ଭୁବନେଶ୍ଵର: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୪ ସଂସଦୀୟ ଓ ୨୮ ବିଧାନସଭା କ୍ଷେତ୍ରରେ ଆଜି ସକାଳୁ ସଂଧ୍ୟା ଯାଏଁ ଚାଲିଥିଲା ଭୋଟିଂ ପ୍ରକ୍ରିୟା। ଲମ୍ବାଲାଇନରେ ରହି ଭୋଟର ମତାଦନ କରିଥିବା ବେଳେ ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲେ ନିର୍ବାଚନ କମିଶନ। କିଛି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପଟେ ନିଜ ନିଜ ବୁଥରେ ଭୋଟ ଦେଇଛନ୍ତି ପ୍ରାର୍ଥୀ। ରାତି ସାଢେ ୧୦ ଟା ସୁଦ୍ଧା ରାଜ୍ୟରେ ମତଦାନ ୬୫.୦୩ ପ୍ରତିଶତ ରହିଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ଓ୍ଵେବସାଇଟରୁ ପ୍ରକାଶ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ବିଧାନସଭାରେ ସବୁଠୁ କମ୍ ୫୪.୧୪% ଓ ନବରଙ୍ଗପୁର ବିଧାନସଭା ଆସନରେ ସର୍ବାଧିକ ୭୩.୪୪% ଭୋଟ୍ ପଡ଼ିଛି ।
ସକାଳୁ ସକାଳୁ ଦେଖାଦେଇଥିଲା ଭୋଟଦାନର ଉତ୍ସାହ। ଆଦର୍ଶ ବୁଥରେ ଭିଡ଼, ସଖୀ ବୁଥରେ ଭିଡ଼। ମାଓ ଅଞ୍ଚଳରେ ଭୋଟଦାନର ଉତ୍ସାହ। ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ଭୋଟ ଦାନରେ ଉତ୍ସାହ। ୪ ସଂସଦୀୟ ଏବଂ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳୁ ସଧ୍ୟାଯାଏଁ ଚାଲିଥିଲା ମତଦାନ। ଏ ହେଉଛି ଧର୍ମଗଡ଼ର ଦୃଶ୍ୟ। ଜଣେ ଦିବ୍ୟାଙ୍ଗ ଭୋଟର ହ୍ବିଲଚେୟାରରେ ଆସି ଭୋଟ ଦେଇଛନ୍ତି। ସେମିତି ବଲାଙ୍ଗିରରେ ମଧ୍ୟ ଦିବ୍ୟାଙ୍ଗ ଓ ବୟସ୍କ ଲୋକଙ୍କ ଭୋଟିଂ ପାଇଁ ହୋଇଥିଲା ସ୍ବତନ୍ତ୍ର ବ୍ୟବସ୍ଥ। ବୁଥରେ ପ୍ରବଳ ଭିଡ଼ ହୋଇଥିବା ସତ୍ତ୍ବେ ଦିବ୍ୟାଙ୍ଗ ଏବଂ ବୟସ୍କ ଲୋକଙ୍କ ପାଇଁ ସୁବିଧା କରାଯାଇଥିଲା।
Also read: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀଙ୍କ ପରଲୋକ: କ୍ୟାନ୍ସର ଯୋଗୁ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ
ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ବିଧାନସଭାରେ ସବୁଠୁ କମ୍ ୫୪.୧୪% ଓ ନବରଙ୍ଗପୁର ବିଧାନସଭା ଆସନରେ ସର୍ବାଧିକ ୭୩.୪୪% ଭୋଟ୍ ପଡ଼ିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ରାତି ୧୦ଟା ୩୦ ସୁଦ୍ଧା ଓଡ଼ିଶାର ଭୋଟହାର ପରିମାଣ ଏହା ରହିଥିବା ଜଣାପଡ଼ିଛି। ନିର୍ବାଚନ କମିଶନଙ୍କ ଆପ୍ ଅନୁସାରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୬୧.୧୪%, କଳାହାଣ୍ଡିରେ ୬୮.୫୦%,କୋରାପୁଟରେ ୬୧.୪୩% ଓ ନବରଙ୍ଗପୁର ଲୋକସଭା ଆସନରେ ୬୮.୭୪% ମତଦାନ ହୋଇଛି ।
ସେହିପରି ବ୍ରହ୍ମପୁର ବିଧାନସଭା ଆସନରେ ୫୪.୧୪% ଭୋଟ ପଡ଼ିଥିବାବେଳେ ଭବାନୀପାଟଣାରେ ୬୨.୦୨%, ବିଷମକଟରେ ୬୭.୯୯%, ଛତ୍ରପୁରରେ ୫୪.୬୫%, ଚିକିଟିରେ ୬୦.୦୪%, ଚିତ୍ରକୋଣ୍ଡାରେ ୬୫.୦୧%, ଡାବୁଗାଁରେ ୭୧.୩୦%, ଦିଗପହଣ୍ଡିରେ ୬୨.୭୩%, ଗୁଣୁପୁରରେ ୫୭.୪୪%, ଜୟପୁରରେ୬୬.୫୮%, ଖଡ଼ିଆଳରେ ୭୨.୫୭%, ଜୋରାପୁଟରେ ୬୫.୬୭%, ଲକ୍ଷ୍ମୀପୁରରେ ୫୮.୬୬% ଓ ମାଲକାନଗିରି ବିଧାନସଭାରେ ୬୬.୬୦% ମତଦାନ ହୋଇଛି ।
