତ୍ତମାନ ଭିନ୍ନ ରିପୋର୍ଟରେ ଦରବୃଦ୍ଧି ସମ୍ଭାବନା ରହିଥିବା ଉଲ୍ଲେଖ କରାଯାଇଛି । ମଧ୍ୟପ୍ରାଚ୍ୟରେ ଅଶାନ୍ତି ଜାରି ରହିଥିବାବେଳେ ଯୋଗାଣ ସ୍ଥିତି ଆହୁରି ଖରାପ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ପରିବହନଜନିତ ସମସ୍ୟା ଏବଂ ଲମ୍ବା ସମୟ ଧରି ଲାଗି ରହିଥିବା ଅସ୍ଥିରତା ଯୋଗୁ ଅଶୋଧିତ ତୈଳ ବର ଗତ କିଛି ସପ୍ତାହ ହେବ ବଢ଼ିଚାଲିଛି। ଫଳରେ ତୈଳ ଜମ୍ପାନିଗୁଡ଼ିକର ଉତ୍ପାଦନ ଖର୍ଜ ବୃଦ୍ଧି ପାଇଛି। ଘରୋଇ ବଜାରରେ ଦର ସ୍ଥିର ରହିଥିବାବେଳେ ଇନ୍ଧନ ବିକ୍ରିରେ ପ୍ରଚୁର କ୍ଷତି ସହୁଛତି ତୈଳ କମ୍ପାନି I ବର୍ଧିତ ଅଶୋଧିତ ତୈଳ ଦର ସରକାରଙ୍କ ଉପରେ ଆର୍ଥିକ ଚାପ ବଢ଼ାଇଛି। ତେଣୁ ସରକାର ସବସିଡି କିମ୍ବା ଟିକସ ହ୍ରାସ କରି ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ ମଧ୍ୟ ଅସମର୍ଥ ହେଉଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ମଧ୍ୟପ୍ରାଚ୍ୟ ଅସ୍ଥିରତା ଏବଂ ବିଶ୍ୱ ଶକ୍ତି ବଜାର ଉପରେ ଏହାର ପ୍ରଭାବ ଉପରେ କେନ୍ଦ୍ର ସରକାର ନଳର ରଖିଛନ୍ତି। ଯଦିଓ କୌଣସି ଚୂଡ଼ାନ୍ତ ନିଷ୍ପତି ନିଆଯାଇନାହିଁ କିନ୍ତୁ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ସମ୍ଭାବନା ରହିଥିବା ଜଣାପଡ଼ିଛି। ଇନ୍ଧନ ଏବଂ ଏଲ୍ପିଜି ଦରରେ କୌଣସି ପ୍ରକାର ବୃଦ୍ଧି ପାରିବାରିକ ବଜେଟ୍କୁ ବିଗାଡ଼ିବ ଏବଂ ପରିବହନ ଖର୍ଚ୍ଚ ବଢ଼ାଇବ।