ନୂଆଦିଲ୍ଲୀ: ଇରାନ ଯୁଦ୍ଧ ମଧ୍ୟରେ ପାକିସ୍ତାନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ନିଜର ପ୍ରତିରକ୍ଷା ସହଭାଗୀତାକୁ ନଜରରେ ରଖି ପାକିସ୍ତାନ ସରକାର ନିଜର ସୈନିକ ପଠାଇଛନ୍ତି । ୧୩ ହଜାର ସୈନିକ ଏବଂ ୧୦ରୁ ୧୮ ଲଢ଼ୁଆ ବିମାନ ପଠାଇଛି ପାକିସ୍ତାନ । ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସାଉଦି ଆରବକୁ ସୈନିକ ପଠାଇଛନ୍ତି । କିଙ୍ଗ ଅବଦୁଲାଜିଜ୍ ବାୟୁସେନା ଘାଟିରେ ସୈନିକଙ୍କ ସମେତ ଲଢ଼ୁଆ ବିମାନ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି । ସାଉଦି ଆରବ ସହ ହୋଇଥିବା ପ୍ରତିରକ୍ଷା ବୁଝାମଣା ଅନୁସାରେ, ପାକିସ୍ତାନ ଏହି ପଦକ୍ଷେପ ନେଇଛି । ତେବେ ଏହାର ପ୍ରତିବଦଳରେ ସାଉଦି ଆରବ ଏବଂ ଏହାର ସହଯୋଗୀଙ୍କ ପାଖରେ ଆର୍ଥିକ ସହାୟତା ପାଇବାକୁ ଆଶା ରଖିଛି ପାକିସ୍ତାନ ।

ସାଉଦି-କତାରରୁ ମିଳିବ ୫ ବିଲିୟନ ଡଲାର

ସାଉଦି ଆରବ ଏବଂ କତାର ମିଳିତ ଭାବରେ ପାକିସ୍ତାନକୁ ୫ ବିଲିୟନ ଡଲାର (ପ୍ରାୟ ୪୬.୬ ହଜାର କୋଟି) ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପାକିସ୍ତାନକୁ ତାର ଦୁର୍ବଳ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ କମ କରିବାରେ ଏବଂ ଜୁନ୍ ସୁଦ୍ଧା ବାହ୍ୟ ଦେୟ ପୂରଣ କରିବାରେ ସାହାଯ୍ୟ କରିବ। ଏହି ସହାୟତା ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଚଳିତ ମାସ ଶେଷ ସୁଦ୍ଧା ୟୁଏଇକୁ ୩.୫ ବିଲିୟନ ଡଲାର (ପ୍ରାୟ ୩୨.୬ ହଜାର କୋଟି) ଋଣ ପରିଶୋଧ କରିବ। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଅଧିକ ଆମଦାନୀ ଖର୍ଚ୍ଚ ଯୋଗୁଁ ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ବରୁ ଚାପରେ ଅଛି ।

ପୁରୁଣା ଋଣ ମାଗିବନି ସାଉଦି ଆରବ

ପାକିସ୍ତାନକୁ ପୁଣି ଥରେ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିବା ସାଉଦି ଆରବ ନିଜର ପୁରୁଣା ଋଣ ଟଙ୍କା ଫେରସ୍ତ ପାଇଁ ଦାବି କରିବ ନାହିଁ । ଫଳରେ ପାକିସ୍ତାନକୁ ବଡ଼ ଆଶ୍ବସ୍ତି ଦେଇଛି ସାଉଦି ଆରବ । ୨୦୧୮ ରେ, ସାଉଦି ଆରବ ପାକିସ୍ତାନକୁ ୬ ବିଲିୟନ ଡଲାରର ଏକ ପ୍ୟାକେଜ୍ ପ୍ରଦାନ କରିଥିଲା । ଏଥିରେ ୩ ବିଲିୟନ ଡଲାରର ନଗଦ ରାଶି ଏବଂ ୩ ବିଲିୟନ ଡଲାରର ତୈଳ ଆମଦାନୀ ସୁବିଧା ଅନ୍ତର୍ଭୁକ୍ତ ଥିଲା। ଏହା ପରେ ୨୦୨୧ରେ ଆଉ ୩ ବିଲିୟନ ଡଲାରର ସହାୟତା ଦେଇଥିଲା ସାଉଦି ଆରବ ।

Also Read: ‘ΔO_BSOH>0 ⇒ f(f(O))>f(O)’; ମୁହଁ ଖୋଲିଲାନି, ଗଣିତ ସୂତ୍ରରେ ଆମେରିକାକୁ ଘାଇଲା କଲା ଇରାନ

ଗ୍ବାଦର ଅଏଲ୍ ରିଫାଇନାରୀରେ ନିବେଶ

ସାଉଦି ଆରବ ପାକିସ୍ତାନର ଗ୍ୱାଦରରେ ଏକ ପ୍ରମୁଖ ତୈଳ ବିଶୋଧନାଗାର ପ୍ରକଳ୍ପ ଯୋଜନା କରୁଛି । ଏଥିପାଇଁ ପ୍ରାୟ ୧୦ ବିଲିୟନ ଡଲାର ଅର୍ଥ ବିନିଯୋଗ ହେବ । ଏହି ବିଶୋଧନାଗାରର କ୍ଷମତା ପ୍ରତିଦିନ ପ୍ରାୟ ୪ ଲକ୍ଷ ବ୍ୟାରେଲ ହେବ। ଏହି ପ୍ରକଳ୍ପରେ ସାଉଦି ଆରାମକୋ ଏବଂ ପାକିସ୍ତାନୀ କମ୍ପାନୀଗୁଡ଼ିକ ମିଳିତ ଭାବରେ କାମ କରିବେ, ସାଉଦି ଆରବ ୬୦% ନିବେଶ ଏବଂ ସ୍ଥାନୀୟ କମ୍ପାନୀଗୁଡ଼ିକ ୪୦% ନିବେଶ କରିବେ । ଏହା ସହିତ, ସାଉଦି ଆରବ ପାକିସ୍ତାନରେ ପ୍ରାୟ ୧ ବିଲିୟନ ଡଲାର ଅଧିକ ନିବେଶ କରିବ ବୋଲି ଆଶା କରାଯାଉଛି । ସ୍ୱାସ୍ଥ୍ୟସେବା ସୁବିଧାର ଉନ୍ନତି ପାଇଁ ଆହୁରି ୧ ବିଲିୟନ ଡଲାର ଖର୍ଚ୍ଚ କରିବାର ଯୋଜନା ରଖିଛି ସାଉଦି ଆରବ ।