ବଲିଉଡ୍‌ର ଶେହେନଶାହ ତଥା ମହାନାୟକ ଅମିତାଭ ବଚ୍ଚନ। ଆଜି ତାଙ୍କ ୮୪ତମ ଜନ୍ମଦିନ । ନିଜର ଦମଦାର ଅଭିନୟ, ଗମ୍ଭୀର କଣ୍ଠସ୍ୱର ଓ ନିଆରା ଅନ୍ଦାଜରେ ଦଶନ୍ଧି ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ବିଗ୍ ବି। ସିନେମା ପରଦାରୁ ଆରମ୍ଭ କରି ଟେଲିଭିଜନ୍ର ଲୋକପ୍ରିୟ ମଞ୍ଚ, ସବୁଠି ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ। ଅନେକ ସୁପରହିଟ୍ ଫିଲ୍ମ ଓ ସଫଳ ଟେଲିଭିଜନ୍ ଯାତ୍ରା ତାଙ୍କୁ କରିଛି କୋଟି କୋଟି ଭାରତୀୟଙ୍କ ପ୍ରିୟ କଳାକାର। ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା ।

ଏହି 'ଶତାବ୍ଦୀର ମେଗାଷ୍ଟାର'  ଅପାର ଲୋକପ୍ରିୟତା ଏବଂ ପ୍ରଚୁର ସମ୍ପତ୍ତିର ଅଧିକାରୀ । ଆଜି ବିଗ୍ ବି' ଭାରତର ଦ୍ୱିତୀୟ ସର୍ବାଧିକ ଧନୀ ଅଭିନେତା ଭାବେ ପରିଚିତ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେତେବେଳେ ଏହି ମହାନ କଳାକାର ଜନ୍ମ ହୋଇଥିଲେ, ତାଙ୍କୁ ଘରକୁ ଆଣିବା ପାଇଁ ଏକ ସାଧାରଣ ଘୋଡ଼ାଗାଡ଼ିର ବ୍ୟବସ୍ଥା କରାଯାଇଥିଲା।

୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ପ୍ରୟାଗରାଜର କଟରା ଅଞ୍ଚଳରେ ଥିବା ଏକ ଛୋଟ ନର୍ସିଂ ହୋମ୍‌ରେ ଅମିତାଭ ବଚ୍ଚନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ବନ୍ଧୁ ମହେଶ ବାବୁ ଗୁପ୍ତାଙ୍କ ପୁଅ ଶାର୍ଦ୍ଦେନ୍ଦୁ ମହେଶଙ୍କ ସୂଚନା ଅନୁଯାୟୀ, ଜନ୍ମ ପରେ ଡାକ୍ତରଖାନାରୁ ତାଙ୍କୁ ଏକ ଘୋଡା ଗାଡିରେ ହିଁ ଘରକୁ ଅଣାଯାଇଥିଲା। ୧୯୬୯ରେ ବଲିଉଡରେ ପଦାର୍ପଣ କରିଥିବା ଅମିତାଭ ଆଜି ୮୪ ବର୍ଷ ବୟସରେ ମଧ୍ୟ ସେତିକି ଉତ୍ସାହର ସହ କାମ କରିଚାଲିଛନ୍ତି।

୨୦୦୦ ମସିହାରେ ‘କୌନ୍ ବନେଗା କରୋଡପତି’ ଜରିଆରେ ଟେଲିଭିଜନ୍ ଦୁନିଆରେ ପାଦ ଥାପିଥିଲେ ଅମିତାଭ। ତାଙ୍କର ଆକର୍ଷଣୀୟ ଉପସ୍ଥାପନା, ପ୍ରତିଯୋଗୀଙ୍କ ସହ ଆତ୍ମୀୟତା ଓ ନିଆରା ସଂଳାପ ଏହି କାର୍ଯ୍ୟକ୍ରମକୁ ଦେଇଛି ନୂଆ ପରିଚୟ। ଅଭିନୟ ହେଉ କି ଆଙ୍କରିଂ, ପ୍ରତ୍ୟେକ କ୍ଷେତ୍ରରେ ନିଜର ଛାପ ଛାଡ଼ିଛନ୍ତି ବିଗ୍ ବି।

ଏତିକି ହିଁ ନୁହେଁ 'ହୁରୁନ୍ ରିଚ୍ ଲିଷ୍ଟ ୨୦୨୬' ଅନୁଯାୟୀ, ଅମିତାଭ ବଚ୍ଚନଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୪,୦୦୦ କୋଟି ଟଙ୍କା ଅଟେ। ସେ ପ୍ରତିଟି ଚଳଚ୍ଚିତ୍ର ପାଇଁ ୮ରୁ ୧୦ କୋଟି ଟଙ୍କା ନେଉଥିବା ବେଳେ, ଲୋକପ୍ରିୟ ରିଅଲିଟି ଶୋ' 'କୌନ୍ ବନେଗା କ୍ରୋଡ଼ପତି' (KBC) ର ପ୍ରତି ଏପିସୋଡ୍ ପାଇଁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନିଅନ୍ତି।

ଦୀର୍ଘ କ୍ୟାରିୟର୍, ଅଗଣିତ ପ୍ରଶଂସକ ଓ ଅଦମ୍ୟ ଉତ୍ସାହ ଏହା ହିଁ ଅମିତାଭ ବଚ୍ଚନଙ୍କ ସଫଳତାର ପରିଚୟ। ସମୟ ବଦଳିଛି, ପିଢ଼ି ବଦଳିଛି, ହେଲେ ତାଙ୍କ ପ୍ରତି ଦର୍ଶକଙ୍କ ଭଲପାଇବା ଆଜି ବି ଅତୁଟ। ଏହି ମହାନାୟକଙ୍କ ଯାତ୍ରା ପ୍ରମାଣ କରେ ପ୍ରକୃତ ପ୍ରତିଭା କେବେ ଫିକା ପଡ଼େନାହିଁ! ଜଣେ ସାଧାରଣ ଘୋଡ଼ାଗାଡ଼ିରେ ଘରକୁ ଆସିଥିବା ପିଲାଟି ଆଜି ଭାରତୀୟ ସିନେମାର ସବୁଠାରୁ ବଡ଼ ସମ୍ରାଟ୍ ପାଲଟିଛନ୍ତି।