ନୂଆଦିଲ୍ଲୀ: ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ବିକଶିତ ଦେଶଗୁଡ଼ିକରେ ବ୍ୟାନ ହୋଇଥିବା କୀଟନାଶକ ଏବଂ ଘାସମରା ବିଷ ଭାରତରେ ଲୋକଙ୍କ ଜୀବନ ନେଉଛି । ସେଥିମଧ୍ୟରୁ ସବୁଠାରୁ ଅଧିକ ଘାତକ ଥିଲା ପାରାକ୍ବାଟ ଘାସମରା ବିଷ । ୧୮୮୨ ମସିହାରେ ଅଷ୍ଟ୍ରିଆର ରସାୟନବିତ୍ ହ୍ୟୁଗୋ ୱେଡେଲଙ୍କ ଦ୍ୱାରା ଏହା ପ୍ରଥମେ ପ୍ରସ୍ତୁତ କରାଯାଇଥିଲା। ୧୯୫୦ ଦଶକରେ ବ୍ରିଟେନର ଇମ୍ପେରିଆଲ୍ କେମିକାଲ୍ ଇଣ୍ଡଷ୍ଟ୍ରିଜ୍ (ICI) ଏହାକୁ 'ଗ୍ରାମୋକ୍ସୋନ୍' (Gramoxone) ନାମରେ ବଜାରକୁ ଆଣିଥିଲା। ପରବର୍ତ୍ତୀ ସମୟରେ ଏହା ସ୍ୱିଜରଲ୍ୟାଣ୍ଡର କମ୍ପାନୀ ସିଞ୍ଜେଣ୍ଟା (Syngenta) ଏବଂ ବର୍ତ୍ତମାନ ଚୀନର କେମଚାଇନା (ChemChina) ଅଧୀନରେ ରହିଛି।

ପାରାକ୍ୱାଟର କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଡୋଟ୍ (Antidote) ବା ପ୍ରତିଷେଧକ ଔଷଧ ନାହିଁ। ଏହା ସ୍ୱଳ୍ପ ମାତ୍ରାରେ ଶରୀର ଭିତରକୁ ଗଲେ ମଧ୍ୟ ମୃତ୍ୟୁ ନିଶ୍ଚିତ । ଏହି କାରଣରୁ ୨୦୦୭ ମସିହାରେ ୟୁରୋପୀୟ ସଂଘ (EU) ଏହାକୁ କୃଷି କାର୍ଯ୍ୟରୁ ସମ୍ପୂର୍ଣ୍ଣ ନିଷେଧ କରିଥିଲା। ଆଜି ବିଶ୍ୱର ପ୍ରାୟ ୭୪ଟି ଦେଶରେ ଏହା ବ୍ୟାନ୍ ହୋଇଥିଲେ ସୁଦ୍ଧା ଭାରତରେ ଏହାର ବିକ୍ରି ଜାରି ରହିଛି ବୋଲି ଖବର ପ୍ରକଶ ପାଇଥିଲା । କିନ୍ତୁ ଆଜି (ମଙ୍ଗଳବାର) ଭାରତ ସରକାର ‘ପାରାକ୍ବାଟ୍‌’ ଉପରେ ବ୍ୟାନ ଲଗାଇ ଦେଇଛନ୍ତି ।  