ମୈଦାନରେ ଅଛନ୍ତି ମୋଟ ୨୮୦ ପ୍ରାର୍ଥୀ। ନିଜ ନିଜ ବୁଥରେ ସକାଳୁ ଭୋଟ ଦେଇଛନ୍ତି ପ୍ରାର୍ଥୀ। କୋରାପୁଟରେ କୃଷ୍ଣଚନ୍ଦ୍ର ସଗରିଆ, ନବରଙ୍ଗପୁର-ପ୍ରଦୀପ ମାଝି,ରାୟଗଡାରେ ସପ୍ତଗିରି ଉଲାକା, ଜୟପୁରରେ-ତାରା ପ୍ରସାଦ ବାହିନୀପତି ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଇନ୍ଦିରା ନନ୍ଦ, ବୋରିଗୁମ୍ମାରେ ଚନ୍ଦ୍ରଶେଖର ମାଝି, ବିଜେପିର ରୁପୁ ଭତ୍ରା, ବ୍ରହ୍ମପୁରରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କଳାହାଣ୍ଡିରେ ମାଳବିକା ଦେବୀ, ଭକ୍ତ ଦାସ, ଲଳିତା ନାଏକ, ଉମରକୋଟରେ ବଳଭଦ୍ର ମାଝି, ରମେଶ ମାଝି, ନୂଆପଡାରେ ଅଭିନନ୍ଦନ ପଣ୍ଡା. ବସନ୍ତ ପଣ୍ଡା, ଗଜପତି- ବିଜୟ ପଟ୍ଟନାୟକ, ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ ନିଜ ନିଜ ବୁଥକୁ ଯାଇ ଭୋଟ ଦେଇଛନ୍ତି।
ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲା ନିର୍ବାଚନ କମିଶନ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିଛି ସ୍ଥାନରେ ସକାଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା ତୁରନ୍ତ ଆକ୍ସନକୁ ଆସିଥିଲା ପୋଲିଂ ଟିମ୍। ସେଠାରେ ଇଭିଏମ ବଦଳାଯାଇ ଭୋଟିଂ ଆରମ୍ଭ କରାଯାଇଥିଲା। ଗଞ୍ଜାମର ୩ ଜଣ ପ୍ରିଜାଇଡିଙ୍ଗ ଅଫିସରଙ୍କ ବିରୋଧୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଛତ୍ରପୁର ୨୭ ଓ ୧୬୩ ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କୁ ସସପେଣ୍ଡ ଓ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗୋପାଳପୁର ୧୯୩ ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କୁ ସସପେଣ୍ଡ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟରେ ଅବହେଳା ନେଇ ୱେବ କାଷ୍ଟିଂରୁ ମିଳିଥିବା ଭିଜୁଆଲ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସେହିପରି କିଛି ସ୍ଥାନରେ ଗଣ୍ଡଗୋଳ ହୋଇଥିବାର ସୂଚନା ମିଳିଛି। ଚିକିଟି କଳବାଡ ପଞ୍ଚାୟତ ନୂଆ ମୈଶାନ ପୁର ବୁଥନମ୍ବର ୧୪୬ ରେ ମତଦାନ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଏଜେଣ୍ଟଙ୍କ ବୁଥ ପ୍ରବେଶକୁ ନେଇ କଥାକଟାକଟି ହୋଇଥିଲା। ତେବେ ପୋଲିସ ପହଞ୍ଚି ସ୍ଥିତି ସମ୍ଭାଳିଥିଲା। ସେହିପରିସେହି ଚିକିଟିର କେ.ନୁଆଁ ଗାଁ ବୁଥ ନମ୍ବର ୫୪ରେ କିଛି ଏଜେଣ୍ଟ ଏକ ନିଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ପହଁଚିବା ପରେ ସ୍ଥିତିରେ ସୁଧାର ଆସିଥିଲା । ସେହିପରି ନବରଙ୍ଗପୁର - ଝରିଗାଁ ବୁଥ ନମ୍ବର ୨୦୪ରେ ବୁଥ କ୍ୟାପଚରିଙ୍ଗ ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏସବୁ ସତ୍ତ୍ବେ ପୋଲିସର ତ୍ବରିତ ଆକ୍ସନ ଯୋଗୁଁ ମତଦାନ ଶାନ୍ତପୂର୍ଣ୍ଣ ଥିଲା। ଭୋଟିଂ ଶେଷ ହେବା ପରେ ଇଭିଏମକୁ ସିଲ୍ କରାଯାଇଥିଲା। ଏସବୁ ଇଭିଏମକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମକୁ ଅଣାଯାଇଛି। ମାଓ ଅଞ୍ଚଳରୁ ଭୋଟିଂ ସରିବା ମାତ୍ରେ ହେଲିକପ୍ଟରରେ ଇଭିଏମ ଷ୍ଟ୍ରଙ୍ଗରୁମକୁ ଅଣାଯାଇଛି। ୪ ସଂସଦୀୟ କ୍ଷେତ୍ର ପାଇଁ ୧୫ ଷ୍ଟ୍ରଙ୍ଗରୁମ କରାଯାଇଛି। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।