ନୂଆଦିଲ୍ଲୀ, ୧୦|୧୧  :  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଷ୍ଟାଇଲକୁ କଟାକ୍ଷ କଲେ ପାକିସ୍ତାନୀ ଖେଳାଳି । ମ୍ୟାଚ୍ ଜିତିବା ପରେ ପଡିଆରେ କଲେ ସେଲିବ୍ରେସନ । ହଂକଂ ସିକ୍ସେସ ଟାଇଟଲ ଜିତିବା ଲପରେ ଏମିକି କିଛି ଆଚରଣ କରିଛନ୍ତି ପାକିସ୍ତାନୀ ଖେଳାଳି ମହମ୍ମଦ ଶେହଜାଦ । ଯାହାର ଫଟୋ ଭାଇରାଲ ହେଲା ପରେ କଡା ସମାଲୋଚନା କରିଛନ୍ତି ଭାରତୀୟ ଫ୍ୟାନ୍ସ ।

ରିପୋର୍ଟ ଅନୁସାରେ, ଭାରତ ବିପକ୍ଷରେ ପ୍ରଥମ ମୁକାବିଲା ହାରିଥିଲା ପାକିସ୍ତାନ । ଏହାପରେ ଲଗାତର ତିନୋଟି ମ୍ୟାଚ୍ ଜିତିଛି ପାକିସ୍ତାନ । ଏହାସହ ଟ୍ରଫି ହାସଲ କରିଛି । ଆବାସ ଆଫ୍ରିଦିଙ୍କ ନେତୃତ୍ୱରେ ଦଳ ଦକ୍ଷିଣ ଆଫ୍ରିକାକୁ କ୍ୱାର୍ଟର ଫାଇନାଲ ଏବଂ ଅଷ୍ଟ୍ରେଲିଆକୁ ସେମିରେ ମାତ୍ ଦେଇଥିଲା । ଶେଷରେ କୁଏତକୁ ଫାଇନାଲରେ ପରାସ୍ତ କରିଥିଲା ଟିମ୍ । ଏହାସହ ଚାମ୍ପିଅନ ହୋଇଥିଲା ।

ତେବେ ମ୍ୟାଚ୍ ଜିତିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନକଲ କରି କଟାକ୍ଷ କରିଥିଲେ ମହମ୍ମଦ । ସେ ଟ୍ରଫି ସହ ପାଣ୍ଡ୍ୟାଙ୍କ ସେଲିବ୍ରେସନ ଷ୍ଟାଇଲରେ ଫଟୋ ପୋଜ୍ ଦେଇଥିଲେ । ହାର୍ଦ୍ଦିକ ଟି୨୦ ବିଶ୍ବକପ୍ ଏବଂ ଏସିଆ କପ୍ ଜିତିବା ପରେ ଯେପରି ଦୁଇ ହାତ ଖୋଲି ସେଲିବ୍ରେସନ କରିଥିଲେ ଠିକ୍ ସେମିତି ସେଲିବ୍ରେସନ କରିଥିଲେ ମହମ୍ମଦ ।

ଚାମ୍ପିଅନ୍ ହେଲା ପରେ ବଡ ରେକର୍ଡ ପ୍ରତିଷ୍ଠା କରିଛି ପାକିସ୍ତାନ । ଦଳ ସବୁଠୁ ଅଧିକ ଥର ଟାଇଟଲ ହାସଲକାରୀ ଟିମ୍ ହୋଇଛି । ଏବେସୁଦ୍ଧା ୬ ଥର ଚାମ୍ପିଅନ୍ ହୋଇସାରିଛି ଟିମ୍ । ଅନ୍ୟଦିଗରେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ୫ ଥର ଚାମ୍ପିଅନ ହୋଇଛନ୍ତି ।

ସୂଚନାୟୋଗ୍ୟ, ଫାଇନାଲ ମୁକାବିଲାରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରିଥିଲା । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦଳ କୁଏତକୁ ଚାପରେ ରଖିଥିଲା । ୧୩୬ ରନର ବିଜୟ ଲକ୍ଷକୁ ପିଛା କରୁଥିବା କୁଏତ ୪୩ ରନ୍ ଦୂରରେ ରହିଯାଇଥିଲା ।