ବୋରିଗୁମ୍ମା ୧୮/୦୩: ବଡ ମେଡିକାଲର ବଡ଼ ନିଆଁ । ନିଆଁର ଆଁରେ ୧୩ ଜୀବନ ପୋଡ଼ି ପାଉଁଶ । ବଞ୍ଚି ରହିବାକୁ ବାଜିରେ ଲାଗିଥିଲା ଜୀବନ । ତଥାପି ଅନେକ ଜୀବନ ଜିତିଥିଲା ଏହି ଜୀବନ ଯୁଦ୍ଧରେ । ଏମିତି ଜଣେ ଥିଲେ ଯିଏ କି ନିଆଁରୁ ବର୍ତ୍ତି ପାଲଟିଥିଲେ ମୃତ୍ୟୁଞ୍ଜୟ । ହେଲେ ଏତେ ବଡ଼ ଅଘଟଣରୁ ବର୍ତ୍ତିଲେ ସତ କିନ୍ତୁ ଅଟକାଇ ପାରିଲେନି ତାଙ୍କ ଆୟୁଷ । ପ୍ରକୃତିର ନିୟମ ଆଗେ ହାରିଗଲେ ପବିତ୍ର ଦିସାରୀଙ୍କ ଭଳି ଜଣେ ଯୁବକ ।

ଏମିତି ହୃଦୟ ବିଦାରକ କାହାଣୀ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ । କଟକ ମେଡ଼ିକାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଯୁବକଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ମାଆ କାନ୍ଦୁଛି ବାହୁନି ବାହୁନି । ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ । ପଣ୍ଡସଗୁଡ଼ା ଗ୍ରାମର ୨୦ ବର୍ଷୀୟ ଯୁବକ ପବିତ୍ର ଦିସାରୀ । ଜୀବନର ଆରମ୍ଭରେ ହିଁ ଏମିତି ଦୁଃଖଦ ପରୀକ୍ଷାର ସମ୍ମୁଖୀନ ହେଲେ । ଯାହା କୌଣସି ମନୁଷ୍ୟ ପାଇଁ ଅସହ୍ୟ ।

ଭୟଙ୍କର ସଡ଼କ ଦୁର୍ଘଟଣାରେ ତାଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁର୍ ମାର୍ ହୋଇଯାଇଥିଲା । ଗରିବ ପରିବର । ଅସହାୟ ମାତାପିତା । ତଥାପି ଆଶା ଛାଡ଼ିନଥିଲେ। ପ୍ରଥମେ କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଗଲା। ସେଠାରୁ ବ୍ରହ୍ମପୁର MKCG ମେଡିକାଲ କଲେଜ । ପରେ AIIMS ଭୁବନେଶ୍ୱର । କିନ୍ତୁ ଦୁର୍ଭାଗ୍ୟ ସବୁଠାରୁ ଫେରାଇ ଦିଆଗଲା। ସମସ୍ତ ଆଶା ଶେଷ ହେଉଥିବା ବେଳେ, ଭଗବାନଙ୍କ ଦୂତ ଭଳି ଆସିଲେ SCB ମେଡିକାଲ କଲେଜ, କଟକର ଡା. ସୁରେଶ ଝଙ୍କାର।

ସେ ସମୟରେ ପବିତ୍ରଙ୍କ ଅବସ୍ଥା ଅତ୍ୟନ୍ତ ଥିଲା ସଙ୍କଟାପନ୍ନ । ଦିସାରୀଙ୍କ ହେମୋଗ୍ଲୋବିନ ଥିଲା ମାତ୍ର ୩ । କିନ୍ତୁ ଡା. ସୁରେଶ ଝଙ୍କାର ହାରମାନିଲେ ନାହିଁ । ନିଜେ ରିସ୍କ ନେଇ ରକ୍ତ ବ୍ୟବସ୍ଥା କଲେ । ନିଜେ ଦାୟିତ୍ୱ ନେଇ ଅପରେସନ କରାଇଲେ । ପବିତ୍ରଙ୍କୁ ନୂଆ ଜୀବନ ଦେବା ପାଇଁ କୃତ୍ରିମ ଡାହାଣ ଗୋଡ଼ ପ୍ରତ୍ୟାରୋପଣ କରାଇଲେ। ଅପରେସନ ସଫଳ ହେଲା ।

ପବିତ୍ରଙ୍କୁ ICU ରେ ରଖାଗଲା । ସମସ୍ତେ ଭାବିଲେ ବଞ୍ଚିଗଲେ । କିନ୍ତୁ ଭାଗ୍ୟର ଖେଳ ଅଲଗା ଥିଲା । ସେଇ ରାତିରେ SCB ମେଡିକାଲର ICU ରେ ବିଦ୍ୟୁତ୍ ଜନିତ ଭୟାବହ ଅଗ୍ନିକାଣ୍ଡ । ପ୍ରାଣ ହରାଇଥିଲେ ଏକାଧିକ ରୋଗୀ । ଏହି ମୃତ୍ୟୁର ମଧ୍ୟରେ ମଧ୍ୟ ପବିତ୍ର ହାରିଲେ ନାହିଁ । ସେ ନିଜ ବାମ ପାଦରେ ICU ର କାଚ ଭାଙ୍ଗି ଜୀବନ ପାଇଁ ଆପ୍ରାଣ ଚେଷ୍ଟା କରି ନିଜକୁ ବଞ୍ଚାଇଲେ । ଏକ ସତ୍ୟ ସଂଘର୍ଷ । ଅଦମ୍ୟ ଇଚ୍ଛାଶକ୍ତି ।

also read..ଗାଁରେ ପଶି କରୁଥିଲେ ଚୋରି, ବିଦ୍ୟୁତ ଖୁଣ୍ଟ ଛେଚା ଖାଇଲେ ମହିଳା ସମେତ ୪ !

ସେଇ ସମୟରେ ଡା. ସୁରେଶ ଝଙ୍କାର ମଧ୍ୟ ମେଡିକାଲର ଟ୍ରମା-କେର ସେଣ୍ଟର୍ ରେ ଥିଲେ । କିନ୍ତୁ ସୌଭାଗ୍ୟବଶତଃ ସେ ତଳ ମହଲାରେ ଥାଆନ୍ତି। ଘଟଣା ଶୁଣି ସେ ମଧ୍ୟ ଭୟଭୀତ ଓ ଚିନ୍ତିତ ହୋଇପଡ଼ିଥିଲେ । ପରେ ଘଟଣାଟି ପ୍ରଘଟିତ ହେବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାସ୍ଥଳରେ ପହଞ୍ଚିଲେ । ସର୍ବପ୍ରଥମେ ପବିତ୍ର ହିଁ ସମସ୍ତ ଘଟଣା ବିବରଣୀ ଦେଇଥିଲେ ।

କିନ୍ତୁ ସେଇ ଜୀବନ ଯୁଦ୍ଧର ନାୟକ ପରବର୍ତ୍ତୀ ମୁହୂର୍ତ୍ତରେ ଚାଲିଗଲେ ପରପାରିକୁ । ମୃତ୍ୟୁ ସମ୍ମୁଖରେ ହାରିଗଲେ ପବିତ୍ର । ଏହି ଘଟଣା ସମସ୍ତଙ୍କୁ ନିର୍ବାକ କରିଦେଇଛି । ପବିତ୍ରଙ୍କ ପାର୍ଥିବ ଶରୀର ଗାଁରେ ଆମ୍ବୁଲାନ୍ସ ଯୋଗେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ଭେଣ୍ଡିଆ ପୁଅକୁ ହରାଇ ମାଆ ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ।