ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ନେଟଓ୍ବାର୍କର ପର୍ଦ୍ଦାଫାସ ହୋଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ପାକିସ୍ତାନର ଆଇଏସଆଇ (ISI) ର ଏକ ପ୍ରମୁଖ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାସ କରିଛି ପୋଲିସ । ଏହି ସ୍ପେଶାଲ ଅପରେସନରେ ୭ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଫଳରେ ଦେଶର ରାଜଧାନୀରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପଣ୍ଡ ହୋଇଛି। କିପରି ହେଲା ଆତଙ୍କୀ ନେଟୱର୍କର ପର୍ଦ୍ଦାଫାସ ?

ପୋଲିସକୁ ସୂଚନା ମିଳିଥିଲା ଯେ, ପାକିସ୍ତାନର ISI ସହାୟତାରେ ଭାରତରେ କିଛି ବଡ଼ ପ୍ରତିଷ୍ଠାନ ଏବଂ ସର୍ବସାଧାରଣ ସ୍ଥାନକୁ ଟାର୍ଗେଟ୍ କରିବା ପାଇଁ ଯୋଜନା ଚାଲିଛି । ଏହି ଗୁପ୍ତ ସୂଚନା ଆଧାରରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅପରେସନ ସମୟରେ ପୋଲିସ ଆଇଏସଆଇ ମଡ୍ୟୁଲ୍ ସହ ଜଡ଼ିତ ୭ ଜଣ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ଆଇଏସଆଇର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭିଡ଼ ଜମୁଥିବା ବଜାର, ଧାର୍ମିକ ସ୍ଥଳ ଏବଂ କିଛି ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ୍ କରି ଆତ୍ମଘାତୀ ହମଲା କିମ୍ବା ବୋମା ବିସ୍ଫୋରଣ କରିବାକୁ ସେମାନଙ୍କର ଲକ୍ଷ୍ୟ ଥିଲା ।

ଏହା ସହିତ ସେମାନେ ଦେଶରେ ସାମ୍ପ୍ରଦାୟିକ ସଦ୍ଭାବ ବିଗାଡ଼ିବାକୁ ଚେଷ୍ଟା କରୁଥିଲେ। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ଆଡ୍ଡାରୁ ପୋଲିସ ବିପୁଳ ପରିମାଣର ମାରାତ୍ମକ ସାମଗ୍ରୀ ଜବତ କରିଛି । ଅଭିଯୁକ୍ତମାନଙ୍କ ପାଖରୁ ଅତ୍ୟାଧୁନିକ ବନ୍ଧୁକ, ଅଫୁଟା ଗୁଳି ଏବଂ ଆଇଇଡି (IED) ତିଆରି ସାମଗ୍ରୀ ମିଳିଛି। ମୋବାଇଲ୍ ଫୋନ୍, ସିମ୍ କାର୍ଡ ଏବଂ ଏନକ୍ରିପ୍ଟେଡ୍ ଚାଟିଂ ଆପ୍ଲିକେସନ୍ ଜବତ କରାଯାଇଛି, ଏହା ମାଧ୍ୟମରେ ସେମାନେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲେ। ପୋଲିସ ସେମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଏବଂ ଅନ୍ୟାନ୍ୟ କଠୋର ଆଇନଗତ ଧାରାରେ ମାମଲା ରୁଜୁ କରିଛି ।

ଏହି ୭ ଜଣଙ୍କୁ କୋର୍ଟରେ ହାଜର କରାଯାଇ ପୋଲିସ ରିମାଣ୍ଡରେ ନେଇଛି। ପୋଲିସ ଏବେ ସେମାନଙ୍କର ସ୍ଥାନୀୟ ନେଟୱାର୍କ ବା ସ୍ଲିପର ସେଲ୍ ବିଷୟରେ ଅଧିକ ଖୋଳତାଡ଼ କରୁଛି। ଏହି ଆତଙ୍କବାଦୀମାନଙ୍କୁ ଭାରତରେ ଆର୍ଥିକ ସହାୟତା କିଏ ଯୋଗାଉଥିଲା ଏବଂ ଅସ୍ତ୍ରଶସ୍ତ୍ର କେଉଁ ରାସ୍ତାରେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଲା, ସେ ନେଇ ତଦନ୍ତ ଜାରି ରହିଛି। ଏହି ସଫଳତା ପରେ ଦିଲ୍ଲୀ ଏବଂ ଏହାର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।