ନୂଆଦିଲ୍ଲୀ: ଚଣ୍ଡୀଗଡ଼ରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ ସାମ୍ନାକୁ ଆସିଛି। ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବା ସମୟରେ ଜଣେ ଯାତ୍ରୀ ହଠାତ୍ ବିମାନର ଝରକା କାଚ ଭାଙ୍ଗି ଦେଇଥିଲେ। ରବିବାର (୭ ଜୁନ୍) ଦିନ ଏହି ଅଭାବନୀୟ ଘଟଣା ଘଟିଛି। ବିମାନଟି ସୁରକ୍ଷିତ ଭାବେ ଓହ୍ଲାଇବା ମାତ୍ରେ ସଂପୃକ୍ତ ଯାତ୍ରୀଙ୍କୁ ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ସୁରକ୍ଷାକର୍ମୀଙ୍କ ଜିମା ଦିଆଯାଇଛି। ପରବର୍ତ୍ତୀ ସମୟରେ ଜେରା ବେଳେ ଯାତ୍ରୀଜଣକ ମାନସିକ ସମସ୍ୟା ଦେଇ ଗତି କରୁଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଏୟାର ଇଣ୍ଡିଆର ଫ୍ଲାଇଟ୍ ନମ୍ବର AI1879 ଚଣ୍ଡୀଗଡ଼ରୁ ଉଡ଼ାଣ ଭରି ଦିଲ୍ଲୀରେ ପହଞ୍ଚିବାକୁ ଯାଉଥିଲା। ବିମାନଟି ରନୱେ ଛୁଇଁବାକୁ କିଛି ସମୟ ବାକି ଥିବାବେଳେ ଜଣେ ଯାତ୍ରୀ ଅତ୍ୟନ୍ତ ଆକ୍ରମଣାତ୍ମକ ଆଚରଣ ଦେଖାଇବା ସହ କ୍ୟାବିନ କ୍ରୁ’ଙ୍କ ଚେତାବନୀକୁ ବାରମ୍ବାର ଅଣଦେଖା କରିଥିଲେ। ଏହାପରେ ସେ ବିମାନର ଝରକାରେ ଆଘାତ କରି କାଚ ଭାଙ୍ଗି ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଭିଯୁକ୍ତ ଯାତ୍ରୀଙ୍କ ପିତାମାତା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ଯେ, ସେମାନଙ୍କ ପୁଅ ଦୀର୍ଘ ଦିନ ହେବ ମାନସିକ ଅସୁସ୍ଥତାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି।

ସୁରକ୍ଷାକର୍ମୀଙ୍କୁ ଦେଖି ମାଗିଲେ କ୍ଷମା

ବିମାନ ଭିତରେ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ଓ ପାଟିତୁଣ୍ଡ କରୁଥିବା ଏହି ଯାତ୍ରୀ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ନରମ ପଡ଼ିଯାଇଥିଲେ। ଏୟାରପୋର୍ଟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନ ଅବତରଣ କରିବା ପୂର୍ବରୁ ହିଁ ଗ୍ରାଉଣ୍ଡ ଷ୍ଟାଫ୍ଙ୍କୁ ସତର୍କ କରାଇ ଦିଆଯାଇଥିଲା। ବିମାନ ଓହ୍ଲାଇବା ପରେ ଯେତେବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଗିରଫ କରିବାକୁ ଆଗେଇ ଆସିଥିଲେ, ସେତେବେଳେ ଯାତ୍ରୀଜଣକ ନିଜ ଭୁଲ୍ ବୁଝିପାରି ବାରମ୍ବାର କ୍ଷମା ପ୍ରାର୍ଥନା କରିବାକୁ ଲାଗିଥିଲେ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବକ, ଏହି ମାମଲାକୁ ଏୟାରଲାଇନ୍ସ କମ୍ପାନୀ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ବିମାନ ଚଳାଚଳ ନିୟାମକ ସଂସ୍ଥାକୁ ଏହି ବିଷୟରେ ଅବଗତ କରାଯାଇଛି। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଆଭ୍ୟନ୍ତରୀଣ କମିଟି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ଯଦି ଯାତ୍ରୀଙ୍କ ଆଚରଣ ସୁରକ୍ଷା ପ୍ରତି ବିପଦ ବୋଲି ପ୍ରମାଣିତ ହୁଏ, ତେବେ ତାଙ୍କର ବିମାନ ଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇପାରେ।

ଏୟାର ଇଣ୍ଡିଆର 'ଜିରୋ-ଟଲରାନ୍ସ' ନୀତି

ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି ଯେ, କକ୍ପିଟ୍ କ୍ରୁ ଏବଂ କ୍ୟାବିନ କ୍ରୁ ନିର୍ଦ୍ଧାରିତ ମାନକ ପରିଚାଳନା ପ୍ରକ୍ରିୟା (SOP) ଅନୁସରଣ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଉଡ଼ାଣ ସମୟରେ ଅନ୍ୟ ଯାତ୍ରୀ କିମ୍ବା ବିମାନର ସୁରକ୍ଷା ସହ କୌଣସି ପ୍ରକାର ସାଲିସ କରାଯାଇ ନାହିଁ। କମ୍ପାନୀ ସ୍ପଷ୍ଟ କରିଛି ଯେ, ଯାତ୍ରୀ କିମ୍ବା କର୍ମଚାରୀଙ୍କ ନିରାପତ୍ତାକୁ ବିପନ୍ନ କରୁଥିବା ଯେକୌଣସି ଆଚରଣ ପ୍ରତି ଶୂନ୍ୟ ସହନଶୀଳତା ନୀତି ରହିଛି ।