ଜୟପୁର, ୦୧/୦୯: ଭୟଙ୍କର ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ପିକ୍ ଅପ୍ ଭ୍ୟାନ । ଜୀବନ ହାରିଲେ ୬ ଶ୍ରଦ୍ଧାଳୁ । ଏପରି ଅଭାବନୀୟ ଘଟଣା ଘଟିଛି ହରିୟାଣାର କେଏମପି ଏକ୍ସପ୍ରେସ ଓ୍ୱେରେ । ଏଠାରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଟ୍ରକକୁ ପଛରୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି ।

ରିପୋର୍ଟ ଅନୁସାରେ, ଶ୍ରଦ୍ଧାଳୁଙ୍କ ଏକ ଦଳ ରାଜସ୍ଥାନରେ ଥିବା ବିଭିନ୍ନ ଧାର୍ମିକ ସ୍ଥଳ ଦର୍ଶନ କରି ବୃନ୍ଦାବନ ଫେରୁଥିଲେ । ଏହି ସମୟରେ କେଏମପି ଏକ୍ସପ୍ରେସ୍ ଓ୍ୱେରେ ସେମାନଙ୍କ ପିକ୍ ଅପ୍ ଭ୍ୟାନ୍ ରାସ୍ତା କଡରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୬ ଜଣ ପ୍ରାଣ ହରାଇଥିଲେ । ଏହାସହ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶ୍ରଦ୍ଧାଳୁମାନେ ଧାର୍ମିକ ଯାତ୍ରା ପାଇଁ ରାଜସ୍ଥାନ ଯାଇଥିଲେ । ସେଠାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବଂ ଧାର୍ମିକସ୍ଥଳୀ ବୁଲି ବୃନ୍ଦାବନ ଫେରୁଥିଲେ । ମଙ୍ଗଳବାର ସକାଳେ ସେମାନଙ୍କ ଗାଡ଼ି ହରିୟାଣାର କେଏମପି ଏକ୍ସପ୍ରେସ ହୋଇ ପଲଓ୍ୱଲ ଆଡକୁ ଯାଉଥିଲା । ଏହି ସମୟରେ ରାସ୍ତାକଡରେ ଠିଆ ହୋଇଥିବା ଏକ ଟ୍ରକକୁ ଏହା ଧକ୍କା ଦେଇଥିଲା । ଚାଳକଙ୍କୁ ଟ୍ରକଟି ଦେଖାଯାଇନଥିଲା । ତେଣୁ ସେ ପିକ୍ ଅପକୁ ଟ୍ରକ୍ ପଛରେ ଧକ୍କା ଦେଇଥିଲେ ।

Also Read :- ସୁଭାଷ ଚନ୍ଦ୍ରାଙ୍କୁ ବଡ଼ ଝଟକା ! ବିକ୍ରି କରିପାରିବେନି ସମ୍ପତ୍ତି, ପୂର୍ବ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ NCLT

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପିକ୍ ଅପର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଏହାପରେ ଶ୍ରଦ୍ଧାଳୁମାନେ ଫସି ରହି ଚିତ୍କାର କରିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାରକାର୍ଯ୍ୟରେ ଲାଗିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ପହଁଚି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲା । ତେବେ ଉଭୟ ଗାଡିକୁ ଜବତ କରାଯାଇଥିବା ସ୍ଥାନୀୟ ଡିଏସପି ପ୍ରକାଶ କରିଛନ୍ତି ।