ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଆଉ ଗୋଟିଏ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସରେ ରହିପାରନ୍ତି । କିନ୍ତୁ ସେ ଆଉ ଦଳର ନେତୃତ୍ବ ନେବେ ନାହିଁ । ତାଙ୍କ ସ୍ଥାନରେ ଅନ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ। ସବୁଠାରୁ ବଡ଼ କଥା ହେଉଛି, ଏମଆଇ ପାଇଁ ଅଧିନାୟକ ବାଛିବା​‌ରେ ବଡ଼ ଭୂମିକା ନେଇପାରନ୍ତି ରୋହିତ ଶର୍ମା ।  ହାର୍ଦ୍ଦିକ ପାଣ୍ଡ୍ୟା IPL 2027 ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ରହିପାରନ୍ତି। ତାଙ୍କୁ ଅନ୍ୟ ଦଳକୁ ଟ୍ରେଡ୍ କରିବା ପାଇଁ ଉପଯୁକ୍ତ ଡିଲ୍ ମିଳିନଥିବାରୁ ଏହି ଟ୍ରେଡ୍ ହୋଇନପାରେ। ତେବେ ଫ୍ରାଞ୍ଚାଇଜ୍ ଏଥର ଅଧିନାୟକ ବଦଳାଇବାକୁ ନିଷ୍ପତ୍ତି ନେଇଛି।

ରୋହିତ ଶର୍ମାଙ୍କ ଭୂମିକା
ମୁମ୍ବାଇକୁ ୫ଟି ଆଇପିଏଲ୍ ଟାଇଟଲ୍ ଜିତାଇଥିବା ରୋହିତ ଶର୍ମା ପୁଣିଥରେ ଅଧିନାୟକ ପଦ ଗ୍ରହଣ କରିବାକୁ ଆଗ୍ରହୀ ନାହାନ୍ତି। କିନ୍ତୁ ନୂଆ ଅଧିନାୟକ ବାଛିବା ପ୍ରକ୍ରିୟାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମରା ଏବଂ ତିଳକ ବର୍ମା ଅଧିନାୟକ ପଦର ଦୌଡ଼ରେ ଅଛନ୍ତି । ହେଲେ ତିଳକ ବର୍ମା ସବୁଠାରୁ ଆଗରେ ରହିଛନ୍ତି।

କେକେଆର୍ କ୍ୟାମେରନ୍ ଗ୍ରୀନ୍‌ଙ୍କୁ ଟ୍ରେଡ୍ ଡିଲରେ ପ୍ରସ୍ତାବ ଦେଇଥିଲା, କିନ୍ତୁ ଗ୍ରୀନ୍‌ଙ୍କ କାର୍ଯ୍ୟଭାରକୁ ନେଇ ସନ୍ଦେହ ଥିବାରୁ ମୁମ୍ବାଇ ଏଥିରେ ସମ୍ମତ ହୋଇନଥିଲା। ସେପଟେ ନୂଆ ହେଡକୋଚ୍ ନିଯୁକ୍ତି ପରେ ସିଏସକେ ସହ ଆଲୋଚନା ହୋଇପାରେ। ତେବେ ଟ୍ରେଡ୍ ସମ୍ଭାବନା ବହୁତ କମ୍।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଯେତିକି, ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା । ଗତ ସିଜନ୍‌ରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ରଖିବ। ଦଳ ନିଜର 'ୱାନ ଫ୍ୟାମିଲି' ନୀତିରେ ବିଶ୍ୱାସ କରୁଥିବାରୁ ଗୋଟିଏ ଖରାପ ସିଜନ୍ ପାଇଁ ସୂର୍ଯ୍ୟଙ୍କୁ ବାହାର କରିବ ନାହିଁ। ଏହାସହ ମାହେଲା ଜୟବର୍ଦ୍ଧନେ ହେଡକୋଚ୍ ଭାବରେ ନିଜର ଦାୟିତ୍ୱ ତୁଲାଇବେ। ଅନ୍ୟପଟେ, IPL 2027 ପରେ ମେଗା ଅକ୍ସନ୍ (Mega Auction) ଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ବଡ଼ ଧରଣର ପରିବର୍ତ୍ତନରୁ ଓହରି ଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି।