ନୂଆଦିଲ୍ଲୀ: ପିଓକେରେ ପାକିସ୍ତାନ ସେନାର ହେଲିକପ୍ଟର କ୍ରାସ୍ ହୋଇଛି । ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜଫରାବାଦ ନିକଟରେ ଏହି ଦୁର୍ଘଟଣା ଘଟିଛି । ପାକିସ୍ତାନ ଆର୍ମି ଆଭିଏସନର ଏମଆଇ-୧୭ ହେଲକପ୍ଟର କ୍ରାସ୍ ହେବା ପରେ ସେଥିରେ ଥିବା ସମସ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ପାକିସ୍ତାନୀ ସେନାର ବୟାନ ଅନୁସାରେ, ଏହି ଦୁର୍ଘଟଣା ହେଲିକପ୍ଟର ଉଡାଣ ଭରିବାର କିଛି ସମୟ ପରେ ହୋଇଥିଲା । ପ୍ରାଥମିକ ତଦନ୍ତରେ ଯାନ୍ତ୍ରିକ କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ପାକ୍ ସେନା କହିଛି, ହେଲିକପ୍ଟରରେ ଥିବା ଜଣେ ବି ବ୍ୟକ୍ତି ଜୀବିତ ନାହାନ୍ତି । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏକ ବୋର୍ଡ ଅଫ୍ ଇନକ୍ୱାଏରି ଗଠନ କରିବା ପାଇଁ ଆଦେଶ ଜାରି କରାଯାଇଛି ।

ପାକିସ୍ତାନୀ ସେନାର ଗଣମାଧ୍ୟମ ଶାଖା, ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଏକ ସଂକ୍ଷିପ୍ତ ବିବୃତ୍ତି ଜାରି କରି କହିଛି ଯେ ହେଲିକପ୍ଟରଟି ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଆଇଏସପିଆର୍ କହିଛି ଯେ "ଦୁର୍ଘଟଣାରେ କେହି ବଞ୍ଚି ନାହାନ୍ତି ।"  ସୂତ୍ର ଅନୁସାରେ ହେଲିକପ୍ଟର ଦୁର୍ଘଟଣାରେ ୨୧ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତଥାପି, ପାକ୍ ସେନା ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ପ୍ରକାଶ କରିନାହିଁ ।

ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରେ ଗତ କିଛି ବର୍ଷ ମଧ୍ୟରେ ସାମରିକ ଏବଂ ସରକାରୀ ହେଲିକପ୍ଟର ଦୁର୍ଘଟଣାର ଅନେକ ଘଟଣା ଘଟିଛି । ୨୦୨୫ ସେପ୍ଟେମ୍ବରରେ, ଗିଲଗିଟ୍-ବାଲଟିସ୍ତାନର ଡିଆମର ଜିଲ୍ଲାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୫ ଅଗଷ୍ଟରେ, ମୋହମନ୍ଦ ଜିଲ୍ଲାରେ ଖରାପ ପାଗ ଯୋଗୁଁ ଖାଇବର ପଖତୁନଖ୍ୱା ସରକାରୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଦୁଇ ଜଣ ପାଇଲଟ୍ ଏବଂ ତିନି ଜଣ କ୍ରୁ ସଦସ୍ୟଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା ।