ନୂଆଦିଲ୍ଲୀ ୦୫।୧୦; ସାରା ବିଶ୍ଵରେ ଡିଜେଲ୍ ଯୋଗାଣକୁ ନେଇ ଚିନ୍ତା ବଢ଼ିଛି। ଅଶୋଧିତ ତେଲ ମୂଲ୍ୟରେ ବୃଦ୍ଧି ଏବଂ ବିଶ୍ଵ ବଜାରରେ ଏହାର ଯୋଗା ଗାଣ ହ୍ରାସକୁ ନେଇ ଚାପ ବଢ଼ିଛି। ଏହାର ପ୍ରଭାବ ଏବେ ଭାରତ ବଜାର ଉପରେ ପଡ଼ିଛି। ଦେଶରେ ବଲ୍କ ଡିଜେଲ ବା ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ଡିଜେଲ ଦର ଲିଟର ପିଛା ୧୪.୬୦ ଟଙ୍କା ବଢ଼ିଛି।

ତେବେ ସାଧାରଣ ଗ୍ରାହକଙ୍କ ଲାଗି ପେଟ୍ରୋଲ ପମ୍ପଗୁଡିକରେ ମିଳୁଥୁବା ଡିଜେଲ ଦରରେ କୌଣସି ବୃଦ୍ଧି କରାଯାଇନାହିଁ । ମାତ୍ର ଅନ୍ତର୍ଜାତୀୟ ବଜାରରେ ଡିଜେଲ ଏବଂ ଅଶୋଧିତ ତେଲ ଦର ଉପରେ ଦୀର୍ଘଦିନ ଧରି ଚାପ ରହିଲେ ଏହାର ପ୍ରଭାବ ପରିବହନ କ୍ଷେତ୍ର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପଡିପାରେ। ଗଣମାଧ୍ୟମ ରିପୋର୍ଟ ମୁତାବକ ବଲ୍କ ଡିଜେଲ ଦର ଏବେ ୧୫୩.୫୭ ଟଙ୍କା ଛୁଇଁଛି। ବଲ୍କ ଡିଜେଲ ଏବଂ ସାଧାରଣ ପମ୍ପ ଗୁଡିକରେ ମିଳୁଥୁବା ଡିଜେଲ ଦରରେ ଢ଼େର ଅନ୍ତର ରହିଛି।

ନୂଆଦିଲ୍ଲୀରେ ରାଷ୍ଟ୍ରୀୟତ ତେଲ କମ୍ପାନିଗୁଡିକର ତେଲ ଟାଙ୍କିରେ ସାଧାରଣ ଡିଜେଲ ଦର ଲିଟର ପିଛା ୯୫.୬୪ - ଟଙ୍କା ରହିଛି । ଏଭଳି ସ୍ଥିତିରେ ବଲ୍କ ଡିଜେଲ ଗ୍ରାହକମାନେ ମଧ୍ୟ ସାଧାରଣ ଟାଙ୍କି ଗୁଡିକରେ ଡିଜେଲ ନେବା ଆରମ୍ଭ କରି ଦେଲେଣି। ଏହା ଦ୍ଵାରା ପମ୍ପ ଗୁଡିକରେ ଡିଜେଲ ଚାହିଦା ବୃଦ୍ଧି ହେବାର ଆଶଙ୍କା ରହିଛି। ବର୍ତ୍ତମାନ ତେଲ କମ୍ପାନିଗୁଡିକ ଦୈନିକ ଭିଭିରେ ୫୦୦ କୋଟିରୁ ଉର୍ଦ୍ଧ୍ବ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ କମ୍ପାନି ତେଲ ଦର ବଢ଼ାଇଲେ ଏହାର ପ୍ରଭାବ ପରିବହନ କ୍ଷେତ୍ର ସହ ଦରଦାମ ଉପରେ ପଡିବ ବୋଲି ଆଶଙ୍କା କରାଯାଇଛି।