ଦିନେ ଭାରତକୁ ବିଶ୍ୱକପ୍ ବିଜେତା କରାଇଥିଲେ; ଏବେ ପାକିସ୍ତାନର ଗୁରୁ ହେବେ ଗ୍ୟାରି କ୍ରିଷ୍ଟନ

Published By : Prameya-News7 Bureau | April 28, 2024 IST

indiatoday

ନୂଆଦିଲ୍ଲୀ: ଦିନେ ଭାରତୀୟ କ୍ରିକେଟ୍ ଟିମ୍‌ର ଗୁରୁ ହୋଇ ଟିମ୍‌କୁ ବିଶ୍ୱ ବିଜୟୀ କରାଇଥିଲେ। ଏବେ ସେ ପାକିସ୍ତାନର ଗୁରୁ ହେବାକୁ ଯାଉଛନ୍ତି। ଆମେ କହୁଛୁ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଗ୍ୟାରି କ୍ରିଷ୍ଟନଙ୍କ କଥା। କ୍ରିଷ୍ଟନ ଏବେ ପାକିସ୍ତାନ କୋଚ୍‌ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ କ୍ରିଷ୍ଟନଙ୍କୁ ଦିନିକିଆ ଫର୍ମାଟ୍‌ ପାଇଁ କୋଚ୍ ନିଯୁକ୍ତ କରିଛି।  
ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ପାକିସ୍ତାନ ନିଜ କ୍ରିକେଟ ଟିମ୍‌କୁ ମଜଭୁତ କରିବାକୁ ଚାହୁଁଛି। ଏଥିପାଇଁ ସେ ଗ୍ୟାରି କ୍ରିଷ୍ଟନଙ୍କୁ ଦିନିକିଆ ଓ ଅଷ୍ଟ୍ରେଲିଆର ଡାହାଣହାତୀ ଦ୍ରୁତ ବୋଲର ଜାସନ ଗିଲେସ୍ପିଙ୍କୁ ଟେଷ୍ଟ କ୍ରିକେଟ୍ ପାଇଁ କୋଚ୍ ନିଯୁକ୍ତ କରିଛି। କ୍ରିଷ୍ଟନ ମେ ୨୨ ତାରିଖରେ ଇଂଲଣ୍ଡରେ ପାକିସ୍ତାନ ଟିମ୍‌ରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ରବିବାର ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମହସିନ ନକବୀ କୋଚ ନିଯୁକ୍ତି ନେଇ ଘୋଷଣା କରିଛନ୍ତି। ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀ କରି ନକବୀ ଏହି ସୂଚନା ଦେଇଛନ୍ତି। ଏହି ଦୁଇ କୋଚ୍‌ଙ୍କର ରେକର୍ଡ ହିଁ ତାଙ୍କ ସମ୍ମାନ। ତାଙ୍କର ଅଭିଜ୍ଞତା ପାକିସ୍ତାନ ଟିମ୍‌ ପାଇଁ ଲାଭପ୍ରତ ହେବ। ତେଣୁ ଆମେ ଉଭୟ କୋଚ୍‌ଙ୍କୁ ପାକିସ୍ତାନ କ୍ରିକେଟ୍ ପରିବାରକୁ ଆନନ୍ଦର ସହ ସ୍ୱାଗତ କରୁଛୁ ବୋଲି ନକବୀ କହିଛନ୍ତି। 
ସୂଚନା ଥାଉକି ୨୦୧୧ରେ ଭାରତ ଦିନିକିଆ ବିଶ୍ୱକପ୍ ଜିତିଥିଲା। ସେତେବେଳେ ଗ୍ୟାରୀ କ୍ରିଷ୍ଟନ ଟିମ୍ ଇଣ୍ଡିଆର କୋଚ୍ ଥିଲେ। ବିଶ୍ୱକପ୍ ଜିତିବା ପରେ ଭାରତୀୟ ଖେଳାଳିମାନେ ଗ୍ୟାରି କ୍ରିଷ୍ଟନଙ୍କୁ କାନ୍ଧରେ ବସାଇ ସାରା କ୍ରିକେଟ୍ ଫିଲ୍ଡ ବୁଲାଇଥିଲେ।   

ପଢ଼ନ୍ତୁ-IPL 2024 : ଅପରାହ୍ନରେ GT-RCB ଫାଇଟ୍‌, ସଂଧ୍ୟାରେ CSK-SRH ମୁକାବିଲା

ତେବେ କ୍ରିଷ୍ଟନ ବର୍ତ୍ତମାନ ଆଇପିଏଲ୍‌ ପ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନର କୋଚ୍‌ ଅଛନ୍ତି। ଏହା ପୂର୍ବରୁ ଶେଷ ଥର ପାଇଁ ସେ ୨୦୧୩ରେ ଦକ୍ଷିଣ ଆଫ୍ରିକାର କୋଚ୍ ଭାବେ ନିଯୁକ୍ତ ହୋଇଥିଲେ। ନିଜ ଟିମ୍ ପାଇଁ ୩ ବର୍ଷ କୋଚ୍ ଦାୟିତ୍ୱ ନିର୍ବାହ କରିବା ପରେ ସେ ଆଉ କୌଣସି ନ୍ୟାସ୍‌ନାଲ ଟିମ୍‌ର କୋଚ୍ ହୋଇ ନଥିଲେ। 

ଅନ୍ୟପଟେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜାସନ ଗିଲେସ୍ପିଙ୍କର ଘରୋଇ କ୍ରିକେଟ ଓ ବିଗ୍ ବେଶ୍ ଲିଗ୍‌ ସେଟ୍ଅପ୍‌ରେ ଯୋଗଦାନ ପାଇଁ ଅଷ୍ଟ୍ରେଲିଆରେ ତାଙ୍କର ଅନେକ ଖ୍ୟାତି ରହିଛି। ଜାସନଙ୍କୁ କୋଚ୍ ନିଯୁକ୍ତ କରି ଆମେ ଖୁବ୍ ଆଶୀବାଦୀ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି। 

ଏହା ପୂର୍ବରୁ ମିକେ ଅର୍ଥର ପାକିସ୍ତାନ କ୍ରିକେଟ୍ କୋଚ୍ ଥିଲେ। ହେଲେ ଦିନିକିଆ ବିଶ୍ୱକପ୍‌ରେ ବିଫଳତା ଯୋଗୁ ତାଙ୍କୁ କୋଚ୍ ପଦରୁ ହଟାଇ ଦିଆଯାଇଥିଲା ଏହାପରେ ପାକିସ୍ତାନୀ ପୂର୍ବତନ କ୍ରିକେଟର ମହମ୍ମଦ ହାଫୀଜ ଟିମର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ହେଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଦଳର ପ୍ରଦର୍ଶନ ଖରାପ ହେବାରୁ ତାଙ୍କୁ ମଧ୍ୟ ବରଖାସ୍ତ କରାଯାଇଥିଲା। ସେବେଠାରୁ ପାକିସ୍ତାନ କ୍ରିକେଟ୍‌ରେ ମୁଖ୍ୟ ଖୋଚ୍ ପଦ ଖାଲିପଡ଼ିଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.