ଭାରତ ସରକାର ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରି ଅତି ବିଷାକ୍ତ ଘାସନାଶକ 'ପାରାକ୍ୱାଟ୍' (Paraquat) ଉପରେ ତତ୍କାଳ ପ୍ରଭାବରୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। ଅନେକ Toxicologists, ଡାକ୍ତର ଏବଂ କୃଷି ବିଶେଷଜ୍ଞଙ୍କ ମତରେ ଏହି ନିଷେଧାଦେଶ ବହୁ ବର୍ଷ ପୂର୍ବରୁ ଆସିବା ଉଚିତ ଥିଲା। ବିଶ୍ୱର ପ୍ରାୟ ୭୪ ରୁ ଅଧିକ ଦେଶରେ ପାରାକ୍ୱାଟ୍ ଡାଇକ୍ଲୋରାଇଡ୍ ନିଷିଦ୍ଧ ହୋଇଥିବା ବେଳେ ଭାରତୀୟ ଚାଷ ଜମିରେ ଏହା ଆଇନଗତ ଭାବେ ବ୍ୟବହାର କରାଯାଉଥିଲା। କୃଷି ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିବନ୍ଧକ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ 'କିସାନ୍ ତକ୍' ରିପୋର୍ଟ କରିଛି। ଏହାର କିଛି ଦିନ ପୂର୍ବରୁ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ପାଇଥିଲା ଯେ, ପାରାକ୍ୱାଟ୍ ଉପରେ ସାରା ଦେଶରେ ନିଷେଧାଦେଶ ଲାଗୁ କରିବା ପାଇଁ ଏକ ପ୍ରସ୍ତାବ କୃଷି ମନ୍ତ୍ରଣାଳୟକୁ ପଠାଯାଇଛି ଏବଂ ଚଳିତ ସପ୍ତାହରେ ଏହାକୁ ମଞ୍ଜୁରୀ ମିଳିପାରେ।

ପାରାକ୍ୱାଟ୍ ଡାଇକ୍ଲୋରାଇଡ୍ ହେଉଛି ବିଶ୍ୱର ସବୁଠାରୁ ବିବାଦୀୟ ଘାସମରା ବିଷ। ଏହାର ଅତ୍ୟଧିକ ବିଷାକ୍ତ ଗୁଣ ଯୋଗୁଁ ବିଶ୍ୱର ଅଧିକାଂଶ ଭାଗରେ ଏହାକୁ ବ୍ୟାନ କରାଯାଇଥିଲେ ହେଁ ଭାରତୀୟ ବଜାରରେ ଏହାର ବିକ୍ରି ଜାରି ରହିଥିଲା। ସ୍ୱାସ୍ଥ୍ୟଗତ ସମସ୍ୟାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ସରକାର 'କୀଟନାଶକ ଅଧିନିୟମ, ୧୯୬୮' (Insecticides Act, 1968) ର ଧାରା ୨୭ ଅନୁଯାୟୀ ପାରାକ୍ୱାଟ୍ ଡାଇକ୍ଲୋରାଇଡ୍‌ର ଆମଦାନୀ, ଉତ୍ପାଦନ, ବିକ୍ରି, ପରିବହନ, ବିତରଣ ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାରାକ୍ୱାଟ୍ ଉପରେ କେନ୍ଦ୍ର ସରକାରଙ୍କ ଏହି ନିଷେଧାଦେଶ ପରେ ବ୍ୟାପକ ଆଲୋଚନା ଏବଂ ବିତର୍କ  ଆରମ୍ଭ ହୋଇପାରେ। ଭାରତରେ ଏବେ ମଧ୍ୟ ଏମିତି ଅନେକ କୀଟନାଶକର ବ୍ୟବହାରକୁ ଅନୁମତି ମିଳିଛି, ଯାହା କର୍କଟ (Cancer), ସ୍ନାୟୁଗତ ସମସ୍ୟା (Neurological Disorders) ଏବଂ ପରିବେଶର କ୍ଷତି ଆଶଙ୍କାରେ ବିଦେଶରେ ନିଷିଦ୍ଧ କିମ୍ବା କଠୋର ଭାବେ ନିୟନ୍ତ୍ରିତ ହୋଇଛି। ବର୍ତ୍ତମାନ ପାରାକ୍ୱାଟ୍ ବ୍ୟାନ ହେବା ପରେ, ତାଲିକାରେ ଥିବା ପରବର୍ତ୍ତୀ ବିଷାକ୍ତ କେମିକାଲ୍ ଗୁଡ଼ିକ ଉପରେ ଧ୍ୟାନ ଦେବାର ସମୟ ଆସିଯାଇଛି।