ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଶାନ୍ତି ଚୁକ୍ତିକୁ ନେଇ ବିଶ୍ୱ ରାଜନୀତିରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ଦୁଇ ଶତ୍ରୁ ଦେଶ ମଧ୍ୟରେ ହେବାକୁ ଥିବା ଚୁକ୍ତିପତ୍ରରେ ଏବେ ପାକିସ୍ତାନକୁ ଗ୍ୟାରେଣ୍ଟର ଭାବରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ଏହାର ଅର୍ଥ ହେଉଛି, ଆଗାମୀ ଦିନରେ ଯଦି କୌଣସି ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୁଏ, ତେବେ ସେଥିରେ ଇରାନ ଓ ଆମେରିକା ସହିତ ପାକିସ୍ତାନର ମଧ୍ୟ ସ୍ୱାକ୍ଷର ରହିବ।

ପ୍ରସିଦ୍ଧ ଆରବୀ ସମ୍ବାଦପତ୍ର ‘ଅଲ ହଦଥ’ର ରିପୋର୍ଟ ଅନୁଯାୟୀ, ଏହି Peace Deal (ଶାନ୍ତି ଚୁକ୍ତି) ର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଉଛି। କତାର ଏବଂ ଆମେରିକା ଭଳି ପ୍ରମୁଖ ଦେଶଗୁଡ଼ିକ ପାକିସ୍ତାନକୁ ଗ୍ୟାରେଣ୍ଟର କରିବା ସପକ୍ଷରେ ସହମତି ପ୍ରକାଶ କରିଛନ୍ତି। ଚୁକ୍ତିପତ୍ରରେ ସ୍ୱାକ୍ଷର କରିବା ପୂର୍ବରୁ ଇରାନ ନିଜ ପକ୍ଷରୁ ଏକ ଶକ୍ତିଶାଳୀ ଗ୍ୟାରେଣ୍ଟର ରଖିବାକୁ ଜିଦ୍ ଧରିଥିଲା। ଇରାନର କହିବା କଥା ହେଉଛି, ଆମେରିକା ଉପରେ ସହଜରେ ବିଶ୍ୱାସ କରାଯାଇପାରିବ ନାହିଁ। ପୂର୍ବରୁ ଆମେରିକା ସହ ଅନେକ ଚୁକ୍ତି ହୋଇଛି, କିନ୍ତୁ ଆମେରିକା ପରବର୍ତ୍ତୀ ସମୟରେ ତାହାକୁ ପାଳନ କରିନାହିଁ।

୨ଟି ପର୍ଯ୍ୟାୟରେ ହେବ ଚୁକ୍ତି

ରିପୋର୍ଟ ଅନୁଯାୟୀ, ଏହି ଶାନ୍ତି ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମେ ଉଭୟ ଦେଶ ଏକ ଅନ୍ତରୀଣ (Interim) ବା ଅସ୍ଥାୟୀ ସାମୟିକ ଚୁକ୍ତିରେ ସ୍ୱାକ୍ଷର କରିବେ। ଏହି ଅନ୍ତରୀଣ ଚୁକ୍ତିର ୬୦ ଦିନ ପରେ, ଦୁଇ ଦେଶ ଚୂଡ଼ାନ୍ତ ତଥା ସ୍ଥାୟୀ ଶାନ୍ତି ଚୁକ୍ତିପତ୍ରରେ ମୋହର ମାରିବେ। ସେପଟେ ଆମେରିକା ଏବଂ ସହଯୋଗୀ ଦେଶଗୁଡ଼ିକ ପାକିସ୍ତାନକୁ ଆଗକୁ ଆଣିବା ପଛରେ କେତେକ ଗୁରୁତ୍ୱପୂର୍ଣ୍ଣ ସାମରିକ ଓ ଭୂ-ରାଜନୈତିକ କାରଣ ରହିଛି ।

