ରାସ୍ତାକଡ଼ ଜଙ୍ଗଲରେ ପଖାଳର ମଜା ନେଲେ ପାଣ୍ଡିଆନ୍‌, ସାଥିରେ ଥିଲେ ଇଣ୍ଡିଆ ଟୁଡେ ଟିଭିର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ

Published By : Prameya-News7 Bureau | April 28, 2024 IST

ଭୁବନେଶ୍ୱର୨୭।୦୪ : ନିର୍ଧୁମ ଖରା, ଘମାଘୋଟ  ପ୍ରଚାର ତାତି । ଏଭଳି ତତଲା ବାତାବରଣ ଭିତରେ  ପଖାଳ... । ବାଃ...ଆତ୍ମତୃପ୍ତି । ଅସହ୍ୟ ଗ୍ରୀଷ୍ମ ତାତି ଓ  ତଗଡ଼ା ପ୍ରଚାର ଭିତରେ ଆଜି ଚର୍ଚ୍ଚାକୁ ଆସିଛି ଓଡ଼ିଆଙ୍କ  ପ୍ରିୟ ଖାଦ୍ୟ ପଖାଳ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ କଳାହାଣ୍ଡିର ଜୁନାଗଡ଼ରେ ପ୍ରଚାର ସାରିବା ପରେ ପଖାଳର ମଜା ନେଇଛନ୍ତି ବିଜେଡି ନେତା ତଥା ଦଳର ପ୍ରମୁଖ ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ।  ଶ୍ରୀ ପାଣ୍ଡିଆନଙ୍କ ସାଥୀରେ ଥିଲେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଟିଭିର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ । 

ଉଭୟ  ପ୍ରଚାର ବାତାବରଣ ଓ ରାଜନୀତି ଚର୍ଚ୍ଚା ଭିତରେ ଓଡ଼ିଆଙ୍କ ପ୍ରିୟ   ପଖାଳ ବାବଦରେ ବେଶ୍‌ କିଛି ସମୟ କଥା ହୋଇଥିଲେ ।   ଅସହ୍ୟ ଗ୍ରୀଷ୍ମ ପ୍ରବାହ ଭିତରେ ଶ୍ରୀ ପାଣ୍ଡିଆନ ଏବେ ନିୟମିତ ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ବିଜେଡିର  ପ୍ରଚାର ଅଭିଯାନକୁ ତେଜି ଚାଲିଛନ୍ତି । ଶନିବାର ସେ   ଜୁନାଗଡ଼ରେ ବିଶାଳ ସମାବେଶ କରିଥିଲେ । ସେଠାରୁ   ନିର୍ବାଚନ ପ୍ରଚାର ସାରି ଫେରିବାବେଳେ ଦାସପୁର ରାସ୍ତା  କଡ଼ ଜଙ୍ଗଲରେ ମଧ୍ୟାହ୍ନଭୋଜନ କରିଥିଲେ । ନିର୍ବାଚନୀ  ପ୍ରଚାର ଓ ରାଜନୈତିକ ସ୍ଥିତି ପରଖିବାକୁ ଓଡ଼ିଶା ଆସିଥିବା  ଇଣ୍ଡିଆ ଟୁଡେ ଚ୍ୟାନେଲର ବରିଷ୍ଠ ସାମ୍ବାଦିକ ରାହୁଲ ବି  ତାଙ୍କ ସହ ପଖାଳର ମଜା ନେଇଥିଲେ । କଂସା ପାତ୍ରରେ ଥିଲା ପଖାଳ । ଏହା ସାଙ୍ଗକୁ ମେନୁରେ  ଥିଲା ଶାଗ, ବଡ଼ି ଚୁରା, ଭେଣ୍ଡି ଭଜା, ଆଳୁ ଭରତା ଓ ଦହି ।  ଖାଣ୍ଟି ଓଡ଼ିଆ ନିରାମିଷ ଖାଦ୍ୟକୁ ମନ ଭରି ଉଭୟ ଖାଇଥିଲେ ।  ଆଲୋଚନାବେଳେ ଶ୍ରୀ ପାଣ୍ଡିଆନଙ୍କୁ ପଖାଳ ସମ୍ପର୍କରେ  ପଚାରିଥିଲେ ସାମ୍ବାଦିକ ରାହୁଲ । ଶ୍ରୀ ପାଣ୍ଡିଆନ ଜଣାଇଥିଲେ  ଯେ ପଖାଳ ହେଉଛି ତାଙ୍କର ପ୍ରିୟ ଖାଦ୍ୟ । ମୁଖ୍ୟମନ୍ତ୍ରୀ ନବୀନ   ପଟ୍ଟନାୟକଙ୍କର ଅତି ପ୍ରିୟ ହେଉଛି ପଖାଳ । ଓଡ଼ିଆଙ୍କର  ଏହି ସାଧାରଣ ତଥା ହିତକାରୀ ଖାଦ୍ୟକୁ ମୁଖ୍ୟମନ୍ତ୍ରୀ କିପରି  ତାଙ୍କ ଅତିଥିମାନଙ୍କୁ ପରଷନ୍ତି, ସେ ବିଷୟରେ ଶ୍ରୀ ପାଣ୍ଡିଆନ  ଖାଇବାବେଳେ କହିଥିଲେ । ପଖାଳର ଉପକାରିତା ଓ ପ୍ରସ୍ତୁତି  ବିଷୟରେ ମଧ୍ୟ ବୁଝାଇଥିଲେ । ପଖାଳ ଖାଇବା ପରେ ଉଭୟ  ଲାଞ୍ଜିଗଡ଼ ସଭା ପାଇଁ ବାହାରିଯାଇଥିଲେ ।

  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.