ବାରଙ୍ଗ ୨୧।୯: ବାଲେଶ୍ଵରରୁ ଉଦ୍ଧାର ୫ ଓରାଙ୍ଗଉଟାନ ଶାବକ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ଲାଳନପାଳନ କେନ୍ଦ୍ରର କ୍ୱାରେଣ୍ଟାଇନ ସେଣ୍ଟରରେ । ରହିବାର ଇତିମଧ୍ୟରେ ୧୪ଦିନ ହେଲାଣି । ପିସିସିଏଫ୍ଙ୍କ ଦ୍ବାରା ଗଠିତ ବୈଷୟିକ କମିଟି ତତ୍ତ୍ଵାବଧାନରେ ଓରାଙ୍ଗଉଟାନ ଶାବକମାନଙ୍କ ଚିକିତ୍ସା ଜାରି ରହିଛି । ତାଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି । ଏଥିସହ ସେମାନଙ୍କ ମନକୁ ବୁଝି ବିଭିନ୍ନ ପ୍ରକାର ଖେଳକୁଦ ବ୍ୟବସ୍ଥା କରାଯାଉଛି । ଫଳରେ ଓରାଙ୍ଗଉଟାନ ଶାବକମାନେ ଧିରେ ଧିରେ ସୁସ୍ଥ ହେବା ସହ ପୂର୍ବ ଅପେକ୍ଷା ଅଧିକ ଚଳଚଞ୍ଚଳ ହେବାରେ ଲାଗିଛନ୍ତି । ଗତ ଶନିବାର ଆସିଥିବା ବିଶେଷଜ୍ଞ ଓ ଚିକିତ୍ସକଙ୍କ ପରାମର୍ଶ କ୍ରମେ ବର୍ତ୍ତମାନ ସେମାନଙ୍କ ଖାଦ୍ୟରେ କିଛିଟା ପରିବର୍ତ୍ତନ କରାଯାଇଛି । ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ଓ କ୍ଷୀର ପରିମାଣ ବୃଦ୍ଧି କରାଯିବ । ବର୍ତ୍ତମାନ ସେମାନଙ୍କୁ ସିଝା ବିନ୍ସ ଓ ଗାଜର ଆଦି ଦିଆଯାଉଛି । ଏବେ ଦୌଡ଼ି ଓ ବାଉଁଶର ଦୋଳି ଖେଳକୁଦ କରିବାକୁ ଲାଗିଛି । ଯେଉଁଥିରେ ଝୁଲି ଓରାଙ୍ଗଉଟାନ ଶାବକମାନେ ବେଶ୍ ଖୁସି ହେଉଛନ୍ତି ।

ଗତ ସୋମବାର ଓ ମଙ୍ଗଳବାର ବୈଷୟିକ କମିଟିର ତିନି ଜଣ ସଦସ୍ୟ ୫ ଶାବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ସଂଗ୍ରହ କରିଥିଲେ । ପ୍ରାଥମିକ ପରୀକ୍ଷାରୁ ତିନି ଶାବକଙ୍କ ଠାରେ ରକ୍ତହୀନତା ଜଣାପଡ଼ିଥିଲା । ସେଥିପାଇଁ ଦରକାରୀ ଔଷଧ ଦିଆଯାଇଥିଲା । ପୁଣି ଗତ ଶନିବାର ବୈଷୟିକ କମିଟିର ଦୁଇ ସଦସ୍ୟ ଡକ୍ଟର ଅଭିଳିତ ଭାଓ୍ବାଲ, ପ୍ରାଣୀଧନ ଅଧୁକାରୀ, ଦିଲ୍ଲୀ ଚିଡ଼ିଆଖାନା ଏବଂ ଡକ୍ଟର ସନାଥ କ୍ରିଷ୍ଣା ମୁଲିୟା, ବନ୍ୟପ୍ରାଣୀ ଚିକିତ୍ସକ, ଡବ୍ଲୁଆଇଆଇ, ଡେହରାଡୁନ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିଲେ । ସେମାନେ ଓରାଙ୍ଗରଟାନ ଶାବକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଖାଦ୍ୟପେୟ, ସ୍ବାସ୍ଥ୍ୟସେବା ଏବଂ ପରିଚାଳନାଗତ ବ୍ୟବସ୍ଥା ବିଷୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି । ବିଶେଷକରି ଶାବକମାନଙ୍କ ଖାଦ୍ୟର ପରିମାଣ ଧୀରେ ଧୀରେ ବଢ଼ାଇବା ଓ କଠିନ ଖାଦ୍ୟ ଦେବାକୁ କହିଛନ୍ତି । ଏଥିସହ କୃମି ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ଆଇଭରମେକ୍ଟିନ୍/ଜାରାମେକ୍ଟିନ୍ ଔଷଧ ଦେବାକୁ ପରାମର୍ଶ ଦେଇଛନ୍ତି । ବୈଷୟିକ କମିଟି ପରାମର୍ଶ ଅନୁଯାୟୀ ଶାବକମାନେ ୩୦ ଦିନ କ୍ଟାରେଣ୍ଟାଇନ ସେଣ୍ଟରରେ ରହିବେ ।

ଇତିମଧ୍ଯରେ ୧୪ଦିନ ବିତିଥିବା ବେଳେ ଆହୁରି ୧୬ଦିନ ଦ୍ୱାରେଣ୍ଟାଇନ ସମୟ ରହିଛି । ୩୦ ଦିନ ସମ୍ପୂର୍ଣ ହେବା ପରେ ଓରାଙ୍ଗଉଟାନ ମାନଙ୍କୁ କେଉଁଠାରେ ରଖାଯିବ ତାହା ସ୍ପଷ୍ଟ ହେବ । କିନ୍ତୁ ନନ୍ଦନକାନନରେ ରଖିବାକୁ ବହୁ ପର୍ଯ୍ୟଟକ ଓ ପଶୁପ୍ରେମୀ ଆଗ୍ରହ ପ୍ରକାଶ କରୁଛନ୍ତି ।