ପାକିସ୍ତାନ ହେଉଛି ଇରାନର ପଡ଼ୋଶୀ ଦେଶ। ସେନା ଓ ସାମରିକ ଶକ୍ତି ଦୃଷ୍ଟିରୁ ଇରାନ ତୁଳନାରେ ପାକିସ୍ତାନର ସ୍ଥିତି ଅଧିକ ମଜଭୁତ। ସବୁଠାରୁ ବଡ଼ କଥା ହେଉଛି, ପାକିସ୍ତାନ ଏକ ପରମାଣୁ ସମ୍ପନ୍ନ (Nuclear-armed) ଦେଶ, କିନ୍ତୁ ଏହି ଚୁକ୍ତି ପରେ ଇରାନ ପାଖରେ କୌଣସି ପରମାଣୁ ଅସ୍ତ୍ର ରହିବ ନାହିଁ। ତେଣୁ ପାକିସ୍ତାନ ଗ୍ୟାରେଣ୍ଟର ରହିଲେ, ସହଜରେ ଇରାନ ଉପରେ ଚାପ ପକାଇପାରିବ।

ନିକଟ ଅତୀତରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନିଙ୍କ ହତ୍ୟା ପରେ ପାକିସ୍ତାନରେ ବିରୋଧ ପ୍ରଦର୍ଶନ ହୋଇଥିଲା। କିନ୍ତୁ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନୀର ନିଜର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ସେହି ବିଦ୍ରୋହକୁ ଚପାଇ ଦେଇଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ପାକିସ୍ତାନ ସେନା ଇରାନ ପ୍ରତି କଠୋର ଆଭିମୁଖ୍ୟ ରଖିଛି। ସେହିଭଳି ପାକିସ୍ତାନକୁ ମଧ୍ୟସ୍ଥି କରି ଆମେରିକା ସମଗ୍ର ମଧ୍ୟ-ପ୍ରାଚ୍ୟର ମୁସଲିମ ରାଷ୍ଟ୍ରଗୁଡ଼ିକୁ ଭରସା ଦେବାକୁ ଚାହୁଁଛି ।

ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ପୂର୍ବରୁ ହିଁ ପ୍ରତିରକ୍ଷା ଚୁକ୍ତି (Defense Deal) ରହିଛି। ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ବହୁତ ଭଲ ବନ୍ଧୁତା ଅଛି। କତାର ମଧ୍ୟ ପାକିସ୍ତାନ ଉପରେ ଯଥେଷ୍ଟ ବିଶ୍ୱାସ କରେ।ତେଣୁ ପାକିସ୍ତାନ ଜରିଆରେ ଆମେରିକା ଏହି ସବୁ ଦେଶକୁ ଏକ ସକାରାତ୍ମକ ବାର୍ତ୍ତା ଦେବାକୁ ଚାହୁଁଛି ଯେ, ଆଗାମୀ ସମୟରେ କୌଣସି ପକ୍ଷପାତିତା ବା ଅନ୍ୟାୟ ହେବ ନାହିଁ।

ଚୀନ ଏବଂ ରୁଷକୁ ଦୂରେଇ ରଖିବାକୁ ଚାହୁଁଛି ଆମେରିକା

ଚୀନ ଓ ରୁଷକୁ ଏହି ଚୁକ୍ତିରୁ ଦୂରେଇ ରଖିବା ଆମେରିକାର ସବୁଠାରୁ ବଡ଼ ଚାଲ୍ । ଯଦି ଏହି ମାମଲାରେ ଚୀନ କିମ୍ବା ରୁଷ ଆଗକୁ ଆସନ୍ତି, ତେବେ ଭବିଷ୍ୟତରେ ଆମେରିକା, ଇରାନ ଉପରେ ଆକ୍ରମଣ କିମ୍ବା ଚାପ ପ୍ରୟୋଗ କରିପାରିବ ନାହିଁ । କିନ୍ତୁ ପାକିସ୍ତାନ ଗ୍ୟାରେଣ୍ଟର ପଡ଼ିଲେ ଆମେରିକା ପାଇଁ ସେଭଳି କୌଣସି ଅନ୍ତର୍ଜାତୀୟ ବାଧ୍ୟବାଧକତା ରହିବ ନାହିଁ ଏବଂ ଆମେରିକାର ପତିଆରା ବଜାୟ ରହିବ।