​ମୁମ୍ୱାଇ: 'ହେରା ଫେରି ୩' ଘୋଷଣା ହେବାଠାରୁ ହିଁ ଚର୍ଚ୍ଚାରେ ରହିଆସିଛି । ଫିଲ୍ମର ଅଭିନେତାଙ୍କ ବୟାନବାଜି ପରେ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ରିପୋର୍ଟରୁ ଜଣାପଡ଼ିଛି ଯେ, ବରିଷ୍ଠ ଅଭିନେତା ପରେଶ ରାୱଲ ଏହି ବହୁ ପ୍ରତୀକ୍ଷିତ କମେଡି ସିକ୍ୱେଲରୁ ନିଜକୁ ଦୂରେଇ ନେଇଛନ୍ତି ।

​'ବଲିଉଡ୍ ହଙ୍ଗାମା'ର ଏକ ରିପୋର୍ଟ ଅନୁଯାୟୀ, ପରେଶ ରାୱଲ ଫିଲ୍ମ ପାଇଁ ନେଇଥିବା ସାଇନିଂ ଆମାଉଣ୍ଟକୁ ୧୫ ପ୍ରତିଶତ ସୁଧ ଏବଂ କିଛି ଅତିରିକ୍ତ କ୍ଷତିପୂରଣ ସହ ଫେରାଇ ଦେଇଛନ୍ତି । ରିପୋର୍ଟ ଅନୁସାରେ, "ଫିଲ୍ମ ପାଇଁ ତାଙ୍କର ମୋଟ ଫିସ୍ ୧୫ କୋଟି ସ୍ଥିର ହୋଇଥିଲା । ତେବେ ଚୁକ୍ତିନାମାରେ ଉଲ୍ଲେଖ ଥିଲା ଯେ ପରେଶ ରାୱଲ ବାକି ଥିବା ୧୪.୮୯ କୋଟି ଟଙ୍କା ଫିଲ୍ମ ମୁକ୍ତିଲାଭ କରିବାର ଏକ ମାସ ପରେ ପାଇବେ । ବରିଷ୍ଠ ଅଭିନେତା ଜଣକ ଏହି ସର୍ତ୍ତକୁ ନେଇ ଅସନ୍ତୁଷ୍ଟ ଥିଲେ ।"

​ଫିଲ୍ମର ମୁଖ୍ୟ ସୁଟିଂ ଆରମ୍ଭ ହେବାର ଅଛି । ଏହାର ଅର୍ଥ ହେଉଛି 'ହେରା ଫେରି ୩' ୨୦୨୬ ଶେଷ ଆଡ଼କୁ କିମ୍ବା ୨୦୨୭ ମସିହା ପୂର୍ବରୁ ମୁକ୍ତିଲାଭ କରିବାର ସମ୍ଭାବନା କମ । ଏପରି ସ୍ଥିତିରେ ପରେଶଙ୍କୁ ତାଙ୍କର ବାକି ଅଭିନୟ ଫି’ ପାଇବା ପାଇଁ ପ୍ରାୟ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାନ୍ତା । ତେବେ ଏହି ଦାବିକୁ ନେଇ ଅଭିନେତା କିମ୍ବା ଫିଲ୍ମ ଟିମ୍ ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ ।

​ରିପୋର୍ଟରେ ଆହୁରି କୁହାଯାଇଛି ଯେ, 'ହେରା ଫେରି ୩'ର ଟିଜର୍ ଘୋଷଣାର ସୁଟିଂ 'ଭୂତ ବଂଲା'ର ସେଟ୍‌ରେ କରାଯାଇଥିଲା । ଏହା ପୂର୍ବରୁ ଶୁଭଙ୍କର ମିଶ୍ରଙ୍କ ସହ ଆଲୋଚନା ବେଳେ ଅକ୍ଷୟ କୁମାର ମଧ୍ୟ ଏହି ପ୍ରୋଜେକ୍ଟର ଅନିଶ୍ଚିତତା ବିଷୟରେ କହିଥିଲେ । ସେ କହିଥିଲେ, "ହେରା ଫେରି ୩ ବର୍ତ୍ତମାନ ପାଇଁ ତଆରି ହେଉନାହିଁ"

​ଉଲ୍ଲେଖଯୋଗ୍ୟ, ୧୯୮୯ର ମାଲାୟାଲମ୍ ଫିଲ୍ମ 'ରାମଜୀ ରାଓ ସ୍ପିକିଙ୍ଗ୍' ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ମିତ ମୂଳ ଫିଲ୍ମ 'ହେରା ଫେରି' ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ପରେ ଭାରତର ସବୁଠାରୁ ପ୍ରିୟ କମେଡି ଫିଲ୍ମ ଭାବେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା । ଏହାର ୨୦୦୬ ସିକ୍ୱେଲ୍ 'ଫିର୍ ହେରା ଫେରି' ମଧ୍ୟ ହିଟ୍ ହୋଇଥିଲା । 'ହେରା ଫେରି ୩' ବିଷୟରେ ଖୁବ୍ କମ୍ ସୂଚନା ମିଳିଥିଲେ ସୁଦ୍ଧା, ପ୍ରଶଂସକମାନେ ପରଦାରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଏବଂ ପରେଶ ରାୱଲଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ।